ଜାନୁଆରୀରେ ଦେଶରେ ବଢିପାରେ କରୋନା ସଂକ୍ରମଣ, ଆସନ୍ତା ୪୦ ଦିନ ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ: ଜାନୁଆରୀରେ ଦେଶରେ ବଢିପାରେ କରୋନା ସଂକ୍ରମଣ । ତେଣୁ ଆସନ୍ତା ୪୦ ଦିନ ଗୁରୁତ୍ୱପୂର୍ଣ୍ଣ । ପୂର୍ବ ଲହରରୁ ଅନୁମାନ କରାଯାଉଛି, ଆସନ୍ତା ଜାନୁଆରୀ ମଧ୍ୟ ଭାଗରୁ ଦେଶରେ ସଂକ୍ରମଣ ବଢି ପାରେ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ଏହି ସୂଚନା ଆସିଛି। ପୂର୍ବ ଏସିଆରେ କୋଭିଡ୍‌ ଲହର ଆସିବାର ୩୦-୩୫ ଦିନ ପରେ ଭାରତରେ ପ୍ରଭାବ ଦେଖାଦେଇଛି। ତେଣୁ ଜାନୁଆରୀ ମଧ୍ୟ ଭାଗରୁ ଭାରତର ସଂକ୍ରମଣ ବଢିବା ଆଶଙ୍କା କରାଯାଉଛି।

କିନ୍ତୁ ସଂକ୍ରମଣ ବଢିଲେ ମଧ୍ୟ ଅଧିକ ଗୁରୁତର ଅସୁସ୍ଥ ସଂଖ୍ୟା କମ ରହିବ। ମୃତ୍ୟୁ ଓ ହସ୍ପିଟାଲାଇଜେସନ କମ ରହିବ ବୋଲି ଅନୁମାନ କରାଯାଉଛି। ଦେଶରେ ମାତ୍ର ୩ ଦିନ ମଧ୍ୟରେ ୩୯ ଅନ୍ତର୍ଜାତୀୟ ଯାତ୍ରୀ କରୋନା ସଂକ୍ରମିତ ଥିବା ଜଣାପଡିଛି । ଡିସେମ୍ବର ୨୪, ୨୫ ଓ ୨୬ରେ ମୋଟ ୪୯୮ ଅନ୍ତର୍ଜାତୀୟ ବିମାନରେ ୬ ହଜାରରୁ ଅଧିକ ଯାତ୍ରୀଙ୍କ ନମୁନା ପରୀକ୍ଷା କରାଯାଇଛି । ସେମାନଙ୍କ ମଧ୍ୟରୁ ୩୯ ଜଣଙ୍କ ନମୁନା ପଜିଟିଭ ଆସିଛି ।

ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଦିଲ୍ଲୀ ବିମାନ ବନ୍ଦର ପହଞ୍ଚି ସ୍ଥିତି ସମୀକ୍ଷା କରିବେ । ଦେଶରେ ଏଯାଏ ୨୦୦ ପ୍ରକାର କରୋନା ପ୍ରଜାତି ଚିହ୍ନଟ ହେଲାଣି । ଚୀନରେ ଆତଙ୍କ ଖେଳାଇଥିବା ବିଏଫ-୭ ପ୍ରଜାତି ଭାରତରେ ଚିହ୍ନଟ ହୋଇଛି ।

ଏପଟେ ଚୀନରେ କରୋନା ପରିସ୍ଥିତି ଅଣାୟତ୍ତ ପରେ ଏହା ଉପରେ କଡା ନଜର ରଖିଛି ଆମେରିକା । ଏଣିକି ଚୀନ ଫେରନ୍ତା ଯାତ୍ରୀଙ୍କ ପାଇଁ କୋଭିଡ ଟେଷ୍ଟ ବାଧ୍ୟତାମୂଳକ ହେବ । ଏ ନେଇ ଆମେରିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚୀନରେ କରୋନା ବଢିବା ପରେ ଭାରତ, ଇଟାଲୀ, ଜାପାନ ଓ ତାଇଓ୍ଵାନ ଭଳି ଦେଶ କୋଭିଡ ଟେଷ୍ଟକୁ କଡାକଡି କରିଛନ୍ତି । ଏହାକୁ ନଜରରେ ରଖି ଆମେରିକା ଚୀନ ଫେରନ୍ତା ଯାତ୍ରୀଙ୍କ ପାଇଁ କୋଭିଡ ଟେଷ୍ଟ ବାଧ୍ୟ କରିବ । ସୂଚନା ଅନୁସାରେ ଜାନୁଆରୀ ୫ ତାରିଖରୁ ୨ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟ ହେବ । ଚୀନ, ହଂକଂରୁ ଆମେରିକାରୁ ଆସୁଥିବା ଯାତ୍ରୀ ନେଗେଟିଭ ରିପୋର୍ଟ ଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.