କଣ ରହିଛି ଅଙ୍ଗଦଙ୍କ ହାତ କଟିବାର ପଛର ରହସ୍ୟ, ପୋଲିସ୍‌ର ପ୍ରାଥମିକ ତଦନ୍ତ କହୁଛି ଭିନ୍ନ କଥା

କନ୍ଧମାଳ ଡହଲପଡ଼ିର ଅଙ୍ଗଦ ମଳିକଙ୍କ ପରିବାର ଲୋକେ ଏହି ଅଭିଯୋଗ ଆଣିବା ପରେ ବାଲିଗୁଡ଼ା ପୋଲିସ୍‌ ତଦନ୍ତକୁ ଜୋରଦାର କରିଛି ।

ବାଲିଗୁଡ଼ା (କେନ୍ୟୁଜ୍‌) : ମୁମ୍ବାଇରେ କାମ କରିବାକୁ ଡାକି ନେଇ ହାତ କାଟି ଦେଲେ । କନ୍ଧମାଳ ଡହଲପଡ଼ିର ଅଙ୍ଗଦ ମଳିକଙ୍କ ପରିବାର ଲୋକେ ଏହି ଅଭିଯୋଗ ଆଣିବା ପରେ ବାଲିଗୁଡ଼ା ପୋଲିସ୍‌ ତଦନ୍ତକୁ ଜୋରଦାର କରିଛି । ତେବେ ବର୍ତ୍ତମାନ ହାତ କେମିତି କଟିଲା ତାକୁ ନେଇ ରହସ୍ୟ ସୃଷ୍ଟି ହୋଇଛି । କାରଣ ପୋଲିସ୍‌ ତାର ପ୍ରାଥମିକ ତଦନ୍ତରୁ ଜାଣି ପାରିଛି ଯେ ଅଙ୍ଗଦଙ୍କ ହାତ କେହି କାଟି ନାହାନ୍ତି ଟ୍ରେନ୍‌ ଦୁର୍ଘଟଣାରେ ତାଙ୍କ ହାତ କଟିଛି ।
ଅଙ୍ଗଦଙ୍କ ପରିବାର ଲୋକେ କହିଛନ୍ତି ଯେ ରବି ସାହାଣୀ ନାମକ ଜଣେ ବ୍ୟକ୍ତି ଅଙ୍ଗଦଙ୍କୁ କାମ ପାଇଁ ମୁମ୍ବାଇ ଡାକିଥିଲେ । ସେ ହିଁ ତାଙ୍କୁ ବୋହୋସ କରିବା ପରେ ହାତ ପାପୁଲି କାଟି ଦେଇଛନ୍ତି । ଏ ନେଇ ଅଙ୍ଗଦଙ୍କ ପରିବାର ଲୋକେ ବାଲିଗୁଡ଼ା ଥାନାରେ ଏଫ୍‌ଆଇଆର ଦେଇଛନ୍ତି । ତେବେ ପୋଲିସ୍‌ ରବିଙ୍କୁ ଅଟକ ରଖି ପଚରା ଉଚରା କରିବା ସହ ମୁମ୍ବାଇର କଲ୍ୟାଣ ପୋଲିସ୍‌ ସହିତ ଯୋଗାଯୋଗ କରିବା ପରେ ଘଟଣା ପଛରେ ଅନ୍ୟ କାହାଣୀ ରହିଥିବା କହିଛି । ମୁମ୍ବାଇର କଲ୍ଯାଣ ରେଲୱେ ଷ୍ଟେସନ୍‌ରେ ଏକ ମାମଲା ରୁଜୁ ହୋଇଥିବା ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି l

ବର୍ତ୍ତମାନ କନ୍ଧମାଳ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଏକ ଚାରି ଜଣିଆ ପୋଲିସ୍‌ ଟିମ୍‌ ମୁମ୍ବାଇ ଗସ୍ତରେ ବାହାରିଛନ୍ତି । କଲ୍ୟାଣ ରେଲୱେ ପୋଲିସ ଷ୍ଟେସନ୍‌ରେ ସେମାନେ କେସ ରେକର୍ଡ ଯାଞ୍ଚ କରିବେ । ଏଥିର କଣ ଉଲେଖ ରହିଛି ସେ ନେଇ ମଧ୍ୟ ତନାଘନା କରିବ ଟିମ l
ଏଥିସହ ରେଲୱେ ଷ୍ଟେସନ୍‌ର ସିସିଟିଭି ଫୁଟେଜ ଏବଂ ପାରିପାର୍ଶ୍ୱିକ ସ୍ଥିତିର ମଧ୍ୟ ଯାଞ୍ଚ କରିବ ପୋଲିସ୍‌ । ଏହା ପରେ ହିଁ ଜଣାପଡ଼ିବ କି କିଏ, କାହିଁକି, କେଉଁ ପରିସ୍ଥିତିରେ ଓ କେଉଁଠି ହାତ କାଟିଲା ନା ଟ୍ରେନ ଦୁର୍ଘଟଣାରେ ଅଙ୍ଗଦଙ୍କ ହାତ କଟିଛି ସେ ନେଇ ସ୍ପଷ୍ଟ ସୂଚନା ମିଳିବ ବୋଲି କହିଛନ୍ତି ବାଲିଗୁଡା ଥାନା ଅଧିକାରୀ l ସେପଟେ ପରିବାର ଆଣିଥିବା ଅଭିଯୋଗ ଅନୁଯାୟୀ ମୁମ୍ବାଇ ନେଇଥିବା ରବି ସାହାଣୀକୁ ଅଟକ ରଖି ପଚରା ଉଚରା ଚଳାଇଛି ବାଲିଗୁଡା ପୋଲିସ l ରବି ସାହାଣୀକୁ ଜେରା ପରେ ଆଉ କିଛି ତଥ୍ୟ ପ୍ରକାଶ କରିଛନ୍ତି ରବି ସାହାଣୀ l ତାଙ୍କ କହିବା ଅନୁଯାୟୀ, ମୁମ୍ବାଇ ପହଞ୍ଚିବା ପରେ ଲୋକାଲ ଟ୍ରେନ ଓ ପରେ ବସ୍‌ରେ ଅଙ୍ଗଦଙ୍କୁ ସେ ସାଥୀରେ ନେଇଥିଲେ । ତେବେ ଅଙ୍ଗଦଙ୍କ ମାନସିକ ସ୍ଥିତି ଭଲ ନଥିଲା । ସେ ଏଣେତେଣେ ଧାଉଁଥିଲେ । ଏଭଳି ଭାବେ ସେ ଅଚାନକ କୁଆଡ଼େ ପଳାଇଗଲେ । ବହୁ ଖୋଜାଖୋଜି ପରେ ମଧ୍ୟ ସନ୍ଧାନ ନ ମିଳିବାରୁ କଲ୍ଯାଣ ରେଲୱେ ପୋଲିସ ଷ୍ଟେସନ୍‌ରେ ଅଙ୍ଗଦ ନିଖୋଜ ଅଭିଯୋଗ କରିଥିଲେ । ଏହା ସହିତ ପରିବାର ଲୋକଙ୍କୁ ମଧ୍ୟ ଜଣାଇ ଥିବା ରବି ପୋଲିସ୍‌କୁ କହିଛନ୍ତି l ତେବେ ରେଲୱେ ପୋଲିସ ଅଙ୍ଗଦକୁ ଉଦ୍ଧାର କରି ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ହସ୍ତାନ୍ତର କରିଥିଲେ ବୋଲି ବାଲିଗୁଡ଼ା ପୋଲିସ୍‌ ଅନୁସନ୍ଧାନରୁ ଜାଣିବାକୁ ପାଇଛି l
ପୂର୍ବରୁ ମଧ୍ୟ ଅଙ୍ଗଦ ଦୁଇଥର ରବି ସାହାଣୀଙ୍କ ସହ ମୁମ୍ବାଇ ଯାଇ କାମ କରିଥିବା ପୋଲିସକୁ ଜେରା ବେଳେ କହିଛନ୍ତି ରବି । ତେବେ ପରିବାର ଲୋକଙ୍କ ଭିନ୍ନ ପ୍ରକାର ଅଭିଯୋଗ ମାମଲାକୁ ରହସ୍ୟ ଭିତରକୁ ଠେଲି ଦେଇଛି ।

ଅପରପକ୍ଷେ ସେ ରବି ସହ ମୁମ୍ବାଇରେ କୌଣସି ବି ଲୋକାଲ ଟ୍ରେନ ଓ ବସ୍‌ରେ ଯାଇ ନଥିବା ଅଙ୍ଗଦ କହିଛନ୍ତି l ସେପଟେ ରବି ହିଁ ଅଙ୍ଗଦ ମଳିକଙ୍କ ହାତ କଟିବା ଘଟଣାରେ ଦାୟୀ ବୋଲି କହିଛନ୍ତି ଅଙ୍ଗଦଙ୍କ ଭାଇ ରତ୍ନାକର ମଳିକ । ଦୁଇ ହାତ କଟିବା ପରେ ଅତ୍ୟନ୍ତ ଭାଙ୍ଗି ପଡିଛନ୍ତି ଅଙ୍ଗଦଙ୍କ ପରିବାର ଲୋକେ । ପୂର୍ବରୁ ଅଙ୍ଗଦଙ୍କୁ ତାଙ୍କ ସ୍ତ୍ରୀ ଛାଡି ପଳାଇଥିବା ବେଳେ ତାଙ୍କର ଗୋଟିଏ ଚାରି ବର୍ଷର ପୁଅ ଅଛି l ଏହା ସହିତ ଅଙ୍ଗଦଙ୍କ ପରିବାରର ଆର୍ଥିକ ସ୍ଥିତି ମଧ୍ୟ ଭଲ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.