ରୁଷ ସାଂସଦ ପାଭେଲଙ୍କ ଶବ ଦାହ ବିବାଦ: ହାତରେ ଲାଗିଲା ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ, ଶେଷକୃତ୍ୟ ପାଇଁ ମିଳିଥିଲା ଏନଓସି

ରାୟଗଡ଼ା(କେନ୍ୟୁଜ):ରାୟଗଡ଼ାରେ ରୁଷ୍‌ର କୋଟିପତି ସାଂସଦ ତଥା ପୁଟିନଙ୍କ ସମାଲୋଚକ ପାଭେଲ ଆଣ୍ଟୋଭ୍‌ଙ୍କ ମୃତ୍ୟୁ ରହସ୍ୟର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ତଦନ୍ତ ଭିତରେ ତାଙ୍କର ଶବ ଦାହକୁ ନେଇ ବିବାଦ ଦେଖାଦେଇଥିଲା । ପାଭେଲଙ୍କ ଶହ କାହିଁକି ପୋଡ଼ାଗଲା ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ କଳିଙ୍ଗ ଟିଭି/କେନ୍ୟୁଜ୍ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ।

ପାଭେଲଙ୍କ ଶେଷକୃତ୍ୟ କରିବା ପାଇଁ ପାଓ୍ଵାର ଅଫ ଆଟର୍ଣ୍ଣି ସହ NOC ଦେଇଥିଲେ ପାଭେଲଙ୍କ ଝିଅ ଆନା ଆଣ୍ଟୋଭା। କୋଲକାତା ସ୍ଥିତ ରୁଷ କନସୁଲେଟ୍‌ ଜେନେରାଲଙ୍କ ଅଫିସ ପାଭେଲଙ୍କ ଝିଅ ଦେଇଥିବା ଏନ୍‌ଓସି ରାୟଗଡ଼ା ଏସ୍‌ପିଙ୍କ ପାଖକୁ ପଠାଇଥିଲା ।

ଯେଉଁଥିରେ ପାଭେଲଙ୍କ ଝିଅ ଆନ୍ନା ଆଣ୍ଟୋଭ ନିଜ ପରିଚୟପତ୍ର ଓ ପାସପୋର୍ଟ ବି ସଂଲଗ୍ନ କରିଥିଲେ । ଯେଉଁଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥିଲା ଯେ ଏହାକୁ ପୋଷ୍ଟମର୍ଟମ ପାଇଁ ନୋ ଅବଜେକସନ୍‌ ସାର୍ଟିଫିକେଟ୍‌ ଭାବରେ ଧରିବାକୁ ପଡ଼ିବ । ଏହି ପାଓ୍ଵାର ଅଫ୍‌ ଆଟର୍ଣ୍ଣି ବଳରେ ରୁଷ କନସୁଲେଟ୍‌ ଜେନେରାଲ୍‌ ରାୟଗଡ଼ା ପୋଲିସକୁ ଜଣାଇଥିଲେ କି ମୃତଦେହର ଅନ୍ତିମ ସଂସ୍କାର କରିବା ସହ ଚିତାଭସ୍ମ ଋଷିଆ ପଠାଇବା ପାଇଁ ବ୍ୟବସ୍ଥା କରାଯିବ ।

ଏହି ଅନୁସାରେ ରାୟଗଡ଼ା ପୋଲିସ ପ୍ରଶାସନ ପଦକ୍ଷେପ ନେଇଥିଲା । ପାଭେଲଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ଆନ୍ନା ଆଣ୍ଟୋଭାଙ୍କ ଦେଇଥିବା ପାଓ୍ଵାର ଅଫ୍‌ ଆଟର୍ଣ୍ଣି ଓ କୋଲକାତା ସ୍ଥିତ ରୁଷ କନସୁଲେଟ୍‌ ଜେନେରାଲଙ୍କ ଚିଠିରୁ ଏକଥା ସ୍ପଷ୍ଟ ହୋଇଥିଲା ଯେ ପାଭେଲଙ୍କ ଶବ ଦାହ କରିବାକୁ କୁହାଯାଇଥିଲା । ତେଣୁ ପାଭେଲଙ୍କ ମୃତଦେହକୁ ରାୟଗଡ଼ାରେ ଦାହ କରାଯିବା ନେଇ ଉଠିଥିବା ପ୍ରଶ୍ନ ଉପରେ ପୂର୍ଣ୍ଣଛେଦ ପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.