Below header

ଚୂନା ହୋଇଗଲା ସୁନାର ସଂସାର: ଦୁର୍ଘଟଣା ପ୍ରାଣ ହରାଇଲେ ବାପା-ମାଆ-ଝିଅ; ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛି ଦେଢ଼ ବର୍ଷର କୁନିପୁଅ

ବଲାଙ୍ଗିର (କେନ୍ୟୁଜ): ଦୁର୍ଘଟଣାରେ ଛାରଖାର ହୋଇଗଲା ପରିବାର। ଚୂନା ହୋଇଗଲା ସୁନାର ସଂସାର। ବାପା, ମାଆ ଓ ଝିଅ ଜଣଙ୍କ ପରେ ଜଣେ ଆଖିବୁଜିଲେ। ଏବେ ଜୀବନ ସହ ସଂଗ୍ରାମ କରୁଛି କୂଳନନ୍ଦନ।

ଗତକାଲି ବଲାଙ୍ଗିର-ଦେଓଗାଁ ରାସ୍ତା ସିଂହଖମନ ଛକରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାର ପୁରା ଛାରଖାର ହୋଇଯାଇଛି। ଦୁର୍ଘଟଣା ସ୍ଥଳରେ ସ୍ୱାମୀ ସରୋଜ ପଶାୟତଙ୍କ ମୃତ୍ୟୁ ହୋଇଥିବାବେଳେ ବୁର୍ଲା ହସ୍‌ପିଟାଲରେ ସ୍ତ୍ରୀ କରିସ୍ମା ଓ ୩ ବର୍ଷର ଝିଅର ଜୀବନ ଯାଇଛି। ଏବେ ଜୀବନ ସହ ସଂଗ୍ରାମ କରୁଛି ୧୫ ମାସର ପୁଅ। ଏକ ବାହାଘର ଭୋଜିରେ ଯୋଗଦେବାକୁ ସରୋଜ ସ୍ତ୍ରୀ, ପୁଅ ଓ ଝିଅଙ୍କୁ ନେଇ ଯାଉଥିବାବେଳେ ଏକ ଘରୋଇ ବସ୍‌ ତାଙ୍କ ବାଇକକୁ ଧକ୍କା ଦେଇଥିଲା। ଚାହୁଁ ଚାହୁଁ ସବୁ କିଛି ଓଲଟପାଲଟ ହୋଇଯାଇଥିଲା। ଘଟଣାସ୍ଥଳରେ ସରୋଜଙ୍କ ମୃତ୍ୟୁ ହୋଇଥିଲା। ମୃତ ସରୋଜଙ୍କ ପତ୍ନୀ କରିସ୍ମା ପଶାୟତ ଓ ତାଙ୍କର ପୁଅ- ଝିଅ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ତିନି ଜଣଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜରେ ଭର୍ତି କରାଯାଇଥିଲା । ଅବସ୍ଥା ଗୁରତର ହେବାରୁ ସେମାନଙ୍କୁ ବୁର୍ଲା ମେଡିକାଲରେ ଭର୍ତି କରାଯାଇଥିଲା । ସେଠାରେ କରିସ୍ମା ଓ ତାଙ୍କ ୩ ବର୍ଷର ଝିଅ ଆଖି ବୁଜିଛନ୍ତି ।

ମାତ୍ର କିଛି ସମୟ ଭିତରେ ଜଣଙ୍କର ସୁଖର ସଂସାର ଛାରଖାର ହୋଇଯାଇଛି । ବାପା-ମାଆ-ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ପରିବାରରେ କେବଳ ରହିଯାଇଛି ଦେଢ଼ ବର୍ଷର କୁନିପୁଅ । ଦୁନିଆ କ’ଣ ଜାଣିନଥିବା ଏହି ଶିଶୁ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.