କିଟ୍‍ ଓ କିସ୍‍ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର

୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ନିର୍ମାଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯେଉଁ ଲକ୍ଷ୍ୟ ରହିଛି ସେଥିରେ ଯୁବଗୋଷ୍ଠୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର କହିଛନ୍ତି ।

ଭୁବନେଶ୍ୱର : ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ନିର୍ମାଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯେଉଁ ଲକ୍ଷ୍ୟ ରହିଛି ସେଥିରେ ଯୁବଗୋଷ୍ଠୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର କହିଛନ୍ତି । ଆଜି କିଟ୍‍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ନଲେଜ୍‍ ଟ୍ରି ବକ୍ତୃତାମାଳାରେ ବକ୍ତୃତା ପ୍ରଦାନ କରି ଶ୍ରୀ ମିଶ୍ର କହିଲେ କିଟ୍‍ ଓ କିସ୍‍ ପରିଦର୍ଶନ ମୋତେ ଅନନ୍ୟ ଅଭିଜ୍ଞତା ପ୍ରଦାନ କରିଛି । ଭାରତର ଅଭିବୃଦ୍ଧିରେ ଯୁବଗୋଷ୍ଠୀ ବିଶେଷ କରି ଛାତ୍ରଛାତ୍ରୀ ଓ ଉଚ୍ଚଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଥିଲେ ।

ଏ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ମହତ୍ୱପୂର୍ଣ୍ଣ ଯୋଗଦାନ ରହିବା ଆବଶ୍ୟକ । ବିଜ୍ଞାନ ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ଭାରତ ସମଗ୍ର ବିଶ୍ୱରେ ଚିନ୍ତାନାୟକ ଭାବେ ଉଭା ହେବାକୁ ଯାଉଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ଗବେଷଣା ଉପରେ ଗୁରୁତ୍ୱ ଦେଇଆସୁଛନ୍ତି । ବିଭିନ୍ନ କ୍ଷେତ୍ରରେ ଗବେଷଣା ନିମନ୍ତେ ଭାରତ ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ଅର୍ଥ ବ୍ୟୟ ବରାଦ କରାଯାଇଛି । ଉଚ୍ଚ ଶିକ୍ଷଣ ସଂସ୍ଥାନ ଓ ଗବେଷଣା ଅନୁଷ୍ଠାନଗୁଡିକ ଏହାର ଫାଇଦା ନେବା ଆବଶ୍ୟକ ବୋଲି ସେ କହିଥିଲେ । ନୂତନ ଜ୍ଞାନ କୌଶଳ କ୍ଷେତ୍ରରେ ଶିକ୍ଷାନୁଷ୍ଠାନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଗବେଷଣା କ୍ଷେତ୍ରରେ ପୂର୍ବ ଭାରତ ଏକ ପ୍ରମୁଖ ହବ୍‍ ପାଲଟିବାକୁ ଯାଉଛି ।

ଏ କ୍ଷେତ୍ରରେ କିଟ୍‍ ଶିକ୍ଷାନୁଷ୍ଠାନ ସମୂହ ଏକ ଭଲ ସ୍ଥାନରେ ରହିଛି ବୋଲି ସେ କହିଥିଲେ । ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ଶ୍ରୀ ମିଶ୍ର କହିଲେ ଛାତ୍ରଛାତ୍ରୀମାନେ ଜ୍ଞାନ ଆହରଣ ସହ ନିଜର ସାମଗ୍ରିକ ବିକାଶ ପ୍ରତି ଦୃଷ୍ଟିଦେବା ଆବଶ୍ୟକ । ଏକ ସମୃଦ୍ଧ ଭାରତ ଗଠନ ନିମନ୍ତେ ସମାଜ ପ୍ରତି ଛାତ୍ରଛାତ୍ରୀଙ୍କ କେତେ ପରିମାଣର ଯୋଗଦାନ ରହୁଛି ସେଥିପ୍ରତି ଧ୍ୟାନ ଦେବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ୍‍ ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ପୂର୍ବରୁ ସେ କିସ୍‍ ପରିଦର୍ଶନ କରି କିସ୍‍ ୪୦ ହଜାର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.