ଶାକାହାରୀ ଜାଗାରେ ମାଂସାହାରୀ ଖାଦ୍ୟ ବିତରଣ; ଜୋମାଟୋ ଓ ମ୍ୟାକ୍ଡୋନାଲ୍ଡସ୍ ଏକାଠି ବହନ କରିବେ ୧ ଲକ୍ଷ ଜରିମାନା
ଭୁଲ୍ ଡେଲିଭରି ଯୋଗୁ ୧ ଲକ୍ଷ ଟଙ୍କା ଜରିମାନା ଗଣିବେ ଜୋମାଟୋ ଓ ମ୍ୟାକ୍ଡୋନାଲ୍ଡସ୍। ଅନଲାଇନ୍ ଫୁଡ୍ ଅର୍ଡରିଙ୍ଗ୍ ଏବଂ ଡେଲିଭରି ପ୍ଲାଟଫର୍ମ ‘ଜୋମାଟୋ’ କହିଛି ଯେ ଶାକାହାରୀ ଖାଦ୍ୟ ଅର୍ଡର ସ୍ଥାନରେ ମାଂସାହାରୀ ଖାଦ୍ୟ ବିତରଣ ଅଭିଯୋଗରେ ଯୋଧପୁରର ଜିଲ୍ଲା ଉପଭୋକ୍ତା କୋର୍ଟ ୧ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି।
ଭୁଲ୍ ଡେଲିଭରି ଯୋଗୁ ୧ ଲକ୍ଷ ଟଙ୍କା ଜରିମାନା ଗଣିବେ ଜୋମାଟୋ ଓ ମ୍ୟାକ୍ଡୋନାଲ୍ଡସ୍। ଅନଲାଇନ୍ ଫୁଡ୍ ଅର୍ଡରିଙ୍ଗ୍ ଏବଂ ଡେଲିଭରି ପ୍ଲାଟଫର୍ମ ‘ଜୋମାଟୋ’ କହିଛି ଯେ ଶାକାହାରୀ ଖାଦ୍ୟ ଅର୍ଡର ସ୍ଥାନରେ ମାଂସାହାରୀ ଖାଦ୍ୟ ବିତରଣ ଅଭିଯୋଗରେ ଯୋଧପୁରର ଜିଲ୍ଲା ଉପଭୋକ୍ତା କୋର୍ଟ ୧ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି। ଜୋମାଟୋ ଏବଂ ଏହାର ରେଷ୍ଟୁରାଣ୍ଟ ପାର୍ଟନର ମ୍ୟାକ୍ଡୋନାଲ୍ଡସ୍ ଉପରେ ଏହି ଜରିମାନା ରାଶି ଲଗାଯାଇଥିବା ଜୋମାଟୋ କହିଛି।
ଜୋମାଟୋ ପକ୍ଷରୁ କୁହାଯାଇଛି ଯେ କମ୍ପାନୀ ଏହି ଆଦେଶ ବିରୋଧରେ ଆବେଦନ କରିବା ପ୍ରକ୍ରିୟାରେ ଅଛି। କୋର୍ଟ କହିଛନ୍ତି ଯେ ଉପଭୋକ୍ତା ଅଧିନିୟମ ୨୦୧୯ ଉଲ୍ଲଂଘନ କରିଥିବାରୁ ଉଭୟ କମ୍ପାନୀ ଉପରେ ଏହି ଜରିମାନା ଲାଗୁ କରାଯାଇଛି। ଏହି ଜରିମାନା ଉଭୟଙ୍କୁ ଏକାଠି ମିଶି ଦେବାକୁ ପଡିବ।
ସେପଟେ ଉପଭୋକ୍ତାଙ୍କୁ ମାମଲାର ମୂଲ୍ୟ ହିସାବରେ ୫୦୦୦ ଟଙ୍କା କ୍ଷତିପୂରଣ ମଧ୍ୟ ଦିଆଯାଇଛି। ଉପଭୋକ୍ତା ଫୋରମ୍ କହିଛି ଯେ ଉଭୟ ଅର୍ଥଦଣ୍ଡ ଏବଂ ମକଦ୍ଦମା ମୂଲ୍ୟ ଜୋମାଟୋ ଓ ମ୍ୟାକ୍ଡୋନାଲ୍ଡସ୍ ମିଳିତ ଭାବରେ ବହନ କରିବେ।
ଅଭିଯୋଗ ମୁତାବକ, ଜଣେ ଗ୍ରାହକ ମ୍ୟାକ୍ଡୋନାଲ୍ଡସ୍ରୁ ଶାକାହାରୀ ଖାଦ୍ୟ ସାମଗ୍ରୀ ଅର୍ଡର କରିଥିଲେ। ଏହାକୁ ଜୋମାଟୋ ମାଧ୍ୟମରେ ବିତରଣ କରାଯାଇଥିଲା। କିନ୍ତୁ ଗ୍ରାହକ ଅନୁଭବ କରିଥିଲେ ଯେ ସେ ଅର୍ଡର କରିଥିବା ଶାକାହାରୀ ଖାଦ୍ୟ ବଦଳରେ ତାଙ୍କୁ ମାଂସାହାରୀ ଖାଦ୍ୟ ବିତରଣ କରାଯାଇଛି।