ଦୀର୍ଘ ୫ ଘଣ୍ଟା ପରିଶ୍ରମ ପରେ ବନ୍ଧକ ରଖିଥିବା ଯୁବକଙ୍କୁ କାବୁ କଲା ପୋଲିସ

ବଲାଙ୍ଗୀର(କେ ନ୍ୟୁଜ):  ବଲାଙ୍ଗୀର ସ୍ଥିତ ଶାନ୍ତିପଡାର ହାଇ ଡ୍ରାମାରେ ପଡିଛି ଭଟ୍ଟା | ବନ୍ଧକ ରଖିଥିବା ଯୁବକକୁ କରାଗଲା କାବୁ । ଦୀର୍ଘ ୫ ଘଣ୍ଟା ପରିଶ୍ରମ କରିବା ପରେ ଯୁବକ ଜଣଙ୍କୁ ପୋଲିସ କାବୁ କରିଥିବା ଜଣାଯାଇଛି । ପ୍ରେମ ବ୍ୟାପାରକୁ ନେଇ ବନ୍ଧୁକଧାରୀ ଯୁବକ ହାଇ ଡ୍ରାମା କରିଥିବା ଜଣାଯାଇଛି । ସମ୍ପୃକ୍ତ ଯୁବକ ଜଣଙ୍କ ବଲାଙ୍ଗୀର ତାଲାପାଲିପଡାର ବିକ୍ରମ ପଣ୍ଡା ବୋଲି ଜଣାଯାଇଛି । ଯୁବକଙ୍କୁ ବୁଝାସୁଝା କରିବା ପାଇଁ ତାର ଚାରି ଜଣ ସାଙ୍ଗ ଉକ୍ତ ସ୍ଥାନକୁ ଯାଇଥିଲେ । ଦୀର୍ଘ ସମୟର ପରିଶ୍ରମ ପରେ ସୁରକ୍ଷିତ ଅବସ୍ଥାରେ କାବୁ କରାଯାଇଛି । କାବୁ କରାଯିବା ପରେ ଯୁବକ ଜଣଙ୍କ ହାତରେ ଧରିଥିବା ବନ୍ଧୁକରେ ଦୁଇ ତିନି ରାଉଣ୍ଡ ଫାୟାରିଂ କରିଥିବା ନେଇ କହିଛନ୍ତି ଏସ୍ପି ।

ସୂଚନା ଅନୁଯାୟୀ  ଶାନ୍ତିପଡ଼ାରେ ଅବସରପ୍ରାପ୍ତ ଶିକ୍ଷକ ମଦନମୋହନ ହୋତାଙ୍କ ଘରେ ଘଟିଥିଲା ଏହି ଦୀର୍ଘ ୫ ଘଣ୍ଟାର ଏହି ହାଇ ଡ୍ରାମା ।  ଆଜି ସକାଳେ ଯୁବକ ଜଣଙ୍କ ମଦନମୋହନଙ୍କ ଘରେ ପଶିଥିଲା । ସେତେବେଳେ ଘରେ ୩ ଜଣ ସଦସ୍ୟ ଥିଲେ । ସମସ୍ତଙ୍କୁ ବନ୍ଧକ ରଖି ଭାଣିଜୀଙ୍କ ବିଷୟରେ ପଚାରିଥିଲା ।

ସେମାନଙ୍କୁ ଗୋଟିଏ ରୁମରେ ବନ୍ଦ କରି ଦେଇଥିବା ବେଳେ ବନ୍ଧୁକଧାରୀ ଘର ଭିତରେ ଅନ୍ୟ ଏକ ରୁମରେ ବସି ରହିଥିଲା । ଏହା ପରେ ବଲାଙ୍ଗୀର ଏସ୍‌ପିଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ ଚଳାଇଥିଲା ଅପରେସନ । ଏସଡିପିଓ ସିଡି ସାହାଯ୍ୟରେ ଝରକା ଦେଇ ଘର ଭିତରେ ପଶିଥିଲେ । ଅଗ୍ନିଶମ ବାହିନୀ କର୍ମଚାରୀ ବି ଘରେ ଭିତରେ ପଶିଥିଲେ ଓ ଘରେ ଥିବା ତିନି ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । ପୋଲିସ କର୍ମଚାରୀ ଘରଟିକୁ ଚାରିପାଖରୁ ଘେରି ରହିଥିଲେ । ପ୍ରେମ ବ୍ୟାପାରକୁ ନେଇ ଯୁବକ ଜଣକ ଏପରି କାଣ୍ଡ ଘଟାଇଥିବା କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.