ସ୍ୱାସ୍ଥ୍ୟ ସେବାରେ ଚରମ ଅବହେଳାର ନଗ୍ନ ଉଦାହରଣ, ନର୍ସ ଇଂଜେକ୍‌ସନ ଦେବା ବେଳେ ଦେହରେ ରହିଲା ଭଙ୍ଗା ଛୁଞ୍ଚି

ଆଠମଲ୍ଲିକ(କେନ୍ୟୁଜ୍): ସ୍ୱାସ୍ଥ୍ୟ ସେବାରେ ଚରମ ଅବହେଳାର ନଗ୍ନ ଉଦାହରଣ। ନର୍ସ ଇଂଜେକ୍‌ସନ ଦେବା ବେଳେ ଛୁଞ୍ଚି ଭାଙ୍ଗି ପିଲାର ଦେହରେ ରହିବା ନେଇ ସାଂଘାତିକ ଅଭିଯୋଗ ଆସିଛି। ଏଭଳି ଘଟଣା ଘଟିଛି ଆଠମଲ୍ଲିକ ବ୍ଲକ ମାଧପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ। ମୋହନଖଳି ଗାଁର ସୀତାକାନ୍ତ ପଣ୍ଡାଙ୍କ ୩ବର୍ଷର ପୁଅ ସ୍ୱୟଂଜିତକୁ ଥଣ୍ଡାଜ୍ୱର ହେବା ପରେ ତାଙ୍କୁ ମାଧପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇଥିଲେ। ସେଠାରେ ନର୍ସ ପୁନମ ହାସିଦୀ ସ୍ୱୟଂଜିତଙ୍କ ଅଣ୍ଟାରେ ଏକ ଇଂଜେକ୍‌ସନ ଦେଇଥିଲେ। ତେବେ କିଛି ଦିନ ପରେ ସେହି ସ୍ଥାନ ଦରଜ ହେବା ସହ ଅସହ୍ୟ ଯନ୍ତ୍ରଣା ହେବା ପରେ ପୁଅକୁ ପୁଣି ଡାକ୍ତରଙ୍କୁ ଦେଖାଇଥିଲେ। ତେବେ ଡାକ୍ତର ମଧ୍ୟ ଖାମଖିଆଲି ଭାବେ ଆଣ୍ଟିବାୟୋଟିକ ଇଂଜେକ୍‌ସନ ପାଇଁ ଦରଜ ହୋଇଥିବା କହିଥିଲେ। ତେବେ ଆଜି ସକାଳେ ଇଂଜେକ୍‌ସନ ଛୁଞ୍ଚିର ଏକ ଭଙ୍ଗା ଅଂଶ ଦେହରୁ ବାହାରି ପଡ଼ିଥିବା ଦେଖାଯାଇଛି। ଏହା ପରେ ପିଲାକୁ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପିଲାଟିର ଅବସ୍ଥା ଗୁରୁତର ଥିବା ପରିବାର ବର୍ଗ କହିଛନ୍ତି।