ଆଜି ବି ଲୋକଙ୍କ ଛାତି ଥରାଉଛି ସେଦିନର ସେହି ଲୋମ ଟାଙ୍କୁରା ଘଟଣା, ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ପୋଲିସ୍ ବାହିନୀ

୧୫ ଫେବୃଆରୀ ୨୦୦୮ ମସିହାର ଘଟଣା । ସମୁଦାୟ ନୟାଗଡ଼ ସହରକୁ ଘେରି ଯାଇଥିଲେ ସଶସ୍ତ୍ର ମାଓବାଦୀ । ଦୀର୍ଘ ସମୟ ଧରି ସମୁଦାୟ ଅଞ୍ଚଳକୁ ନିଜ କବଜାରେ ରଖିଲେ । ପୋଲିସ ଅସ୍ତ୍ରାଗାରରୁ ସମସ୍ତ ବନ୍ଧୁକ ଲୁଟିନେଲେ । ସେସବୁକୁ ନେଇ ଦଶପଲ୍ଲା ରାସ୍ତା ଦେଇ ଗଞ୍ଜାମ ଅଭିମୁଖେ ବାହାରିଲେ ।

ଭଞ୍ଜନଗର (କେନ୍ୟୁଜ): ଆଜି ବି ସେଦିନର କଥା ମନେ ପଡ଼ିଲେ ଦେହ ଥରି ଉଠେ । ସେଦିନର ସେହି ଲୋମଟାଙ୍କୁରା ଘଟଣା କଥା ମନେ ପଡ଼ିଲେ ଭୟରେ ଛାତି ଥରିଯାଏ । ଆଜକୁ ଠିକ୍‌ ୧୬ ବର୍ଷ ତଳେ ଘଟିଥିଲା ଏମିତି କିଛି ଯାହା ବିଷୟରେ ଜାଣିଲେ ଆପଣ ବି ଶିହରୀ ଯିବେ । ସମଗ୍ର ଦେଶକୁ ଚହଲାଇ ଦେଇଥିଲା ସେଦିନର ସେହି ସଶସ୍ତ୍ର ମାଓବାଦୀଙ୍କ ଦ୍ବାରା ହୋଇଥିବା ପୋଲିସ୍ ଅସ୍ତ୍ରାଗାର ଲୁଟ୍ ଘଟଣା । କିନ୍ତୁ ପର ଦିନ ସଂପୃକ୍ତ ଘଟଣାର କଡ଼ା ଜବାବ ଦେଇଥିଲେ ଯବାନ ଓ ପୋଲିସ୍ ବାହିନୀ । ମାଓବାଦୀଙ୍କ ସହ ହୋଇଥିଲେ ମୁହାଁମୁହିଁ । ଦୀର୍ଘଦିନ ଧରି ଜାରି ରହିଥିଲା ମାଓ-ଦମନ ଅପରେସନ । ଗଞ୍ଜାମ – କନ୍ଧମାଳ ସୀମାନ୍ତ ଗସମାହା ଗାଁ ନିକଟରେ ଘଟିଥିବା ଏଭଳି ଘଟଣାକୁ ପୁରିଛି ୧୬ ବର୍ଷ ।

୧୫ ଫେବୃଆରୀ ୨୦୦୮ ମସିହାର ଘଟଣା । ସମୁଦାୟ ନୟାଗଡ଼ ସହରକୁ ଘେରି ଯାଇଥିଲେ ସଶସ୍ତ୍ର ମାଓବାଦୀ । ଦୀର୍ଘ ସମୟ ଧରି ସମୁଦାୟ ଅଞ୍ଚଳକୁ ନିଜ କବଜାରେ ରଖିଲେ । ପୋଲିସ ଅସ୍ତ୍ରାଗାରରୁ ସମସ୍ତ ବନ୍ଧୁକ ଲୁଟିନେଲେ । ସେସବୁକୁ ନେଇ ଦଶପଲ୍ଲା ରାସ୍ତା ଦେଇ ଗଞ୍ଜାମ ଅଭିମୁଖେ ବାହାରିଲେ । ରାସ୍ତାରେ ୫ ଟି ଥାନା ସମେତ, ଗାଲେରୀ ଫାଣ୍ଡିକୁ ବିସ୍ଫୋରଣରେ ଉଡ଼ାଇ ଦେଲେ ଶତାଧିକ ମାଓବାଦୀ । ସେଠାରୁ ବାହାରି କନ୍ଧମାଳ – ଗଞ୍ଜାମ ସୀମାନ୍ତ ଗସମାହା ଜଙ୍ଗଲକୁ ଯାଇଥିଲେ ।

ସେଦିନ ପ୍ରାୟ ୩ ଟା ସମୟରେ ଗସମାହା ଜଙ୍ଗଲକୁ ଘେରି ଯାଇଥିଲେ ସଶସ୍ତ୍ର ଯବାନ ଏବଂ ପୋଲିସ ବାହିନୀ । ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଆରମ୍ଭ ହେଲା ଗୁଳି ବିନିମୟ । ୩ ଜଣ ଯବାନ ଶହୀଦ ହେଲେ । ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଲେ ମାଓବାଦୀ । ଦୀର୍ଘଦିନ ଧରି ଗସମାହା ଜଙ୍ଗଲରେ ଚାଲିଲା ମାଓ- ଅପରେସନ୍ । ଥରି ଉଠିଥିଲା ସମୁଦାୟ ଅଞ୍ଚଳ ।

ସେଦିନର ସେହି ଲୋମ-ଟାଙ୍କୁରା ଘଟଣାକୁ ଏଯାଏଁ ଭୁଲି ପାରିନାହାନ୍ତି ପ୍ରତ୍ୟକ୍ଷଦର୍ଶୀ ଏବଂ ସ୍ଥାନୀୟ ଅଞ୍ଚଳବାସୀ । କିନ୍ତୁ ବର୍ତ୍ତମାନ ସମୟରେ ସଂପୃକ୍ତ ଅଞ୍ଚଳରୁ ମାଓବାଦୀ ହଟି ଯାଇଛନ୍ତି । ହେଲେ ଲୋକଙ୍କ ମନରୁ ଭୟ ଯାଇନି । ଘଟଣାକୁ ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ୟ ଦେଶ ତଥା ରାଜ୍ୟର ଏକ ଚର୍ଚ୍ଚିତ ଘଟଣାର ଛାପ ହୋଇ ରହିଯାଇଛି । ସେଦିନର ସେହି ଅପରେସନ୍ ସମୟରେ ଘଟଣା ସ୍ଥଳରୁ ବିପୁଳ ପରିମାଣରେ ଲୁଟ୍‌ ହୋଇଥିବା ଅସ୍ତ୍ରଶସ୍ତ୍ର ଜବତ କରିଥିଲେ ପୋଲିସ୍ ବାହିନୀ ।
ସେହି ସମୟରେ ସଂପୃକ୍ତ ଗସମାହା ଅଞ୍ଚଳରେ ଯାତାୟତ ସୁବିଧା ନଥିବାରୁ ଗସମାହା ଅଞ୍ଚଳକୁ ନିରାପଦ ଆଶ୍ରୟସ୍ଥଳୀ ରୂପେ ବାଛି ନେଇଥିଲେ ମାଓ ସଂଗଠନ । ଏବେ କିନ୍ତୁ ସଂପୃକ୍ତ ଅଞ୍ଚଳର ରୂପ ବଦଳି ଯାଇଛି । ରାସ୍ତାଘାଟର ଉନ୍ନତି ହୋଇଛି । ସଂପୃକ୍ତ ଅଞ୍ଚଳକୁ ଘନଘନ ପଇଁତରା ମାରୁଛି ପୋଲିସ । ସ୍ଥାନୀୟ ଅଞ୍ଚଳବାସୀଙ୍କ ମୌଳିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ସରକାରୀ ଯୋଜନା ସବୁ କାର୍ଯ୍ୟକାରୀ ହୋଇଛି ।

ଗସମାହା ଅପରେସନ୍ ପରେ ବର୍ତ୍ତମାନ ସମୟରେ ଗସମାହା ଏବଂ ଆଖପାଖ ଅଞ୍ଚଳର ଚିତ୍ର ବଦଳିଛି । ଲୋକଙ୍କ ସୁରକ୍ଷା ସହିତ ବିକାଶକୁ ଗୁରୁତ୍ବ ଦେଇଛନ୍ତି ଉଭୟ ପୋଲିସ ଏବଂ ପ୍ରଶାସନ । ଏବେ ମାଓବାଦୀଙ୍କ ଭୟ ନାହିଁ କିମ୍ବା ଗସମାହା ପାହାଡ଼ ତଳେ ଚାଲିଥିବା ମାଓବାଦୀଙ୍କ ବେସ୍-କ୍ୟାମ୍ପ ନାହଁ । କିନ୍ତୁ ସେଦିନର ସେହି ବିସ୍ଫୋରଣରେ ନଷ୍ଟ ହୋଇଥିବା ଗାଲେରୀର ଜରାଜୀର୍ଣ୍ଣ ଫାଣ୍ଡି କୁ ଦେଖିଲେ ସ୍ଥାନୀୟ ଲୋକଙ୍କ ମନରେ ଭୟ ଆସିଯାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.