ପୁରୀ ଶ୍ରୀମନ୍ଦିରରେ ଡ୍ରୋନ୍‌ ଉଡିବା ଘଟଣା: ଡିଜିସିଏ ଓ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ହାଇକୋର୍ଟଙ୍କ ନୋଟିସ

କଟକ(କେନ୍ୟୁଜ୍): ପୁରୀ ଶ୍ରୀମନ୍ଦିରରେ ଡ୍ରୋନ୍‌ ଉଡିବା ଘଟଣାରେ ଅଭିଯୁକ୍ତ ଅନିମେଶ ଚକ୍ରବର୍ତ୍ତୀଙ୍କ ନାଁରେ ରୁଜୁ ମାମଲା ଖାରଜ ପାଇଁ ହାଇକୋର୍ଟରେ ଦାୟର ମାମଲାରେ ଜବାବ ରଖିବାକୁ ଡିଜିସିଏ ଓ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ । ବିଚାରପତି ଜଷ୍ଟିସ ଶଶୀକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସନ୍ତା ୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । ସେଦିନ ଡିଜିସିଏ ଓ ପୁରୀ ଶ୍ରୀମନ୍ଦିର ପ୍ରଶାସନ ନିଜର ପକ୍ଷ ରଖିବେ । ପଶ୍ଚିମବଙ୍ଗର ପର୍ଯ୍ୟଟକ ଡ଼ିଜିସିଏ ଅନୁମତି ନେଇ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ଚିତ୍ର ଉତ୍ତୋଳନ କରିଛନ୍ତି ।

ସେପ୍ଟେମ୍ବର ମାସରେ ଆବେଦନକାରୀ ଡ୍ରୋନ୍‌ ଉଡାଇ ଚିତ୍ର ଉତ୍ତୋଳନ କରିଥିବା ବେଳେ ନଭେମ୍ବର ମାସରେ ତାହାକୁ ସୋସିଆଲ ମେଡିଆରେ ଛାଡିଥିଲେ । ଏହାପରେ ଶ୍ରୀମନ୍ଦିରରେ ଡ୍ରୋନ୍‌ ଉଡାଣ ବେଆଇନ ବୋଲି ବିଭିନ୍ନ ବ୍ୟକ୍ତି ବିଶେଷ ମତ ରଖିବା ପରେ ସେହି ଚିତ୍ରକୁ ସାମାଜିକ ଗଣମାଧ୍ୟମରୁ ଅପସାରଣ କରିଥିଲେ । ଏହା ସହିତ ସାମାଜିକ ଗଣମାଧ୍ୟମରେ କ୍ଷମାପ୍ରାର୍ଥନା ମଧ୍ୟ କରିଥିଲେ । କିନ୍ତୁ ପୁରୀ ସିଂହଦ୍ୱାର ଥାନାରେ ଏ ସମ୍ପର୍କିତ ଏକ କେସ ଗତ ଡିସେମ୍ବର ୪ ତାରିଖରେ ରୁଜୁ ହେବା ସହିତ ସିଆରପିସିର ୪୧ ଧାରା ଅନୁଯାୟୀ ଅନିମେଶ ଚକ୍ରବର୍ତ୍ତୀଙ୍କୁ ନୋଟିସ ଜାରି କରିଛି ପୁରୀ ପୋଲିସ ।

ପୁରୀ ପୋଲିସ ପକ୍ଷରୁ ଏଭଳି ମାମଲା ବେଆଇନ ବୋଲି ହାଇକୋର୍ଟରେ ଦର୍ଶାଇଛନ୍ତି ଆବେଦନକାରୀ । ଏହି ମାମଲାରେ ସେ ରାଜ୍ୟ ସରକାର, ଡ଼ିଜିସିଏ, ଶ୍ରୀମନ୍ଦିର ପ୍ରଶାସନ ଓ ସିଂହଦ୍ୱାର ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରିଛନ୍ତି । ଏହା ସହିତ ଆବେଦନକାରୀ ଅନିମେଶ ଚକ୍ରବର୍ତ୍ତୀ ଏହି ମାମଲାରେ ଓଡିଶା ହାଇକୋର୍ଟରେ ଅନ୍ୟ ଏକ ଆଗୁଆ ଜାମିନ ଆବେଦନ କରିଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.