ପୁରୀରେ ହାଜତ ମୃତ୍ୟୁ ଅଭିଯୋଗ ଘଟଣା: NHRC ଗାଇଡଲାଇନ ଅନୁଯାୟୀ ହେବ ତଦନ୍ତ

ପୁରୀ: ପୁରୀରେ ହାଜତ ମୃତ୍ୟୁ ଅଭିଯୋଗ ଘଟଣାର NHRC ଗାଇଡଲାଇନ ଅନୁଯାୟୀ ହେବ ତଦନ୍ତ। ଟିମ୍‌ ଅଫ୍‌ ଡାକ୍ତର ଦ୍ୱାରା ମୃତଦେହ ବ୍ୟବଛେଦ, ଫଟୋଗ୍ରାଫି ଓ ଭିଡିଓଗ୍ରାଫି କରାଯିବ। ଗତକାଲି ବାସେଳିସାହି ଥାନା ହାଜତରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ମୃତ ଯୁବକ ବଳିଆପଣ୍ଡା ଅଞ୍ଚଳର କେ. ରମେଶ। ତେବେ ହାଜତରେ ନୁହେଁ ରମେଶକୁ ପୋଲିସ ଧରିବାକୁ ଗଲାବେଳେ ଧସ୍ତାଧସ୍ତିରେ ମୃତ୍ୟୁ ହୋଇଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଏସ୍‌ପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି।

ନିକଟରେ ତାଳଚେର ଜେଲରୁ ଜାମିନରେ ଆସିବା ପରେ ଗତକାଲି ଡକାୟତି ପାଇଁ ଉଦ୍ୟମ କରିଥିଲା। ଖବର ପାଇ ପୋଲିସ ତାକୁ ଧରିବାବେଳେ ଧସ୍ତାଧସ୍ତି ହୋଇଥିଲା। ଧସ୍ତାଧସ୍ତି ବେଳେ ଗୁରୁତର ହୋଇପଡିଥିଲା ରମେଶ। ତାକୁ ଡାକ୍ତରଖାନା ନେବା ବାଟରେ ମୃତ୍ୟୁ ହୋଇଥିଲା । ଏହାକୁ ହାଜତ ମୃତ୍ୟୁ ଘଟଣା ଭାବେ ଗ୍ରହଣ କରାଯାଇଛି। ହାଜତ ମୃତ୍ୟୁ ନେଇ ଥାନାରେ ମାମଲା ରୁଜୁ ହୋଇଥିବା ଏସ୍‌ପି ସୂଚନା ଦେଇଛନ୍ତି।

ଜଣେ ଅତିରିକ୍ତ ଏସ୍‌ପି ଓ ଡିଏସ୍‌ପିଙ୍କ ଦ୍ୱାରା ଘଟଣାର ତଦନ୍ତ କରାଯିବ। ଏହାକୁ ଏକ ସମ୍ବେଦନଶୀଳ ମାମଲା ଭାବେ ପୋଲିସ ଗ୍ରହଣ କରିଛି। ସେପଟେ ଏହି ଘଟଣାରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଗରେ ଉତ୍ତେଜନା ଦେଖାଦେଇଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ୩ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି। ମୃତ ରମେଶଙ୍କ ବାପା, ମାଆ ଓ ଦାଦାଙ୍କୁ ଘରୁ ଉଠାଇ ଆଣି ଥାନାରେ ଅଟକ ରଖାଯାଇଥିବା ଅଭିଯୋଗ ହୋଇଛି। ଜିଲ୍ଲା ଓକିଲ ସଂଘ ପକ୍ଷରୁ ଘଟଣାର ତୀବ୍ର ନିନ୍ଦା କରାଯାଇଛି।

Leave A Reply

Your email address will not be published.