Below header

ରାଜ୍ୟର ବିଭିନ୍ନ ଅଞ୍ଚଳରେ ଧୁମ୍‌ଧାମ୍‌ରେ ରାମନବମୀ ପାଳିତ

ଶ୍ରୀମନ୍ଦିରରେ ରାମ ଜନ୍ମ ନୀତି

ପୁରୀ : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଶ୍ରୀରାମଙ୍କ ଜନ୍ମନୀତି । ମଧ୍ୟାହ୍ନ ଧୂପ ପରେ ଶ୍ରୀରାମଙ୍କ ଜନ୍ମନୀତି ସମ୍ପାଦନ କରାଯାଉଛି । ଜୟ ବିଜୟ ଦ୍ୱାର ବନ୍ଦ କରାଯାଇ ସେବାୟତମାନେ ଏହି ନୀତି ସମ୍ପାଦନ କରୁଛନ୍ତି । ଫଳରେ ୪ ଘଣ୍ଟା ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ସାଧାରଣ ଦର୍ଶନ। ତେବେ ଆଜିଠାରୁ ଶ୍ରୀମନ୍ଦିରରେ ସାହି ଯାତର ମଧ୍ୟ ଆୟୋଜନ ହେଉଛି । ଶ୍ରୀକ୍ଷେତ୍ରର ବିଭିନ୍ନ ଆଖଡ଼ା ମଣ୍ଡଳ ପକ୍ଷରୁ ଶ୍ରୀରାମ ଲୀଳା ପ୍ରଦର୍ଶନ କରାଯିବ । କାଳିକା ଦେବୀ ସାହି ପକ୍ଷରୁ ରାମ ଜନ୍ମନୀତି ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି।

ଭଦ୍ରକରେ ଶ୍ରୀରାମ ମହାଯଜ୍ଞ

ଭଦ୍ରକ : ଆଜି ପବିତ୍ର ଶ୍ରୀରାମ ନବମୀ । ଉତ୍ସବମୁଖର ଭଦ୍ରକ ସହର । ଆଜି ଭଦ୍ରକ ସହରର ଗାନ୍ଧୀ ପଡିଆଠାରେ ଚାଲିଛି ଶ୍ରୀରାମ ମହାଯଜ୍ଞ । ସନ୍ଧ୍ୟାରେ ବିଶାଳ ନଗର ସଙ୍କୀର୍ତ୍ତନ ଶୋଭାଯାତ୍ରା ବାହାରି ପରିକ୍ରମା କରୁଛି । ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ୬୨ଟି ମେଢ଼ ।

ମଧୁକେଶ୍ୱର ମନ୍ଦିରରେ ୨୫ତମ ବାର୍ଷିକ ଉତ୍ସବ

ଯାଜପୁର : ସେହିପରି ଯାଜପୁର ଜିଲ୍ଲା ଚଣ୍ଡୀଖୋଲ ନିକଟବର୍ତ୍ତୀ କଣ୍ଟିଗଡ଼ିଆ ଠାରେ ମଧ୍ୟ ବେଶ୍‌ ଧୁମ୍‌ଧାମ୍‌ରେ ରାମ ନବମୀ ପାଳିତ ହୋଇଛି । ଏଠାକାର ମଧୁକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆଜି ଭକ୍ତଙ୍କ ଭିଡ଼ ଲାଗିଛି । ରାମଚରିତ ମାନସ, ନବାନ୍ନ ପାରାୟଣ ଏବଂ ଶ୍ରୀରାମ ଲୀଳାର ଆୟୋଜନ କରାଯାଇଛି । ପଣ୍ଡିତ ବିଜୟ କୁମାର କରଙ୍କ ତତ୍ତ୍ୱାବଧାନରେ ବିଶିଷ୍ଟ ପ୍ରବକ୍ତା ଏବଂ ସାଧୁସନ୍ଥମାନେ ଏଥିରେ ଯୋଗ ଦେଇଛନ୍ତି । ଏଥର ୨୫ତମ ବାର୍ଷିକ ଉତ୍ସବ ଅବସରରେ ପ୍ରତି ସନ୍ଧ୍ୟାରେ ମନ୍ଦିର ପ୍ରାଙ୍ଗଣରେ ବିଭିନ୍ନ ଭଜନ କୀର୍ତ୍ତନ ଆଦିର ମଧ୍ୟ ପରିବେଷଣ କରାଯାଇଛି ।

chandikhole

ସିଦ୍ଧେଶ୍ୱର ପୀଠରେ ଅଶୋକାଷ୍ଟମୀ

ଯାଜପୁର ଟାଉନ୍‌ : ଯାଜପୁରର ସିଦ୍ଧେଶ୍ୱର ପୀଠରେ ପାଳିତ ହୋଇଯାଇଛି ଅଶୋକାଷ୍ଟମୀ ଯାତ୍ରା। ବିଶ୍ୱାସ ରହିଛି ପବିତ୍ର ଅଶୋକାଷ୍ଟମୀରେ ବାବାଙ୍କୁ ଦର୍ଶନ କଲେ ପୁଣ୍ୟ ମିଳିଥାଏ । ଏହି ଅବସରରେ ଆଖପାଖ ଅଂଚଳର ଶହ ଶହ ଶ୍ରଦ୍ଧାଳୁ ବାବା ସିଦ୍ଧେଶ୍ୱରଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଏଥିସହିତ ଏଠାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରି ପବିତ୍ର ବୈତରଣୀ ନଦୀରେ ବୁଡ ପକାଇଲେ ମୋକ୍ଷ ପ୍ରାପ୍ତି ହେବାର ବିଶ୍ୱାସ ରହିଛି । ଅଶୋକାଷ୍ଟମୀ ଠାରୁ ସାତ ଦିନ ଧରି ଏଠାରେ ଏକ ମେଳା ଆୟୋଜନ କରାଯାଇଥାଏ ।

sidheswar

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି

କଟକ (କେନ୍ଯୁଜ୍) :କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ବର ର ପ୍ରସିଦ୍ଧ ଶ୍ରୀ ରଘୁନାଥ ଜୀଉ ମନ୍ଦିରରେ ସକାଳୁ ସକାଳୁ ପ୍ରଭୁ ଶ୍ରୀ ରଘୁନାଥ ଙ୍କ ସମସ୍ତ ନୀତି କାନ୍ତି ସହ ରାମ ଜନ୍ମ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ରଘୁନାଥ ଜନ୍ମ ଉତ୍ସବ ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗିରହିଛି। ଭିଡ଼ କୁ ପରିଲକ୍ଷିତ କରି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁ ଙ୍କ ଦର୍ଶନ ପାଇଁ ବ୍ୟାରିକେଟ୍ ର ବ୍ୟବସ୍ଥା କରାଯାଇଛି। ଏଠାରେ ପ୍ରଭୁ ଭକ୍ତ ମାନଙ୍କର ମନବାଞ୍ଛା ପୂରଣ ପାଇଁ ପ୍ରଭୁ ନିକଟରେ ବାଣ ମନାସି ଥାଆନ୍ତି ଓ ବାଣ ଫୁଟାଇ ଥାଆନ୍ତି। ଆଜି ଠାରୁ ଶ୍ରୀରଘୁନାଥଙ୍କ ଯାତ୍ରା ୯ ଦିନ ବ୍ୟାପୀ ଚାଲିବ ।

nichitakoili

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.