କଟକ : ଏସ୍‌ସିବିରେ ଫ୍ୟାନ୍‌ ଖସି ପଡ଼ିବା ଘଟଣାରେ ମହିଳାଙ୍କ ମୃତ୍ୟୁ

କଟକ (କେନ୍ୟୁଜ୍‌) : ମୃତ୍ୟୁ ଏମିତି ବି ଆସି ପାରେ । ମହିଳା ଜଣକ ନିଆଁରେ ପୋଡ଼ି ହୋଇ ଚିକିତ୍ସାଧୀନ ଥିଲେ । ହେଲେ ଡାକ୍ତରଖାନା ଛାତରୁ ଫ୍ୟାନ୍‌ ଖସି ପଡ଼ି ଗୁରୁତର ଆହତ ହେଲେ । ଆଉ ତା ପରେ ଚାଲିଗଲା ଜୀବନ ।

କଟକ ବଡ଼ ମେଡିକାଲରେ ଫ୍ୟାନ୍ ପଡ଼ିବା ଘଟଣାରେ ମହିଳାଙ୍କର ମୃତ୍ୟୁ ହୋଇଯାଇଛି । ଗତ ୮ ତାରିଖରେ ଦିନ ଏସ୍‌ସିବି ମେଡିକାଲ କଲେଜର ସର୍ଜରୀ ବିଭାଗ ଛାତରୁ ଫ୍ୟାନ୍ ଖସିପଡ଼ିଥିଲା । ତେବେ ଏହି ଫ୍ୟାନ୍‌ ତଳେ ଶୋଇଥିବା ଜଣେ ମହିଳା ରୋଗୀ ଏଥିରେ ଗୁରୁତର ଆହତ ହୋଇଥିଲେ। ପ୍ରାୟ ୮ ଦିନ ଧରି ସଂଗ୍ରାମ କରିବା ପରେ ଶେଷରେ ଗତକାଲି ରାତି ୧୦ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାରଲୋକ ସୂଚନା ଦେଇଛନ୍ତି।

ମୃତକଙ୍କ ନାଁ ପାର୍ବତୀ ଦାସ । ଏହି ୭୫ ବର୍ଷ ବୟସ୍କା ମହିଳାଙ୍କ ଘର ଯାଜପୁର ଜିଲ୍ଲାରେ । ସେ ନିଆଁରେ ପୋଡି ହୋଇ ଗତ ୫ ତାରିଖ ଦିନ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଫ୍ୟାନ୍‌ ପଡ଼ି ଗୁରୁତର ହେବା ପରେ ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଥିଲା।

ତେବେ ଘଟଣାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ପରିବାର ଲୋକେ ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ଏଥିପାଇଁ ଦାୟୀ କରିଛନ୍ତି । ଡାକ୍ତରଖାନାରେ କିଭଳି ଭାବେ ରକ୍ଷଣା ବେକ୍ଷଣ କରାଯାଉଛି ଓ ଏଠାରେ ରୋଗୀ କେତେ ସୁରକ୍ଷିତ ତାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଏହାକୁ ନେଇ ଏସ୍‌ସିବି କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.