Below header

ପାଣିପାଗ : ଆସନ୍ତାକାଲି ଅଧା ଜିଲ୍ଲାରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାର ପ୍ରଚଣ୍ଡ ରୂପ ଦେଖାଛି । ବଜ୍ରପାତରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଜାଗାରେ ଘର ଛପର ଉଡ଼ି ଯାଇଛି । ଗଛ, ବିଦ୍ୟୁତ୍‌ ଖୁଣ୍ଟି ଏବଂ ଟେଲିଫୋନ୍‌ ଟାଓ୍ଵାର ମଧ୍ୟ ଭାଙ୍ଗିଛି । କେତେ ଜିଲ୍ଲାରେ ବିଦ୍ୟୁତ୍‌ ସେବା ପ୍ରଭାବିତ ହୋଇଛି ।
ତେବେ ଆସନ୍ତାକାଲି ରାଜ୍ୟର ୧୫ଟି ଜିଲ୍ଲାକୁ ବର୍ଷା ଓ କାଳବୈଶାଖୀ ଆଶଙ୍କା ରହିଛି । ଏହି ସମୟରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ କୁଆପଥର ବୃଷ୍ଟି ହେବ । ବିଜୁଳି ଓ ଘଡ଼ଘଡ଼ି ମାରିବ । ପଶ୍ଚିମ ଓଡ଼ିଶାର କଳାହାଣ୍ଡି, ସମ୍ବଲପୁର, ବୌଦ୍ଧ, ବଲାଙ୍ଗିର, ସୋନପୁର, ଦେବଗଡ଼, ଉତ୍ତର ଓଡ଼ିଶାର ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର ଆଦି ଜିଲ୍ଲାରେ ଏଭଳି ସ୍ଥିତି ଦେଖିବାକୁ ମିଳିବ । ସେହିପରି ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର କିଛି ଅଞ୍ଚଳରେ ମଧ୍ୟ ଝଡ଼ ବର୍ଷାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ‘ଅରେଞ୍ଜ ଓ୍ଵାର୍ଣ୍ଣିଂ’ ଦିଆଯାଇଛି ।
ସେହିପରି କିଛି ଉପକୂଳବର୍ତ୍ତୀ ଅଞ୍ଚଳ ସହିତ ୫ଟି ଜିଲ୍ଲାକୁ ‘ୟେଲୋ ଓ୍ଵାର୍ଣ୍ଣିଂ’ ଦିଆଯାଇଛି । ଏହି ସବୁ ଜିଲ୍ଲା ହେଉଛି ଅନୁଗୁଳ, ରାୟଗଡ଼ା, ଢେଙ୍କାନାଳ, କନ୍ଧମାଳ, ନୁଆପଡ଼ା ।

ଆଜି ବର୍ଷା ଯୋଗୁଁ ଅନ୍ୟ ସବୁ ଜିଲ୍ଲାରେ ତାପମାତ୍ରା କମିଥିବା ବେଳେ ମାଲକାନଗିରିରେ ସର୍ବାଧିକ ୪୧ ଏବଂ ଟିଟିଲାଗଡ଼ରେ ୪୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଛି । ସେହିପରି ଚାନ୍ଦବାଲିରେ ସର୍ବାଧିକ ୩୯.୨ ମିଲିମିଟର, ପାରାଦୀପ ୨୯.୬, ବାରିପଦାରେ ୨୭.୮ ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.