ଆଜିଠୁ ତମେ ମୋର ଆଉ ମୁଁ ତୁମର, ଆମ ଯୋଡି ଭାରି ସୁନ୍ଦର

ପ୍ରେମ ହେଉଛି ଶାଶ୍ଵତ ଓ ଚିରନ୍ତନ । ପ୍ରେମ ପାଇଁ ନା ଅଛି ଭେଦ ଭାବ ନା ବୟସ । ଉଛୁଳା ନଈ ଭଳି ପ୍ରେମ ବନ୍ଧ ବାଡ଼ ମାନେନି ।

ବାଲେଶ୍ଵର (କେନ୍ୟୁଜ୍) : ଆଖିରେ କଜଳ, ପାଦରେ ଅଳତା ଆଉ ମଥାରେ ଟିପିଟିପି ଚନ୍ଦନ । ହାତରେ ମେହେନ୍ଦି ପାଦରେ ଅଳତା ସହ ପିନ୍ଧିଛନ୍ତି ନୂଆ ଶାଢ଼ି ଆଉ ଚୁଡି । ଏସବୁ ପିନ୍ଧି କନିଆଁ ବେଶରେ ସଜେଇ ହୋଇଛନ୍ତି ପଦ୍ମାବତୀ । ଆଉ ତାଙ୍କ ପାଖରେ ବସିଛନ୍ତି ତାଙ୍କର ସ୍ୱାମୀ ଦେବତା । ଉଭୟେ ଭାରି ଖୁସି । କାହିଁକିନା ବୟସର ଅପରାହ୍ନରେ ତାଙ୍କୁ ମିଳିଛି ଜୀବନ ସାଥି । ପରିଣତ ବୟସରେ ଏମାନେ ପ୍ରେମିକ ପ୍ରେମିକାରୁ ସାଜୁଛନ୍ତି ସ୍ୱାମୀ ସ୍ତ୍ରୀ । ପରିବାର ସିନା ସେମାନଙ୍କୁ ପର କରିଦେଲା କିନ୍ତୁ ଜୀବନର ବାକି ସମୟ ସେମାନେ ସାଥି ହୋଇ ଜୀବନ କାଟିବେ, ଦୁହେଁ ଦୁହିଁଙ୍କ ସୁଖରେ ଦୁଃଖରେ ଛିଡା ହେବେ । ଉଭୟଙ୍କ ଏହି ନିଷ୍ପତ୍ତି ପରେ ମନ୍ଦିରରେ ସାତ ଜନ୍ମ ପାଇଁ ସାଥି ହୋଇଗଲେ ପଦ୍ମାବତୀ ଓ ଦାସ୍‌ ମାରାଣ୍ଡି ।

ପ୍ରେମ ହେଉଛି ଶାଶ୍ଵତ ଓ ଚିରନ୍ତନ । ପ୍ରେମ ପାଇଁ ନା ଅଛି ଭେଦ ଭାବ ନା ବୟସ । ଉଛୁଳା ନଈ ଭଳି ପ୍ରେମ ବନ୍ଧ ବାଡ଼ ମାନେନି । ମାଡ଼ିଚାଲେ ଆଗକୁ ଆଉ ଆଗକୁ ଯେତେ ବେଳ ଯାଏଁ ତା ଲକ୍ଷ୍ୟ ପୂରଣ ହୋଇ ନାହିଁ । ହେଲେ ଦୃଶ୍ୟକୁ ଦେଖିଲେ ଆପଣ ଙ୍କ ମନରେ ପ୍ରଶ୍ନ ଉଠୁଥିବ ଏମାନେ କିଏ? କାହିଁକି ଏମାନେ ବାହା ହେଉଛନ୍ତି , ସେପୁଣି ପରିଣତ ବୟସରେ । ଆଖିରେ କଜଳ, ପାଦରେ ଅଳତା ଆଉ ମଥାରେ ଟିପିଟିପି ଚନ୍ଦନ ନାଇ ନୂଆ ସାଢ଼ି ଓ ଚୁଡି ପିନ୍ଧି ସଜେଇ ହୋଇ ବସିଥିବା ଏ ବୃଦ୍ଧା କନିଆ ଜଣକ ହେଉଛନ୍ତି ୬୫ ବର୍ଷୀୟ ପଦ୍ମାବତୀ ଦାସ । ଆଉ ପଦ୍ମାବତୀ ଙ୍କ ପାଖରେ ବର ବେଶରେ ବସିଛନ୍ତି ତାଙ୍କ ମନର ରାଜ କୁମାର ୬୩ ବର୍ଷୀୟ ଦାସ ମାରାଣ୍ଡି । ଆଜି ଉଭୟେ ବାଲେଶ୍ଵର ବାମପଦା ସ୍ଥିତ କୁଷ୍ଠାଷ୍ରମ ଜଗନ୍ନାଥ ମନ୍ଦିରରେ ଉଭୟ ସାଜିଛନ୍ତି ସ୍ୱାମୀ ସ୍ତ୍ରୀ। ଉଭୟେଙ୍କ ପୂର୍ବରୁ ଘର ସଂସାର ଥିଲା । ଦୁରାରୋଗ୍ୟ ପାଇଁ ଚିକିତ୍ସିତ ହେବାକୁ ଆସି କୁଷ୍ଠାଷ୍ରମ ରେ ରହିବା ଭିତରେ ଉଭୟେ ଉଭୟଙ୍କୁ ଭଲ ଭାବରେ ଚିହ୍ନିଥିଲେ। ଆଉ ନୀତି ଦିନର ଦେଖା ଚାହାଁ ଭିତରେ ଦୁଇ ଜଣକ ଭିତରେ ହୋଇଯାଇଥିଲା ପ୍ରେମ । ଅନ୍ୟପଟେ ବୟସର ବ୍ୟାଧି ଆଉ ନିସଂଗତା ଉଭୟେଙ୍କୁ ପୁଣି ଏକ ମନ ଏକ ଭାବନା ଭିତରେ ରହିବା ପାଇଁ ଆଉ ବିପଦ ଅପଦ ରେ ସାହା ହେବା ପାଇଁ ବିବାହ କରିବାକୁ ସ୍ଵୀକୃତି ଦେଇଥିଲା ।

ଦାସ ମାରାଣ୍ଡିଙ୍କ ଘର ବାଲେଶ୍ଵର ଜିଲ୍ଲା ସାର୍ଥା ଅଞ୍ଚଳର ହୋଇଥିବା ବେଳେ ସେ ଗତ ୩ ବର୍ଷ ହେବ ରୋଗର ଚିକିତ୍ସା ପାଇଁ କୁଷ୍ଠାଶ୍ରମ ରେ ରହିଥିଲେ । ସେହିଭଳି ପଦ୍ମାବତୀ ଦାସଙ୍କ ଘର ବାଲେଶ୍ଵର ଜିଲ୍ଲା ଔପଦା ଅଞ୍ଚଳରେ ହୋଇଥିବା ବେଳେ ସେ ୧୫ ବର୍ଷ ଧରି କୁଷ୍ଠ ରୋଗର ଚିକିତ୍ସା ପାଇଁ ରହି ଆସୁଥିଲେ । ଏବେ ସେମାନେ ସମ୍ପୂର୍ଣ୍ଣ ରୋଗ ମୁକ୍ତ ହୋଇଯାଇଥିବା ବେଳେ ଲେପର୍ସି କଲୋନୀ ରେ ରହି ଆସୁଛନ୍ତି । ଦୀର୍ଘ ଦିନର ଦେଖା ଚାହାଁ ଆଉ ନିସଂଗ ଜୀବନ ଅତିବାହିତ ଭିତରେ ଉଭୟେ ଉଭୟେଙ୍କୁ ଭଲ ପାଇ ବସିଥିଲେ ।

ଯେହେତୁ ଦାସ ମାରାଣ୍ଡି ଙ୍କୁ ଏକ ସରକାରଙ୍କ ପକ୍ଷରୁ ଏକ ଗୃହ ଯୋଗାଇ ଦିଆଯାଇଥିଲା । ଏକାନ୍ତ ରେ ରହିବାକୁ ସେ କଷ୍ଟ ଅନୁଭବ କରୁଥିଲେ । ସେହିସମୟ ରେ ତାଙ୍କ ଭଳି ନିସଙ୍ଗ ଜୀବନ ବିତାଉ ଥିବା ଅନ୍ୟତମ ଅନ୍ତେବାସୀ ପଦ୍ମାବତୀ ଙ୍କୁ ସେ ଭଲ ପାଇ ବସିଲେ ।ଆଉ ଉଭୟେ ଏକାଠି ରହିବାକୁ ସ୍ଥିର କରିଥିବା ବେଳେ କୁଷ୍ଠାଷ୍ରମ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ଙ୍କୁ ଜଣାଇଥିଲେ । ଆଜି ସେମାନଙ୍କ ବାହାଘର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଙ୍କ ଉପସ୍ଥିତି ରେ ବିବାହ ଅନୁଷ୍ଠିତ ହୋଇଥିଲା । ଖାଲି ସେତିକି ନୁହଁ ନିରାଡମ୍ବର ଭାବରେ ବାହାଘର ସିନା ହୋଇଥିଲା କିନ୍ତୁ ବୈଦିକ ରୀତିନୀତି ଅନୁସାରେ ବ୍ରାହ୍ମଣ ଉପସ୍ଥିତି ବିବାହ ଅନୁଷ୍ଠିତ ହୋଇଥିବା ବେଳେ ଅନ୍ତେବାସୀଙ୍କ ପାଇଁ ଭୋଜି ଭାତର ଆୟୋଜନ ମଧ୍ୟ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.