ଦୁର୍ନୀତିମୁକ୍ତ ହେବ ପରିବହନ ବିଭାଗ ଓ ମେଡିକାଲ ପରିସର, କଣ ସତରେ ?

କେନ୍ଦ୍ର ହେଉ କି ରାଜ୍ୟ ଏବେ ଆମ ଦୁଇ ସରକାର ପୂରା ଦମ୍‌ରେ ଲାଗିଛନ୍ତି ଦୁର୍ନୀତିମୁକ୍ତ ସମାଜ ଗଠନ କରିବାରେ । ଟ୍ରାଫିକ୍‌ ମାଡ଼ ପରେ ଏବେ ବାହାରିଛନ୍ତି ଡାକ୍ତରଖାନା ଓ ପରିବହନ କାର୍ଯ୍ୟାଳୟକୁ ସ୍ୱଚ୍ଛ କରିବା ପାଇଁ । ଡାକ୍ତରଖାନାରୁ ବେଶ୍‌ କେତେଜଣ ଦଲାଲଙ୍କୁ ଧରି ସାରିଲେଣି । ଏପଟେ ଆରଟିଓ ଅଫିସ୍‌ରୁ ଦଲାଲ୍‌ ଛୁ ମାରିଛନ୍ତି ।
ଏକଥା ସମସ୍ତେ ଜାଣନ୍ତି ଯେ ଆରଟିଓ କାର୍ଯ୍ୟାଳୟରେ କିଭଳି ଭାବେ ଦଲାଲଙ୍କ ଦୌରାତ୍ମ୍ୟ ଥିଲା । ଯଦି ପ୍ରକୃତରେ ପୋଲିସ୍‌ ଏଥିପ୍ରତି ପୂର୍ବରୁ ଧ୍ୟାନ ଦେଇଥାନ୍ତା ତେବେ ଏହା ଏକ ପରମ୍ପରାରେ ପରିଣତ ହୋଇନଥାନ୍ତା । ଆମ ସାଧାରଣ ଲୋକ ଗଲେ ସେଠି ସହଜରେ କାମ ହୁଏନାହିଁ । ତେଣୁ ଦଲାଲଙ୍କୁ ଧରିବାକୁ ପଡ଼େ । ଯଦି ଗୋଟିଏ ଦିନ ବି ଆରଟିଓ ଅଧିକାରୀମାନେ କହିଥାନ୍ତେ ଯେ ଦଲାଲଙ୍କ ଜରିଆରେ ନୁହେଁ, ସିଧାସଳଖ ଆସି ଆମ ପାଖରେ କାମ ସାରି ଯାଅ ତେବେବି ଲୋକେ ଏତେ ହଇରାଣ ହୋଇନଥାନ୍ତେ । ଏଥିରେ ଯେତିକି ଦୋଷ ପୋଲିସ୍‌ ପରିବହନ ବିଭାଗ ଅଧିକାରୀଙ୍କର ଥିଲା ସେତିକି ପରିମାଣରେ ଦୋଷ ଥିଲା ଆମମାନଙ୍କର । କାରଣ ଆମେ ସହଜରେ କାମ କରାଇନେବା ଆଳରେ ସେମାନଙ୍କୁ ବରଦାସ୍ତ କରୁଥିଲୁ । ଆଉ ବାହାରେ କହୁଥିଲୁ ‘ମୋର ଭଲ ଚିହ୍ନା ଅଛନ୍ତି କାମ ହୋଇଯିବ। କାମ ଯଦି କରିବ ତେବେ ଦଲାଲ କିଛି ନେଲେ ଆପତ୍ତି କଣ ? ହାତଗୋଡ଼ ତ ଲାଗିବନି’ । ଏମିତି ଆପଣମାନେ ଶୁଣିଥିବେ । ତେଣୁ ଆମେ ହିଁ ପରୋକ୍ଷରେ ଏଭଳି ଦଲାଲମାନଙ୍କୁ ପ୍ରୋତ୍ସାହନ ଦେଇଛେ ।
ଇଏ ସିନା ଗଲା ଆରଟିଓ କଥା, ହେଲେ ମେଡିକାଲ ବିଷୟ ଟିକେ ଅଲଗା । କାରଣ ଏଠି ମଣିଷର ଜୀବନ ମରଣ ସମସ୍ୟା । ତେଣୁ ଯଦି ସରକାରୀ ହସପିଟାଲରେ ସୁବିଧା ନହେଲା ତେବେ ଦଲାଲଙ୍କ ଦ୍ୱାରା ବେସରକାରୀକୁ ଯିବାଟା ଥୟ । ସରକାରୀ ମେଡିକାଲରେ କର୍ମଚାରୀ କାହିଁକି ବା ରୋଗୀକୁ ଅତି ଆପଣାର ଭାବି ସହଯୋଗ କରିବେ ? ତାଙ୍କୁ ତ ସରକାର ଦରମା ଦେଉଛନ୍ତି ଘଣ୍ଟା ଗଣି କାମ କରିବାକୁ । ତେଣୁ ଅସୁବିଧା ନାହିଁ । ତେଣୁ ମେଡିକାଲ ପାଖ ମେଡିସିନ୍‌ ଷ୍ଟୋରବାଲା ହେଉ କି ଅନ୍ୟ ଡାକ୍ତରଙ୍କ ମଧ୍ୟସ୍ଥି ଓରଫ ଦଲାଲ ଲାଗିଯାନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ପଛରେ ।
ତେବେ ଉଭୟ ଜାଗାରୁ ଦଲାଲଙ୍କୁ ବାହାର କରିବା ସରକାରଙ୍କର ଏକ ବହୁତ ଭଲ ପଦକ୍ଷେପ । ହେଲେ ଏସବୁ କରିବା ପରେ କାର୍ଯ୍ୟାଳୟର ଅଧିକାରୀମାନେ ଠିକ୍‌ ଭାବେ ସାଧାରଣ ଲୋକଙ୍କୁ ସହଯୋଗ କରିବେ ତ ? କାରଣ ଏମାନଙ୍କ ସମ୍ପର୍କ ଜଡ଼ାତେଲ ଓ ମେଣ୍ଢାବାଳ ଭଳି । ସେମାନଙ୍କୁ ଠିକଣା ରାସ୍ତାକୁ ନଆଣିଲେ ବିଶେଷ କିଛି ଲାଭ ହେବ ବୋଲି ଆମେ ଭାବୁ ନାହୁଁ । କାରଣ ସ୍ମାର୍ଟ ମୋବାଇଲ୍‌ ଓ ଓ୍ଵାଇଫାଇ ଯୁଗରେ ଦଲାଲ ଯେ ନିହାତି କାର୍ଯ୍ୟାଳୟରେ ଜଗି ବସିବା ଦରକାର ସେକଥା ଭାବିବା ମୂର୍ଖାମୀ ହେବ । ଖାଲି ସିଧାସଳଖ କାର୍ଯ୍ୟାନୁଷ୍ଠାନ କରି ଚୁପ୍‌ ହୋଇ ବସିଗଲେ ହେବ ନାହିଁ । ଏଭଳି କିଛି ନୀତି ନିୟମ କରାଯିବା ଦରକାର ଯେଉଁଥିରେ ଏଭଳି ଦଲାଲ ଓ ଦୁର୍ନୀତିଖୋର ପୂରାପୂରି ସଫା ହୋଇଯିବେ । ନଚେତ୍‌ ରାବଣର ମୁଣ୍ଡ ଭଳି ଏମାନେ ଛିଡୁଥିବେ ଓ ପୁଣି ଯୋଡ଼ି ହେଉଥିବେ ।

ହିମାଂଶୁ ପତିମିଶ୍ର

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.