Below header

ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ, ଜଗନ୍ନାଥଙ୍କୁ ଅପେକ୍ଷା କରିଛି ଭକତ

ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ, ଜଗନ୍ନାଥଙ୍କୁ ଅପେକ୍ଷା କରିଛି ଭକତ । ଅର୍ଥାତ ଜଗତର ନାଥ ଜଗନ୍ନାଥଙ୍କୁ କୋଳରେ ଧରିବା ପାଇଁ ରଥ ପ୍ରସ୍ତୁତ, ସ୍ୱାଗତ କରିବା ପାଇଁ ପଥ ପ୍ରସ୍ତୁତ ଆଉ ଯାତ୍ରା କରିବା ପାଇଁ ଜଗନ୍ନାଥ ବି ପ୍ରସ୍ତୁତ | ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ବଡଦାଣ୍ଡକୁ ଓଲ୍ହାଇବେ ମହାପ୍ରଭୁ | ଅତି ମନୋରମ ବେଶରେ ସେବାୟତଙ୍କ ମେଳରେ ଢଳି ଢ଼ଳି ଆସିବେ କାଳିଆ ସାଆନ୍ତ । ସତରେ କି ବିମୋହିତ ଦୃଶ୍ୟ ସେ  । ଯାହାକୁ ବର୍ଷେ ହେବ ଚାତକ ପରି ଅନାଇ ବସିଛନ୍ତି ବିଶ୍ୱବାସୀ । ଏହି ଯାତ୍ରା ସମୟରେ ହିଁ ତ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ମହାପ୍ରଭୁଙ୍କ ସାନିଧ୍ୟ ମିଳେ । ଭକ୍ତର ଭଗବାନଙ୍କୁ ମନ ପୁରାଇ ଦେଖିପାରନ୍ତି ସମସ୍ତେ  । ମାଉସି ଘରକୁ ଯିବେ ବିଶ୍ୱକର୍ତ୍ତା । କର୍ମକ୍ଷେତ୍ରରୁ ଜନ୍ମବେଦୀକୁ ଯିବେ କାଳିଆ ସାଆନ୍ତ | କିନ୍ତୁ ଗଲା ଥର ପରି ଚଳିତ ଥର ବି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ବ୍ୟାରିକେଡ଼ ପରି ଛିଡା ହୋଇଛି ମହାମାରୀ କରୋନା । ପୂର୍ବ ନିର୍ଦ୍ଧାରିତ କଟକଣା ଅନୁଯାୟୀ କଟକଣା ମଧ୍ୟରେ ପାଳନ ହେବ ରଥଯାତ୍ରା । ମହାପ୍ରଭୁଙ୍କୁ ସ୍ୱାଗତ କରିବା ପାଇଁ ସମସ୍ତେ ପ୍ରସ୍ତୁତ ।

ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନଙ୍କ ସହ ପୋଲିସ ପର୍ଯ୍ୟନ୍ତ ସମସ୍ତେ ତତ୍ପର । ମହାପ୍ରଭୁଙ୍କ ଯାତ୍ରା କେମିତି ସୁରୁଖୁରୁରେ ସମାପନ ହେବ ସେ ନେଇ ଜୋରସୋର ଚାଲିଛି ପ୍ରସ୍ତୁତି | ସେପଟେ ମହାପ୍ରଭୁଙ୍କ ସେବାୟତ ମାନେ ମହାପ୍ରଭୁଙ୍କୁ ନିଜ ହାତରେ ସାଉଁଟି ଆଣିବା ପାଇଁ ବ୍ୟସ୍ତ ହୋଇପଡିଲେଣି । କରୋନା ନେଇ ଲାଗିଥିବା କଟକଣା କାରଣରୁ ନିଜ ନିଜ ଘରେ ରହି ହିଁ ରଥଯାତ୍ରା ଦେଖିବାକୁ ଅନୁରୋଧ କରିଛନ୍ତି ପ୍ରଶାସନ । କରୋନା ସିନା ଭକ୍ତ ମାନଙ୍କୁ ବଡ଼ଦାଣ୍ଡ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବାରେ ବାରଣ ସୃଷ୍ଟି କରିଛି କିନ୍ତୁ ଜଗନ୍ନାଥଙ୍କ ଯାତ୍ରାରେ ତ ବାଧକ ସାଜି ପାରି ନାହିଁ । ଟିଭି ପରଦାରେ ହେଉ ପଛକେ ମହାପ୍ରଭୁଙ୍କ ଚକା ଆଖିକୁ ତ ଟିକେ ଦେଖିହେବ | ଏହି ମାନସ ଚକ୍ଷୁଯୁଗାଳକୁ ଟିକେ ସାନିଧ୍ୟ ମିଳିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.