Below header

ଜଳାର୍ଣ୍ଣବ ହେଲା ସାରା ରାଜ୍ୟ : ଲଘୁଚାପ ବର୍ଷାରେ ହନ୍ତସନ୍ତ ଜନଜୀବନ , ନଦୀ ମାନଙ୍କରେ ଉପୁଜିଛି ବନ୍ୟା ପରିସ୍ଥିତି

ଭୁବନେଶ୍ବର : ଗତ ରାତିରୁ ଲଗାଣ ବର୍ଷା ହେଲା । ସକାଳେ ଘର ଭିତରେ ପାଣିକୁ ସ୍ୱାଗତ କଲେ ଟ୍ଵନସିଟି ବାସିନ୍ଦା। କାହା ଘରେ ବର୍ଷା ଜଳ ପଶି ଭସାଇ ଦେଲା ତ ଆଉ କାହାକୁ ଘର ଛାଡ଼ିବାକୁ ପଡ଼ିଲା । ତେବେ ଆଶ୍ଚର୍ୟ୍ୟର କଥା ହେଉଛି ବର୍ଷା ଋତୁ ପୂର୍ବରୁ ଯେଉଁ ସବୁ ବ୍ୟବସ୍ଥା ହେବା କଥା ତାହା ହୋଇନାହିଁ । ଯାହାଫଳରେ ଏଭଳି ଅଭାବନୀୟ ପରିସ୍ଥିତି ଉପୁଜିଛି । ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ଗତ ପ୍ରବଳ ବର୍ଷାରେ ଯେଉଁ ପରିସ୍ଥିତି ଦେଇ ଲୋକେ ଗତି କରିଥିଲେ ତାକୁ ଅନୁଭବ କରିଥିଲା ମହାନଗର ନିଗମ । ଏଥିଲାଗି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସି ଆଲୋଚନା ବି ହେଲା ।

ତେବେ ୨୧ ତାରିଖରୁ ଲଘୁଚାପ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଘୋଷଣା କରିଥିଲେ ମଧ୍ୟ ବିଏମ୍ସି ପକ୍ଷରୁ ସେଭଳି କିଛି ଆଗୁଆ ପଦକ୍ଷେପ ନିଆଯାଇ ନଥିଲା । ଯାହାଫଳରେ କେଇ ଘଣ୍ଟାର ଲଗାଣ ବର୍ଷାରେ ବୁଡ଼ିଗଲା ସାରା ଭୁବନେଶ୍ୱର । କେଉଁଠି ଡ୍ରେନ ଉପରେ ଜବରଦଖଲକାରୀଙ୍କ କବଜା ତ ଆଉ କେଉଁଠି ଡ୍ରେନ୍ ସଫା ହୋଇନାହିଁ । ପୁଣି କେଉଁଠ ଡ୍ରେନର ଗଭୀରତା କମ୍ ଥିବାରୁ ପାଣି ଉଛୁଳି ଘରେ ପଶୁଛି । ସ୍ମାର୍ଟ ସିଟିରେ ଜଳ ନିଷ୍କାସନର ଏଭଳି ବ୍ୟବସ୍ଥାକୁ ନେଇ ସାରା ସହରରେ ତୀବ୍ର ଅସନ୍ତୋଷ । କେବଳ ବିଏମସି ନୁହେଁ ସ୍ଥାନୀୟ କର୍ପୋରେଟରମାନେ ମଧ୍ୟ ଏଥିପ୍ରତି ଧ୍ୟାନ ଦେଇ ନଥିବାରୁ ପ୍ରବଳ ଅସନ୍ତୋଷ ଦେଖା ଦେଇଛି । ୨ଶହରୁ ଅଧିକ ପମ୍ପ ଜଳ ବନ୍ଦୀ ଅଞ୍ଚଳରେ ନିୟୋଜିତ ହୋଇଛି । ପ୍ରବଳ ବର୍ଷା ଯୋଗୁ ସହରର ସମସ୍ତ ସ୍କୁଲର କ୍ଲାସ୍ ସସପେଣ୍ଡ କରାଯାଇଛି । ସକାଳ ୬ଟା ସୁଦ୍ଧା ୧୯୫ ମିଲିମିଟର ବର୍ଷା ରେକଡ୍ କରାଯାଇଛି ।

ପ୍ରବଳ ବର୍ଷାରେ ଉବୁଡୁବୁ ଟ୍ଵିନ୍ ସିଟି । ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା । ବର୍ଷା ଯୋଗୁ ସବୁ ସ୍କୁଲ ସସ୍ପେଣ୍ଡ କରାଯାଇଛି । କଟକରେ ସବୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏହା ସହ ଭୁବନେଶ୍ୱରର ସ୍କୁଲ ଛୁଟି ନେଇ ଏସ୍ଆରସି ସୂଚନା ଦେଇଛନ୍ତି ।
ପ୍ରବଳ ବର୍ଷା ଯୋଗୁ ପୁରୀ ସହରରେ ନାହିଁନଥିବା ଅବସ୍ଥା। ଜଳାର୍ଣ୍ଣବ ବଡ଼ଦାଣ୍ଡ । ବଡଦାଣ୍ଡରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି । ଶରଧାବାଲିରେ ବି ପାଣି ଜମିଛି । ବିଭିନ୍ନ ତଳି ଅଞ୍ଚଳରେ ପାଣି ଜମିବାରେ ଲାଗିଛି । ରାସ୍ତାରେ ଲହଡ଼ି ମାରୁଛି ପାଣି । ରାସ୍ତାରେ ଯାଆସ ପାଇଁ ଲୋକେ ନାହିନଥିବା ଅସୁବିଧା ଭୋଗୁଛନ୍ତି ।

ଗତକାଲିଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଜାରି ରହିଛି । ଆଗାମୀ ୨୪ ଘଣ୍ଟା ପର୍ୟ୍ୟନ୍ତ ଏଭଳି ବର୍ଷା ଜାରି ରହିବ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବିଶେଷ କରି ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, ସମ୍ବଲପୁର, ଦେବଗଡ଼ ଓ କୋରାପୁଟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ପ୍ରବଳ ବର୍ଷା ଯୋଗୁ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି । ଖୋର୍ଦ୍ଧା ରେଳ ଷ୍ଟେସନରେ ୪ଟି ଟ୍ରେନ୍ ଅଟକି ରହିଛି । ଦୁରନ୍ତ ଏକ୍ସପ୍ରେସ୍, ପ୍ରଶାନ୍ତି ଏକ୍ସପ୍ରେସ୍ ଓ ସାଲିମାର ଏକ୍ସପ୍ରେସ୍ ଖୋର୍ଦ୍ଧା ଷ୍ଟେସନରେ ଅଟକି ରହିଛି ।

କଳାହାଣ୍ଡିର ହାତୀ ନଦୀରେ ବନ୍ୟା । ପ୍ରବଳ ବର୍ଷା ଯୋଗୁଁ ବଢୁଛି ହାତୀ ନଦୀର ଜଳସ୍ତର । ଇନ୍ଦ୍ରାବତୀ ପ୍ରକଳ୍ପ ହାତୀ ବ୍ୟାରେଜର ୫ ଗେଟ୍ ଖୋଲିଛି । ଫଳରେ କଲମପୁର ବ୍ଲକର ବିରିପୁର, ମାଟିଖାଲ, ବାଲିଛଡ଼ା, କର୍ମେଲ ଅଞ୍ଚଳ ବନ୍ୟାଜଳ ଘେରରେ ରହିବା ସହ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ସେହିପରି ଥୁଆମୁଳ ରାମପୁର ବ୍ଲକର ୭ଟି ପଞ୍ଚାୟତ ସିଲେଟ, କେରପାଇ, କିଆପଦର, ତଲଝିପି ଆଦି ପୋଲ ବନ୍ୟା ଜଳରେ ଧୋଇଯିବାରୁ ଯୋଗଯୋଗ ବିଚ୍ଛିନ୍ନ ହୋଇଛି ।

ବଂଶଧାରା ନଦୀରେ ଦ୍ୱିତୀୟ ବନ୍ୟା। ରାୟଗଡ଼ା ଜିଲ୍ଲା ଗୁଣୁପୁର ଏବଂ ଗଜପତି ଜିଲ୍ଲା କାଶୀନଗର ଠାରେ ପୁଣି ବଂଶଧାରା ନଦୀର ଜଳସ୍ତର ବୃଦ୍ଧି ପାଇଛି। କାଶୀନଗର ଠାରେ ଜଳସ୍ତର ଏବେ ୫୩ ଦଶମିକ ୭୪ ମିଟର ରହିଛି । ଏଠାରେ ବିପଦ ସକେତ ୫୪ ଦଶମିକ ୬୦ ମିଟର। ଗଜପତି ଜିଲ୍ଲା ସମେତ ବଂଶଧାରା ଉପରମୁଣ୍ଡରେ ବର୍ଷା ଜାରି ରହିଥିବାରୁ ଜଳସ୍ତର ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି ।

ଘୂର୍ଣ୍ଣିଝଡ଼ରେ ୩୦ରୁ ଉର୍ଦ୍ଧ୍ୱ ଘର ଭାଙ୍ଗିବା ସହ ୪ଜଣ ଆହତ ହୋଇଛନ୍ତି । ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ୍ ଅନ୍ତର୍ଗତ ମହାନଙ୍ଗଳା ଗାଁରେ । ଗତକାଲି ଘୂର୍ଣିଝଡରେ ଘର ଭାଙ୍ଗିବା ସହ ବଡ ବଡ ଗଛ ଭାଙ୍ଗିପଡିଛି । ଏଥିରେ ଗାଁର ୪ଜଣ ମହିଳା ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣ କଟକ ମେଡିକାଲର ଥିବାବେଳେ ୨ଜଣ ପାରାଦୀପରେ ଚିକିତ୍ସିତ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.