ହିଞ୍ଜିଳିକାଟୁ(କେନ୍ଯୁଜ୍): କାଷ୍ଠ କଳାକୁ ବଂଚାଇବା ଲାଗି ଜାରି ରହିଛି ତାଙ୍କ ସଂଘର୍ଷ। ଆଉ ଏହି ସଂଘର୍ଷ ଦେଇଛି ଏବେ ତାଙ୍କୁ ନୂଆ ପରିଚୟ। ତାଙ୍କର ହାତର ଯାଦୁକରୀ ସ୍ପର୍ଷରେ ଅଦରକାରୀ କାଠ ଜୀବନ୍ତ ହେଉଛି। ଯାହାଦ୍ବାରା ସେ ନିଜେ ରୋଜଗାରକ୍ଷମ ହେବା ସହିତ ଅନ୍ଯକୁ ଦେଇପାରିଛନ୍ତି ରୋଜଗାର।
ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ କଣ୍ଟେଇକୋଳି ଗ୍ରାମର ଭାସ୍କର ସାହୁଙ୍କ ପୁଅ ଅରୁଣ। ପିଲାଟି ବେଳରୁ ଦେଶ ବିଦେଶର ଦର୍ଶନୀୟ ଐତିହାସିକ ସ୍ଥାନ ବୁଲି ଦେଖିବାର ଇଛାଶକ୍ତି ରହିଥିଲେ ମଧ୍ୟ ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ କାରଣରୁ ତାଙ୍କର ଆଶା ଅଧୁରା ରହିଯାଇଥିଲା। କିନ୍ତୁ ତାଙ୍କର ମନରୁ ପାଶୋରୀ ନଥିଲା ଦେଶ ବିଦେଶର ସେହି ଐତିହାସିକ ପର୍ଯ୍ଯଟନ ସ୍ଥଳୀ।ରଙ୍ଗୁଣି କୁଳରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ତାଙ୍କ ବାପା କାଠ କାମ କରୁଥିବାରୁ ବାପାଙ୍କୁ କାମରେ କିଛି ମୁହୂର୍ତ୍ତ ସହଯୋଗ କରୁଥିଲେ। ନିଜର ଅଭିଳାଷକୁ ପୂରଣ କରିବା ପାଇଁ ସେ ବିଭିନ୍ନ ଫଟୋ ଚିତ୍ର ସଂଗ୍ରହ କରି ଛୋଟ ଛୋଟ ଅଦରକାରୀ କାଠକୁ ଜୀବନ୍ତ ରୁପ ଦେଇ କଳାକୃତି କରି ନିଜର ଅଂଚଳରେ ପ୍ରଂଶସା ସାଉଁଟିଥିଲେ । ଆଉ ନିଜର ଦୃଢଇଚ୍ଛା ଶକ୍ତି ଓ ସ୍ଥାନୀୟ ଲୋକଙ୍କ ଉତ୍ସାହ ତାଙ୍କୁ ଆହୁରୀ କଳାକ୍ଷେତ୍ରେ ଆଗକୁ ଯିବାକୁ ପ୍ରେରଣା ଯୋଗାଇ ଥିଲା। ହେଲେ ଅଦରକାରୀ କାଠକୁ ସେ ସିନା ଜୀବନ୍ତ କରୁଥିଲେ କିନ୍ତୁ ଏଥିରେ ତାଙ୍କ ପରିବାର ଚଳାଇବା ଖୁବ୍ କଷ୍ଟସାଧ୍ୟ ହୋଇଥିଲା । ଯେଉଁଥିପାଇଁ କରୋନା ମହାମାରୀ ସମୟରେ ସେ ଛୋଟିଆ ଅନୁଷ୍ଠାନ ଗଢି ବର୍ତ୍ତମାନ ୧୭ ରୁ ଉର୍ଦ୍ଧ୍ଵ ଯୁବକ ଓ ଯୁବତୀ ମାନଙ୍କୁ ମାଗଣା କଳା ଶିକ୍ଷା ପ୍ରଦାନ କରୁଛନ୍ତି। ନିଜେ ରୋଜଗାରକ୍ଷମ ହେବା ସହ ଅନୁଷ୍ଠାନରେ କାମ କରୁଥିବା ସମସ୍ତଙ୍କୁ ପାରିଶ୍ରମିକ ପାଉଣା ମଧ୍ୟ ଦେଉଛନ୍ତି।
କଳାକୃତି ପାଇଁ ପୂର୍ବରୁ ସେ ଇଣ୍ଡିଆ ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ହାସଲ କରିଥିବା ବେଳେ କାଠ ରେ ତାଜମହଲ,ଓଡିଶାର ବିଧାନ ସଭା,ଉଭୟ ଓଡିଆ ଓ ହିନ୍ଦି ହନୁମାନ ଚାଳିଶା, ଇଣ୍ଡିଆ ଗେଟ୍,ଧଉଳିସ୍ତୁପ,ବନ୍ଦେ ଉତ୍କଳ ଜନନୀ,ଭଳି ବହୁ କଳାକୃତି ନିହଣ ମୁନରେ ର୍ନିମାଣ କରିବା ସହିତ ତାଙ୍କର ଏହି କଳାକୃତିକୁ ଓଡିଶାର ମୁଖ୍ଯମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଦାନ କରି ପ୍ରଂଶସା ସାଉଁଟିଛନ୍ତି । ପଲିଶ୍ରୀ ମେଳା ଭଳି ବିଭିନ୍ନ ପ୍ରଦର୍ଶନୀ ମେଳା ରେ ଭାଗ ନେଇ ବ୍ଯବସାୟ କରି ଦୁଇ ପଇସା ଲାଭବାନ ହେଉଥିବା ବେଳେ କଳାକୁ ରାଜ୍ଯ ତଥା ରାଜ୍ଯ ବାହାରେ ଲୋକାଭିମୁଖି କରିବା ନିମନ୍ତେ ଅହରହ ଚେଷ୍ଟା ଜାରୀ ରଖିଛନ୍ତି ।
ଦିନେ କଳା ପାଇଁ ସଂଘର୍ଷ କରୁଥିବା ଅରୁଣ ଆଜି ନିଜେ ରୋଜଗାରକ୍ଷମ ହେବା ସହ ଅନ୍ଯ ମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ। ନିଜର ନିହଣ ମୁନରେ ହାତର ଯାଦୁକରୀ ସ୍ପର୍ଶ ପାଇଁ ସେ ସମସ୍ତଙ୍କ ନିକଟରେ ପ୍ରିୟପାତ୍ର ହେବା ସହ ବର୍ତ୍ତମାନ ଏକ ଛୋଟିଆ ଶିଳ୍ପୀ ଅନୁଷ୍ଠାନ ଗଢି ଯୁବକ, ଯୁବତୀ ମାନଙ୍କୁ ସ୍ବାବଲମ୍ବୀ କରିବା ଓ କାଷ୍ଠ କଳାକୁ ବଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ କରିବା ନିହାତୀ ଅଆଜିର ଯୁବପୀଢିଙ୍କ ପାଇଁ ଏକ ଶିକ୍ଷଣୀୟ ବାର୍ତ୍ତା