ମମିତା ନିଖୋଜ ମିଷ୍ଟ୍ରି: ସତ ଓଗାଳିଲା ମୁଖ୍ୟ ଅଭିଯୁକ୍ତ, ରାଜ୍ୟ ମହିଳା କମିଶନଙ୍କ ରିପୋର୍ଟ ତଲବ

ବଲାଙ୍ଗୀର/ ଧର୍ମଗଡ(କେ ନ୍ୟୁଜ): ମମିତା, ନିଖୋଜ ମିଷ୍ଟ୍ରିରେ ବଡ଼ ଖୁଲାସା । ବହୁଚର୍ଚ୍ଚିତ କଳାହାଣ୍ଡି ମହାଲିଙ୍ଗ ସନସାଇନ୍‌ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ମାମଲାର ଖୁବଶୀଘ୍ର ହେବ ପର୍ଦ୍ଦାଫାସ । ପୋଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ସୁରାକ । ସତ ମାନିଛି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ତାକୁ ଗତକାଲି ରାତି ସାରା ଜେରା କରିଥିଲା ବଲାଙ୍ଗିର ପୋଲିସ । ଏତିକିବେଳେ ମମିତାଙ୍କ ନିଖୋଜର ପୂରା ଘଟଣା ସେ କହିଥିବା ସୂଚନା ମିଳିଛି।

ଗୋବିନ୍ଦ ସାହୁର ଅଟକ ୩ ସହଯୋଗୀଙ୍କୁ ବି ମାରାଥନ୍‌ ଜେରା ହୋଇଥିଲା । ଚାରି ଜଣଙ୍କୁ ମୁହାଁମୁହିଁ ଜେରା କରିଥିଲା ପୋଲିସ । ଅନ୍ୟ ୩ ଜଣ ହେଲେ ମହାଲିଙ୍କ ଖେଳ ପଡ଼ିଆର ନିର୍ମାଣ କାମରେ ନିୟୋଜିତ ଜେବିସି ଡ୍ରାଇଭର, ରାତି ଜଗୁଆଳି ଓ କଲେଜ ଅଧ୍ୟକ୍ଷ । ୪ ଜଣଙ୍କୁ ପଚରାଉଚରା ବେଳେ ପୋଲିସ ହାତରେ ବହୁ ସୁରାକ ଓ ତଥ୍ୟ ପ୍ରମାଣ ଲାଗିଛି । ମମିତା ନିଖୋଜ ହେବା ଓ ମହାଲିଙ୍କ ଖେଳ ପଡ଼ିଆରୁ ଗୋଟିଏ ମୃତଦେହର ଅଂଶ ମିଳିବା ଘଟଣାରେ ଗୋବିନ୍ଦ ଗୋଟି ଗୋଟି ସତ କହିଛି । ଉଦ୍ଧାର ହୋଇଥିବା ମୃତଦେହ କାହାର ? କେମିତି ମାଟିତଳେ ପୋତାଯାଇଥିଲା ? ମାଟି ତଳେ ମୃତଦେହ ପୋତିବାରେ କେଉଁମାନେ ସହଯୋଗ କରିଛନ୍ତି ? ଏମିତି ଅନେକ ପ୍ରଶ୍ନର ଉତ୍ତର ପୋଲିସକୁ ଦେଇଛି ଗୋବିନ୍ଦ ।

ଏଥିସହ ତା ମୁହଁରୁ ନିଜ କଳା କାରନାମାର ସତ ଉଗାରିଛି ପୋଲିସ । ସେମାନଙ୍କ ପାଖରୁ ମିଳିଥିବା ତଥ୍ୟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନେବ ବଲାଙ୍ଗିର ଓ କଳାହାଣ୍ଡି ପୋଲିସ । ଏବେ ପୋଲିସର ବିଧିବଦ୍ଧ ସୂଚନାକୁ ଅପେକ୍ଷା ରହିଛି । ଡିଏନଏ ଟେଷ୍ଟ ରିପୋର୍ଟ ଆସିଲେ ମମିତାଙ୍କ ନିଖୋଜ ମିଷ୍ଟ୍ରି ଉପରୁ ପରଦା ହଟିବ । ୮ ତାରିଖରୁ ନିଖୋଜ ଅଛନ୍ତି ମମିତା । ଗତକାଲି ଷ୍ଟାଡିୟମର ଖୋଳି ଗୋଟିଏ ମୃତଦେହର ଅଂଶ ବିଷୟ, ସୁନା ଚେନ୍‌, ପାଇଁଜି ଓ ଭ୍ୟାନିଟି ବ୍ୟାଗ୍‌ ପୋଲିସ ପାଇବା ପରେ ମମିତା ନିଖୋଜ ମିଷ୍ଟ୍ରିରେ ଆସିଥିଲା ନୂଆ ଟ୍ଵିଷ୍ଟ । ପରେ ଫେରାର୍‌ ଗୋବିନ୍ଦ ସାହୁକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଅଧିକ ତଥ୍ୟ ହାସଲ ପାଇଁ ପୋଲିସ ଗୋବିନ୍ଦକୁ ରିମାଣ୍ଡରେ ନେଇପାରେ ।

ଏପଟେ ମମିତା ମେହେର ନିଖୋଜ ମିଷ୍ଟ୍ରିରେ ରିପୋର୍ଟ ତଲବ କଲେ ରାଜ୍ୟ ମହିଳା କମିଶନ । ୧୫ ଦିନ ଭିତରେ ବଲାଙ୍ଗିର ଓ କଳାହାଣ୍ଡି ଏସିଙ୍କୁ ରିପୋର୍ଟ ମାଗିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା । ଘଟଣାକୁ ତୀବ୍ର ନିନ୍ଦା କରିବା ସହ ସବୁ ଦିଗକୁ ନେଇ ତଦନ୍ତ ହେବ ବୋଲି କହିଛନ୍ତି ମୀନତି ବେହେରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.