ଚାଷ ଓ ଚାଷୀଙ୍କୁ ନେଇ ରାହୁଲଙ୍କ ଲୋଭନୀୟ ଅଫର, ଓଡ଼ିଶାରେ କଂଗ୍ରେସ ସରକାର ଆସିଲେ ଛାଡ଼ ହେବ କୃଷିଋଣ

ଭୁବନେଶ୍ବର : କଂଗ୍ରେସ ଫୋକସରେ ଚାଷୀ। ଚାଷ ଓ ଚାଷୀଙ୍କୁ ନେଇ ରାହୁଲଙ୍କ ଲୋଭନୀୟ ଅଫର। ଓଡ଼ିଶାରେ କଂଗ୍ରେସ ସରକାର ଆସିଲେ ଛାଡ଼ ହେବ କୃଷିଋଣ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ହେବ ୨୬ଶହ ଟଙ୍କା। ଚାଷୀ ପ୍ରସଙ୍ଗ ନେଇ ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶ ନିର୍ବାଚନରେ ସଫଳତା ପାଇବା ପରେ ଏବେ ଓଡ଼ିଶାରେ ସେହି ଫର୍ମୁଲା ଆପଣାଇବାକୁ ପ୍ରୟାସ କରିଛି କଂଗ୍ରେସ। ଆଗାମୀ ନିର୍ବାଚନରେ ରାହୁଲଙ୍କ ପ୍ରତିଶ୍ରୁତିର କେତେ ପ୍ରଭାବ ପଡ଼ିବ ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା। ଦଳୀୟ ନେତା କହିଛନ୍ତି, ରାହୁଲଙ୍କ କ୍ରେଜ୍‌ ଏବେ ଓଡ଼ିଶାରେ ଦେଖିବାକୁ ମିଳୁଛି।

ସେପଟେ ବିଜେଡି କହିଛି, ରାହୁଲଙ୍କ ପ୍ରତିଶ୍ରୁତିର କୌଣସି ପ୍ରଭାବ କାଳିଆ ଯୋଜନା ଉପରେ ପଡ଼ିବ ନାହିଁ। କାଳିଆ ଯୋଜନା ଏବେ ସାରା ଦେଶରେ ଚାଷୀଙ୍କ ପାଇଁ ନୂଆ ରାସ୍ତା ଦେଖାଇଛି। ସବୁ ମହଲରେ କାଳିଆ ଯୋଜନାକୁ ପ୍ରଶଂସା କରାଯାଉଛି। ପୂର୍ବରୁ ରାଜ୍ୟ ଓ କେନ୍ଦ୍ରରେ କଂଗ୍ରେସ ସରକାରରେ ରହିଛି। କିନ୍ତୁ ଚାଷୀଙ୍କ କଥା ମନେପଡ଼ିନି। ଏବେ କେବଳ ନିର୍ବାଚନୀ ମାହୋଲ ବନାଇବା ପାଇଁ ଲୋକଙ୍କୁ ଭ୍ରମିତ କରିବାକୁ କଂଗ୍ରେସ ଚେଷ୍ଟା କରୁଥିବା ବିଜେଡି କହିଛି।

୧୫ ଦିନ ଭିତରେ ଦୁଇ ଥର ଓଡ଼ିଶା ଗସ୍ତରେ ଆସିଲେଣି ରାହୁଲ ଗାନ୍ଧୀ। ଏହାକୁ ନେଇ ଦଳୀୟ ମହଲରେ ବେଶ ଉତ୍ସାହ। ସେପଟେ ଜଣକ ପରେ ଜଣେ କଂଗ୍ରେସ ନେତା ଦଳ ଛାଡ଼ିବା ଏବେ ଦଳ ପାଇଁ ଚିନ୍ତା ବଢାଇ ଦେଇଛି। ନବ, ଯୋଗେଶଙ୍କ ପରେ କଂଗ୍ରେସକୁ ବାଏ ବାଏ କରିବା ତାଲିକାରେ କାହା ନାଁ ଯୋଡ଼ି ହେବ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

Leave A Reply

Your email address will not be published.