ଅବହେଳିତ ଭଦ୍ରକ ଓ ପାରାଦୀପ ସାମୁଦ୍ରିକ ଥାନା, ଜଳପଥରେ ହୋଇପାରେ ଆତଙ୍କବାଦୀଙ୍କ ଆକ୍ରମଣ

ଭଦ୍ରକ ଜିଲ୍ଲାର ଧାମରା ସାମୁଦ୍ରିକ ଥାନା। ଆଖପାଖ ଅଞ୍ଚଳରେ ଅବଦୁଲକଲାମ କ୍ଷେପଣାସ୍ତ୍ର ଘାଟି ଓ ଅଦାନୀ ପୋର୍ଟ । ଏଠାରୁ ଦୈନିକ ଶହଶହ ବୋଟ୍‌ ସମୁଦ୍ର ଭିତରକୁ ମାଛ ମାରିବାକୁ ଯାଆନ୍ତି । ସୁରକ୍ଷା ଦୃଷ୍ଟିରୁ ସମ୍ବେଦନଶୀଳ ଅଂଚଳ । କିନ୍ତୁ ଥାନାରେ କର୍ମଚାରୀ ମରୁଡି । ଶତ୍ରୁଙ୍କୁ ମୁକାବିଲା କରିବାକୁ ଥାନାରେ ବନ୍ଧୁକଟଟିଏ ମଧ୍ୟ ନାହିଁ । ଥାନାରେ ଜଣେ ଆଇଆଇସି, ୬ ଜଣ ଏସ୍‌ଆଇଙ୍କ ସହ ମୋଟ ୧୦୬ ଜଣ କର୍ମଚାରୀ ରହିବା କଥା । ଆଇଆଇସି କି ସବ୍‌ ଇନ୍‌ସ୍ପେକ୍ଟର ନାହାନ୍ତି । ଅଛନ୍ତି ଜଣେ ଏସ୍‌ଆଇଙ୍କ ସହ ମାତ୍ର ୭ କର୍ମଚାରୀ। ତଟ ସୁରକ୍ଷା ପାଟ୍ରୋଲିଂ ପାଇଁ ମିଳିଥିଲା ୩ଟି ବୋଟ୍‌। ଗୋଟିଏ ମରାମତି ପାଇଁ ପଡି ରହିଛି । ଅନ୍ୟ ଏକ ବୋଟକୁ ସରକାର ଅନ୍ୟତ୍ର ନେଇ ଯାଇଛନ୍ତି । ଗୋଟିଏ ବୋଟରେ ଚାଲିଛି ଥାନା।

ଜଳପଥରେ ଆତଙ୍କବାଦୀଙ୍କ ଆକ୍ରମଣକୁ ଦୃଷ୍ଟିରେ ରଖି ପାରାଦୀପ ବନ୍ଦରରେ ମଧ୍ୟ ଜାରି ହୋଇଛି ହାଇ ଆଲର୍ଟ। ବନ୍ଦର ଆଖପାଖ ଅଞ୍ଚଳରେ ରହିଛି ପିପିଏଲ, ଇଫକୋ, ଆଇଓସିଏଲ, ଏସାର ଭଳି ବଡ଼ ବଡ଼ ଶିଳ୍ପାନୁଷ୍ଠାନ। ଏହାସହ ୪ରୁ ଅଧିକ ତେଲ ଡିପୋ ମଧ୍ୟ କାର୍ଯ୍ୟ କରୁଛି । ହେଲେ ଏଠାରେ ଥିବା ଦୁଇଟି ସାମୁଦ୍ରିକ ଥାନା ପାରାଦୀପ ଓ ଜଟାଧାରୀମୁହାଣରେ କର୍ମଚାରୀ ଅଭାବ ଥିବାରୁ ପାରାଦୀପ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । ପାରାଦୀପ ସାମୁଦ୍ରିକ ଥାନାରେ ରହିବା କଥା ୭୬ କର୍ମଚାରୀ ଓ ଅଧିକାରୀ। ଅଛନ୍ତି ମାତ୍ର ୯ ଜଣ। ସେହିପରି ଜଟାଧାରୀ ମୁହାଣରେ ୨୬ କର୍ମଚାରୀଙ୍କ ମଧ୍ୟରେ ଅଛନ୍ତି ୮ଜଣ। କର୍ମଚାରୀଙ୍କ ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ନାହିଁ।