ଭୁବନେଶ୍ବର(କେନ୍ୟୁଜ୍): ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କ ମାମଲାରେ ଖଣ୍ଡଗିରି ଥାନା ପୋଲିସର ତଦନ୍ତ ଜାରି । ଆଜି ଅର୍ଚ୍ଚନାଙ୍କ ପୁରୁଣା ଭଡ଼ା ଘର ମାଲିକ ପ୍ରମୋଦ ସ୍ୱାଇଁଙ୍କ ବୟାନ ରେକର୍ଡ କରାଯାଇଛି । ସିଆରପିସିର ୧୬୧ ଧାରାରେ ହୋଇଛି ବୟାନ ରେକର୍ଡ । ଅର୍ଚ୍ଚନା ୨୦୧୭ରେ ପ୍ରମୋଦ ସ୍ୱାଇଁଙ୍କ ଜାଗମରା ବିଭବ ଇଷ୍ଟେଟ ଘରେ ୧୧ ମାସ ଭଡ଼ାରେ ଥିଲେ । ପୋଲିସ ପ୍ରମୋଦଙ୍କୁ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ସମ୍ପର୍କରେ ବିସ୍ତୃତ ଭାବରେ ପଚରାଉଚରା କରିଛି । ଅର୍ଚ୍ଚନାଙ୍କ ସହ ଭଡ଼ା ଘରେ କେତେ ଜଣ ରହୁଥିଲେ, କିଏ କିଏ ଆସୁଥିଲେ, କାହିଁକି ଘରୁ ବାହାର କରିଦେଲେ ସେ ସଂପର୍କରେ ପଚରାଉଚରା କରିଛି ପୋଲିସ ।
ଅର୍ଚ୍ଚନାଙ୍କ ଘରକୁ ବହୁତ ଗେଷ୍ଟ ଆସୁଥିଲେ । ଏଥିରେ ପ୍ରମୋଦ ସ୍ୱାଇଁ ଅସନ୍ତୁଷ୍ଟ ଥିଲେ । ହେଲେ ଭଡ଼ା ଘର ଛାଡ଼ିବାକୁ ନାରାଜ ଥିଲେ ଅର୍ଚ୍ଚନା । ଯାହାକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ବୋଲି ଜଣାପଡ଼ିଛି । ପ୍ରମୋଦ ସ୍ୱାଇଁ ହେଉଛନ୍ତି ଜଣେ ବିଲଡର ଓ ଫିଲମ ପ୍ରଯୋଜକ । ଏପଟେ ଯେଉଁ ଯୁବତୀ ଅର୍ଚ୍ଚନାଙ୍କ ନାଁରେ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ ତାଙ୍କର ଆଜି ବୟାନ ରେକର୍ଡ କରାଯାଇଛି। ଖୁବଶୀଘ୍ର ଅକ୍ଷୟ ପରିଜାଙ୍କ ବୟାନ ବି ରେକର୍ଡ କରାଯିବ । ସେହିଭଳି ଆଉ କିଛି ଲୋକଙ୍କୁ ପଚରାଉଚରା କରିବ ପୋଲିସ । ଯାହାର ତାଲିକା ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ଜାମିନ ପାଇଁ ଆବେଦନ କରିଛନ୍ତି ଅର୍ଚ୍ଚନା ନାଗ । ଆସନ୍ତାକାଲି ଭୁବନେଶ୍ୱର SDJM କୋର୍ଟରେ ହାଜର ହୋଇପାରନ୍ତି । ଆଲିସାନ୍ ବଙ୍ଗଳାରେ ଜୀବନ କାଟୁଥିବା ଅର୍ଚ୍ଚନାଙ୍କ ଠିକଣା ଏବେ ଝାରପଡ଼ା ଜେଲ୍ର କାଳ କୋଠରୀ ।