ପାଟକୁରା ଓ ବିଜେପୁରରେ କିଏ ଉଡ଼ାଇବ ବିଜୟବାନା ? ଫୋକସରେ ଦୁଇ ନିର୍ବାଚନ ମଣ୍ଡଳୀ

ଭୁବନେଶ୍ବର : କେବେ ହେବ ପାଟକୁରା ନିର୍ବାଚନ ? ଏକାସଙ୍ଗେ ହେବ କି ବିଜେପୁର ଉପନିର୍ବାଚନ ? ନିକଟରେ ରାଜ୍ୟ ନିର୍ବାଚନ ଅଧିକାରୀ ପାଟକୁରା ନିର୍ବାଚନମଣ୍ଡଳୀ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ନିର୍ବାଚନ ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ କରିଥିବା ସୂଚନା ମିଳିଛି । ଯେକୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ପାଟକୁରା ନିର୍ବାଚନ ତାରିଖ । ଏପଟେ ରାଜନୈତିକ ଦଳଗୁଡ଼ିକର ଗତିବିଧି ବି ବଢିଛି । ଦୁଇଟି ଯାକ ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରଣନୀତି କରିଛି ବିଜେଡି । ହେଭିୱେଟ୍‌ ନେତାଙ୍କ ହାତରେ ଦଳ ଦେଇଛି ପାଟକୁରା ଦାୟିତ୍ୱ । ବେଦପ୍ରକାଶ ଅଗ୍ରଓ୍ଵାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ଵାଲଙ୍କୁ ବିଜେଡି ପ୍ରାର୍ଥୀ କରିଛି । କେନ୍ଦ୍ରାପଡ଼ା ଲୋକସଭା ଆସନ ଭଳି ପାଟକୁରା ବିଧାନସଭା ଆସନ ବି ବିଜେଡି ପାଇଁ ସମ୍ମାନର ପ୍ରଶ୍ନ । କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ୭ଟି ଯାକ ବିଧାନସଭା ସିଟ୍‌ ଅକ୍ତିଆର କରି ଦଳ ଏହି ବାର୍ତ୍ତା ଦେବାକୁ ଚାହିଁବ ଯେ, କେନ୍ଦ୍ରାପଡ଼ା ବିଜେଡିର ଅଭେଦ୍ୟ ଦୁର୍ଗ । ସେପଟେ ବିଜେପୁର ଉପନିର୍ବାଚନରେ କିଏ ହେବେ ବିଜେଡି ପ୍ରାର୍ଥୀ, ସେନେଇ ଅଙ୍କକଷା ଚାଲିଛି। ରେସ୍‌ରେ ଆଗରେ ଅଛନ୍ତି ପୂର୍ବତନ ବିଧାୟିକା ରୀତା ସାହୁ।

ଚଳିତ ନିର୍ବାଚନରେ ବିଜେପିର ପ୍ରଦର୍ଶନ ଉତ୍ସାହଜନକ ରହିଛି । ପାଟକୁରା ଓ ବିଜେପୁରରେ ବିଜେଡିକୁ କଡ଼ା ଟକ୍କର ଦେବା ପାଇଁ ଦଳ ପ୍ରସ୍ତୁତି କରିଛି ସ୍ୱତନ୍ତ୍ର ରଣନୀତି। ହେଭିୱେଟ୍‌ ପ୍ରଚାର ପାଇଁ ଯୋଜନା ହୋଇଛି। ପାଟକୁରାରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଆରମ୍ଭ କରିଛନ୍ତି ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ୍‌। ବିଜେପି ଆଶା ରଖିଛି, ପାଟକୁରା ଓ ବିଜେପୁରରେ ଉଡ଼ାଇବ ବିଜୟ ବାନା ।

ଲୋକସଭା ନିର୍ବାଚନରେ ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀଙ୍କଠାରୁ ଅଧିକ ୭ ହଜାର ଭୋଟ ପାଇଥିଲେ ବିଜେଡିର ଲୋକସଭା ପ୍ରାର୍ଥୀ। ଏବେ ସ୍ୱତନ୍ତ୍ର ରଣନୀତି ସହ ନିଜ ସପକ୍ଷରେ ଜନମତ ସୃଷ୍ଟିରେ ଲାଗିଛନ୍ତି ସବୁ ରାଜନୈତିକ ଦଳ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.