କମ୍ପୁଛି ପିପିଲି ମୈଦାନ, ପୁଣି ମହାରଥୀ ବନାମ ଆଶ୍ରିତ

ପିପିଲି (କେନ୍ୟୁଜ) : କମ୍ପିଲାଣି ପିପିଲି ମୈଦାନ । ଆରମ୍ଭ ହେଲାଣି ପ୍ରଚାର । ଗାଁ ଗଣ୍ଡାରେ ବସିଲାଣି ସଭା ସମିତି । ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା ହେବା ପରେ ସରଗରମ ହେଲାଣି ରାଜନୀତି । ପୁଣି ମହାରଥୀ ବନାମ ଆଶ୍ରିତ । ଏଥର ପିପିଲି ଉପନିର୍ବାଚନରେ ଜୁନିଅର ମହାରଥୀଙ୍କ ସାଙ୍ଗରେ ଲଢିବେ ବିଜେପିର ଆଶ୍ରିତ ପଟ୍ଟନାୟକ । ପିପିଲିର ସାତ ଥର ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଆସନ୍ତା ୩୦ ତାରିଖରେ ରୁଦ୍ର ମହାରଥୀ ନାମାଙ୍କନ ଦାଖଲ କରିବେ ।

ବିଜେପିରୁ ଆଶ୍ରିତ ପଟ୍ଟନାୟକ ଗତକାଲି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ୨୦୧୯ ନିର୍ବାଚନରେ ବିଜେଡିର ପ୍ରଦୀପ ମହାରଥୀଙ୍କଠାରୁ ହାରିଥିଲେ ଆଶ୍ରିତ ପଟ୍ଟନାୟକ । ୨୦୧୪ ପିପିଲି ବିଧାନସଭା ଆସନ ନିର୍ବାଚନରେ ବିଜେପିକୁ ମିଳିଥିଲା ୭, ୭୫୬ଭୋଟ୍‌ । ସେତେବେଳେ ଆଶ୍ରିତ ସ୍ୱାଧୀନ ଭାବେ ଲଢ଼ି ପାଇଥିଲେ ୧୮ହଜାର ଭୋଟ । ଗତ ୧୯ ନିର୍ବାଚନରେ ଆଶ୍ରିତ ବିଜେପି ପ୍ରାର୍ଥୀ ହୋଇ ପାଇଥିଲେ ୭୨ହଜାର ୭୩୧ ଭୋଟ । ବିଜେଡିର ପ୍ରଦୀପ ମହାରଥୀ ନିର୍ବାଚନ ଜିତିଥିବା ବେଳେ ପାଇଥିଲେ ୮୮, ୫୧୮ ଭୋଟ । କଂଗ୍ରେସର ଅଜିତ ମଙ୍ଗରାଜଙ୍କୁ ମିଳିଥିଲା ୯ହଜାର ୮୩୦ ଖଣ୍ଡ ଭୋଟ ।

ବିଜୟ ବ୍ୟବଧାନ ଥିଲା ୧୫ହଜାର ୯୩୯ । ୨୦୧୪ ନିର୍ବାଚନ ତୁଳନାରେ ୨୦୧୯ ନିର୍ବାଚନରେ ବିଜେପିର ଭୋଟ୍‌ ପ୍ରାୟ ୧୦ ଗୁଣା ବୃଦ୍ଧି ହୋଇଥିଲା । ପ୍ରଦୀପ ମହାରଥୀଙ୍କ ଅବର୍ତ୍ତମାନରେ ପିପିଲି ଉପନିର୍ବାଚନ ଉଭୟ ବିଜେଡି-ବିଜେପି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ବାପାଙ୍କ ସଫଳତାକୁ କିଭଳି ଦୋହରାଇବେ ପୁଅ ଏବଂ ମହାରଥୀ ଜୁନିଅରଙ୍କୁ କେତେ ଟକ୍କର ଦେବେ ଆଶ୍ରିତ ତାହା ଆଗାମୀ ଦିନରେ ଜଣାପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.