ଉଦାରତାର ପରିଚୟ ଦେଲେ ପୌରପାଳିକା କର୍ମଚାରୀ, ଫେରାଇଲେ ପାଇଥିବା ୧୦ ହଜାର ଟଙ୍କା

ପୁରୀ: ଭଲ ମଣିଷ ଭଲ କାମ କରନ୍ତି । ନିଜ ବିବେକର କଥା ଶୁଣନ୍ତି ।ଏମିତି ଜଣେ ବ୍ୟକ୍ତି ଏଟିଏମ କାଉଣ୍ଟରରୁ ୧୦ ହଜାର ଟଙ୍କା ପାଇ ଫେରାଇଛନ୍ତି । ସେ ହେଉଛନ୍ତି ପୁରୀ ପୌରପାଳିକାର କର୍ମଚାରୀ ରାଜେନ୍ଦ୍ର ନାୟକ। ଗତକାଲି ଅପରାହ୍ନରେ ସେ ଅଠରନଳା ନିକଟ ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ ଏଟିଏମ କାଉଣ୍ଟରକୁ ଯାଇଥିଲେ। ଏଟିଏମ ମେସିନରରୁ ୧୦ ହଜାର ଟଙ୍କା ବାହାରି ପଡ଼ିଥିବା ଦେଖିଲେ । ଏହାପରେ ରାଜେନ୍ଦ୍ର ଟଙ୍କା ସଂଗ୍ରହ କରିବା ସହ ମୁହଁରୁ ମାସ୍କ ଖୋଲି ଏଟିଏମ କାଉଣ୍ଟରରେ ଥିବା ସିସିଟିଭି କ୍ଯାମେରାରେ ନିଜକୁ ଦେଖାଇଥିଲେ । ତା ସହିତ ଏଟିଏମ୍‌ରୁ ବାହାରିଥିବା ଟଙ୍କାକୁ ମଧ୍ୟ ଦେଖାଇଥିଲେ ।

ପରେ ସେ ପରିମଳ ବିଭାଗ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଖବର ଦେଇଥିଲେ। ଗଣମାଧ୍ୟମ ପ୍ରତିନିଧିଙ୍କ ମାଧ୍ୟମରେ ଷ୍ଟେଟ ବ୍ଯାଙ୍କ ମୁଖ୍ଯ ଶାଖା ସହ ଯୋଗାଯୋଗ କରାଯାଇଥିଲା। ତେଣୁ ରାଜେନ୍ଦ୍ର ମୁଖ୍ଯ ଶାଖାକୁ ଯାଇଥିଲେ। ବ୍ଯାଙ୍କ ପକ୍ଷରୁ ଗତକାଲି ସେହି ସମୟର ସିସିଟିଭି ଫୁଟେଜ ଓ ଟଙ୍କା ଉଠାଇଥିବା ବ୍ଯକ୍ତିଙ୍କ ସମ୍ପର୍କରେ ଯାଞ୍ଚ କରାଯାଇଥିଲା । ସେହି ବ୍ୟକ୍ତିଙ୍କ ସହ ଯୋଗାଯୋଗ କରି ତାଙ୍କୁ ୧୦ ହଜାର ଟଙ୍କା ଫେରାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.