ଅଧାରେ ଅଟକିଲା ଦର୍ପଦଳଣ ଏବଂ ନନ୍ଦିଘୋଷ ରଥ, ଆଜି ସକାଳ ୯ରୁ ପୁଣି ଥରେ ଆରମ୍ଭ ହେବ ରଥଟଣା

ପୁରୀ ଶରଧାବାଲିରେ ପହଞ୍ଚି ପାରିଲାନି ତିନି ରଥ । ନିର୍ଦ୍ଧାରିତ ସମୟର ଗୋଟିଏ ଘଣ୍ଟା ଆଗରୁ ରଥ ଟଣା ଯାଇଥିଲେ ହେଁ ତାଳଧ୍ଵଜକୁ ବାଦ୍ ଦେଲେ ଦର୍ପଦଳନ ଏବଂ ନନ୍ଦିଘୋଷ ରଥ ଅଧାରେ ଅଟକିଛି।  ଏଣୁ ଆଜି ସକାଳ ୯ରୁ ପୁଣି ରଥଟଣା ଆରମ୍ଭ ହେବ।

ପୁରୀ (କେନ୍ୟୁଜ): ନବଦିନାତ୍ମକ ରଥଯାତ୍ରାରେ ଶ୍ରୀଜିଉ । ଭାଇ ଭଉଣୀଙ୍କୁ ଧରି ଜନ୍ମବେଦୀ ଅଭିମୁଖେ ଯାଇଛନ୍ତି କାଳିଆ ଠାକୁର । ପତିତଜନଙ୍କୁ ଉଦ୍ଧାରିବା ପାଇଁ ବଡ଼ଦେଉଳରୁ ବାହାରି ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଭାବ ଭକ୍ତିରେ ଭିଜିଥିଲା ଶ୍ରୀକ୍ଷେତ୍ର । ବଡ଼ଦାଣ୍ଡରୁ ଶରଧାବାଲି ଲହଡ଼ି ଭାଙ୍ଗୁଥିଲା ଜନସମୁଦ୍ର । ଖରା ଓ ତାତି ସତ୍ତ୍ୱେ ଭକ୍ତଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ମହାଆନନ୍ଦରେ ତିନି ରଥକୁ ଟାଣି ନେଇଥିଲେ ଭକ୍ତ । ଘଣ୍ଟଘଣ୍ଟା ଓ ହରିବୋଳ ହୁଳହୁଳୁରେ କମ୍ପୁଥିଲା ଗଗନପବନ । ଭକ୍ତଙ୍କ ଗହଣରେ ଝୁଲି ଝୁଲି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାଇଥିଲେ କାଳିଆ ଠାକୁର । ସନ୍ଧ୍ୟା ପରେ ଅର୍ଥାତ୍ ରାତି ୮ଟା ଯାଏ ରଥଟଣାଯିବା ପରେ ବି ମହାପ୍ରଭୁଙ୍କ ନନ୍ଦିଘୋଷ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିପାରିନାହାନ୍ତି। ବଳଗଣ୍ଡି ଛକ ମାଉସୀ ମା’ଙ୍କ ମନ୍ଦିର ଆଗରେ ନନ୍ଦିଘୋଷ ଓ ବଡ଼ଶଙ୍ଖ ନିକଟରେ ଦର୍ପଦଳନ ରଥ ଅଟକିଛନ୍ତି। ତେବେ ଆଜି ବଡ଼ଠାକୁରଙ୍କ ତାଳଧ୍ବଜ ରଥ ଶରଧାବାଲିରେ ପହଞ୍ଚିଛି।

ସେପଟେ ବହୁ ବର୍ଷର ବ୍ୟବଧାନ ପରେ ତିନି ରଥ ଶରଧାବାଲିରେ ପହଞ୍ଚିପାରିନି। ଏଣୁ ଆଜି ସକାଳୁ ପୁଣି ରଥଟଣା ଆରମ୍ଭ ହେବ। ଏ ସମ୍ପର୍କରେ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ଆମେ ସକାଳ ୯ଟାରୁ ରଥ ଟାଣିବାକୁ ଲକ୍ଷ୍ୟ ରଖିଛୁ। ସେହି ଅନୁସାରେ ଆମେ ପ୍ରସ୍ତୁତି ଆରମ୍ଭ କରିଛୁ। ସେବକ ଓ ଅନ୍ୟମାନଙ୍କ ସହ ଆଲୋଚନା କରିଛୁ ବୋଲି ଶ୍ରୀ ବର୍ମା କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.