ପରକୀୟା ପ୍ରୀତିରୁ ବୀଭତ୍ସ କାଣ୍ଡ: ବାଲେଶ୍ୱରରେ ହତ୍ଯା କଲେ, ଭଦ୍ରକରେ କଟା ମୁଣ୍ଡ ଫୋପାଡ଼ି ଦେଇଗଲେ

ଚାନ୍ଦବାଲି(କେନ୍ୟୁଜ୍): ଗତ ୧୨ ତାରିଖ ଶନିବାର ବାଲେଶ୍ୱର ସଦର ଥାନା ଅଞ୍ଚଳରୁ ଜଣେ ଯୁବକର ମୁଣ୍ଡ ବିହୀନ ଗଳିତ ଶବ ଉଦ୍ଧାର କରିଥିଲା ପୋଲିସ । ଆଉ ଏହି ଗଳିତ ଶବର କଟା ମୁଣ୍ଡକୁ ଗତକାଲି ବାଲେଶ୍ୱର ପୋଲିସ ଭଦ୍ରକ ଜିଲ୍ଲା ଛତାବର ନିକଟସ୍ଥ ଏକ ଡ୍ରେନରୁ ଜବତ କରିଛି । ତେବେ ଏହା ଏକ ହତ୍ଯା ବୋଲି ତଦନ୍ତରୁ ସ୍ଫଷ୍ଟ ହେବା ପରେ ବାଲେଶ୍ୱର ପୋଲିସ ହତ୍ଯାରେ ସମ୍ପୃକ୍ତ ଥିବା ୨ଜଣ ସ୍ୱାମୀ ଓ ସ୍ତ୍ରୀକୁ ଗିରଫ କରିଛି ।

ଘଟଣା ପ୍ରକାରେ ନୟାଗଡ ଜିଲ୍ଲାର ଯୁବକ ଶ୍ରୀଧର ଦଳ ବେହେରା, ଫକୀର ନାୟକ ଓ ତାଙ୍କ ପତ୍ନୀ ସୁମିତ୍ରା ନାୟକ କିଛି ମାସ ହେଲା ବାଲେଶ୍ୱର ସଦର ଥାନା ଖାନନଗର ଅଂଚଳରେ ରହି ବସୁଧା ପ୍ରକଳ୍ପରେ କାମ କରୁଥିଲେ । ଏହି ସମୟରେ ଶ୍ରୀଧର ଓ ସୁମିତ୍ରାଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହି ପ୍ରେମ ସମ୍ପର୍କ ବିଷୟରେ ସୁମିତ୍ରାଙ୍କ ସ୍ୱାମୀ ଜାଣିବା ପରେ ନିଜ ସ୍ତ୍ରୀକୁ ବାଲେଶ୍ୱରରେ ଛାଡି ସ୍ୱାମୀ ଫକୀର ଗାଁକୁ ପଳାଇଯାଇଥିଲା ।

ପାଖାପାଖି ଗୋଟେ ସପ୍ତାହ ଶ୍ରୀଧର ଓ ସୁମିତ୍ରା ସାଙ୍ଗରେ ରହିବା ପରେ କୈାଣସି କାରଣରୁ ଉଭୟଙ୍କ ଭିତରେ ଝଗଡା ହୋଇଥିଲା । ଶ୍ରୀଧର ସୁମିତ୍ରାଙ୍କୁ ମାରଧର କରିଥିଲେ । ତେବେ ସୁମିତ୍ରା ଏହି ରାଗରେ ଶ୍ରୀଧର ଶୋଇଥିବା ବେଳେ ଏକ ଟାଙ୍ଗିଆରେ ଚୋଟ ମାରି ଶରୀରୁ ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲା । ଏକଥା ନିଜ ସ୍ୱାମୀଙ୍କୁ କହିବା ପରେ ସେହି କଟା ମୁଣ୍ଡକୁ ସ୍ୱାମୀ ଓ ସ୍ତ୍ରୀ ମିଶି ଏକ ଜରି ଅଖାରେ ପୁରାଇ ଘରକୁ ଯିବା ବାଟରେ ଭଦ୍ରକ ଛତାବର ନିକଟରେ ଏକ ଡ୍ରେନରେ ପକାଇ ପଳାଇଥିଲେ । ପୋଲିସ ଘଟଣାର ତଦନ୍ତ କରି କଟା ମୁଣ୍ଡକୁ ଜବତ କରିବା ସହ ଏହି ହତ୍ଯାକାଣ୍ଡର ଦୁଇ ଅଭିଯୁକ୍ତ ଫକୀର ନାୟକ ଓ ତାଙ୍କ ସ୍ତ୍ରୀକୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.