ଓଡ଼ିଶା ପୋଲିସରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା

ଭୁବନେଶ୍ବର : କୁହାଯାଏ ନାରୀ ଯେବେ ସଶକ୍ତ ହୁଏ, ସେ ସଶକ୍ତ କରି ଗଢ଼ି ତୋଳେ ନିଜର ଚତୁଃପାର୍ଶ୍ୱକୁ । କୌଣସି କ୍ଷେତ୍ରରେ ସେ ପଛରେ ପଡ଼ିନି । ସମାଜରେ ସୃଷ୍ଟି କରିଛି ନିଜର ସ୍ୱତନ୍ତ୍ର ପରିଚୟ । ଓଡ଼ିଶା ପୋଲିସରେ ସେମାନଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଦେଖନ୍ତୁ ଏହି ରିପୋର୍ଟ ।

ଢେଙ୍କାନାଳ ଏସପି ଅନୁପମା ଜେମ୍ସ । ୨୦୧୩ ବ୍ୟାଚର ଆଇପିଏସ୍‌ ଅଧିକାରୀ । ଢେଙ୍କାନାଳକୁ ଅପରାଧ ମୁକ୍ତ କରିବା ଓ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସେ ସବୁବେଳେ ପ୍ରସ୍ତୁତ । ରାତି ହେଉ କି ଦିନ ଯେଉଁଠି ହିଂସାକାଣ୍ଡ, ଅପରାଧର ଖବର ଆସେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯାଆନ୍ତି ଅନୁପମା ।

ସେହିପରି ଭୁବନେଶ୍ୱର ମହିଳା ଥାନା ଆଇଆଇସି ଅନସୂୟା ନାୟକ । ସବୁବେଳେ ନିଜ ଡ୍ୟୁଟିରେ ବ୍ୟସ୍ତ । ଲୋୟର ପିଏମଜି କିମ୍ବା ରାଜଧାନୀର ଅନ୍ୟ ସ୍ଥାନରେ ବିକ୍ଷୋଭ, ଧର୍ମଘଟ ବେଳେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ସେ ଆଗେଇ ଆସନ୍ତି ।

ଖରା ହେଉ କି ବର୍ଷା ଅଥବା ପୂଜାପାର୍ବଣରେ ଶାନ୍ତିଶୃଙ୍ଖଳା ରକ୍ଷା କିମ୍ବା ଟ୍ରାଫିକ୍‌ ନିୟନ୍ତ୍ରଣ । ସବୁଠି ଓଡ଼ିିଶା ପୋଲିସରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ଭୂମିକା ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ଡ୍ୟୁଟି ବେଳେ ପ୍ରତିବନ୍ଧକକୁ ଖାତିର ନକରି ଗନ୍ତବ୍ୟ ପଥରେ ଆଗେଇ ଯାଆନ୍ତି ।

କେବେ କେବେ ବାଧାବିଘ୍ନ ଆସେ । ହେଲେ ବର୍ଦ୍ଦି ପିନ୍ଧିବା ପରେ ମନବଳ ବଢ଼ିଯାଏ ମହିଳା ପୋଲିସଙ୍କର । ଆଉ ସାହସିକତା ପ୍ରଦର୍ଶନ ପାଇଁ ବିଭିନ୍ନ ସମୟରେ ସେମାନଙ୍କୁ ମିଳୁଛି ସାବାସୀ ।

Leave A Reply

Your email address will not be published.