Below header

ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନର ସମ୍ଭାବନା ନାହିଁ : ମୁଖ୍ୟ ନିର୍ବାଚନ କମିଶନର ଓ.ପି. ରାୱତ

ନୂଆଦିଲ୍ଲୀ (କେନ୍ୟୁଜ୍) : ଏକା ସଙ୍ଗରେ ଲୋକସଭା ଓ ସବୁ ରାଜ୍ୟର ବିଧାନସଭା ନିର୍ବାଚନର କୌଣସି ସମ୍ଭାବନା ନାହିଁ । ଏହା କହି ସବୁ ଚର୍ଚ୍ଚାର ଅବସାନ କରିଛନ୍ତି, ମୁଖ୍ୟ ନିର୍ବାଚନ କମିଶନର ଓ.ପି. ରାୱତ । ଯେତେ ପର୍ୟ୍ୟନ୍ତ ଏକ ଆଇନଗତ ଢାଞ୍ଚା ତିଆରି ନ ହୋଇଛି, ସେ ଯାଏ ଏକ ସଙ୍ଗେ ନିର୍ବାଚନର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ଏକସଙ୍ଗେ ଲୋକସଭା ଓ ବିଧାନସଭା ନିର୍ବାଚନ ଉପରେ ବିଚାର ପାଇଁ ଆହ୍ଵାନ ଦେଇଛନ୍ତି । ଏ ସମ୍ପର୍କରେ ଲ’ କମିଶନ ମଧ୍ୟ ସବୁ ଦଳଙ୍କ ମତାମତ ନେଇଛନ୍ତି । ଆଇନ ତିଆରି କରିବାକୁ ଅନୁନ୍ୟ ଗୋଟିଏ ବର୍ଷ ସମୟ ଲାଗିବ । ଏକସଙ୍ଗେ ନିର୍ବାଚନ ନେଇ ସମ୍ବିଧାନ ସଂଶୋଧନ ହେଲା କ୍ଷଣି, ନିର୍ବାଚନ କମିଶନ ପ୍ରସ୍ତୁତି ଆରମ୍ଭ କରିବେ ବୋଲି ଓ.ପି.ରାୱତ କହିଛନ୍ତି ।ଆସନ୍ତା ବର୍ଷ ଏପ୍ରିଲ-ମେ ମାସରେ ସାଧାରଣ ନିର୍ବାଚନ ରହିଛି ।

ଚର୍ଚ୍ଚା ହେଉଛି ୧୧ଟି ବିଧାନସଭା ସହ ଏକ ସଙ୍ଗରେ ଲୋକସଭା ନିର୍ବାଚନ ପାଇଁ ବିଜେପି ଉଦ୍ୟମ କରୁଛି । ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନ ବିଧାନସଭା କାର୍ୟ୍ୟକାଳ ଆସନ୍ତା ଜାନୁଆରୀରେ ସରୁଛି । ଏଗୁଡିକ ବିଜେପି ଶାସିତ ରାଜ୍ୟ । କାର୍ୟ୍ୟକାଳ ସରିବା ପରେ କିଛି ମାସ ପାଇଁ ରାଷ୍ଟ୍ରପତି ଶାସନ ଜାରି ହୋଇପାରେ । ଏହାପରେ ଏକ ସଙ୍ଗେ ନିର୍ବାଚନ ପାଇଁ ଚିନ୍ତା କରାଯାଉଛି । ମହାରାଷ୍ଟ୍ର ଓ ହରିୟାଣାରେ ଅକ୍ଟୋବର ୨୦୧୯ରେ କାର୍ୟ୍ୟକାଳ ସରୁଛି । ଝାଡ଼ଖଣ୍ଡ କାର୍ୟ୍ୟକାଳ ସରୁଛି ଡିସେମ୍ବର ୨୦୧୯ରେ । ଏଗୁଡିକ ମଧ୍ୟ ବିଜେପି ଶାସିତ ରାଜ୍ୟ । ତେଣୁ ମୋଦିଙ୍କ ଆହ୍ଵନାରେ ଏମାନେ, ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇ ପାରନ୍ତି ।

ବିହାରରେ କାର୍ୟ୍ୟକାଳ ସରୁଛି ୨୦୨୦ରେ । ଜେଡିୟୁ-ବିଜେପି ମେଣ୍ଟ ସରକାର ଅଛି । ତେଣୁ ଆଗୁଆ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜି ହୋଇ ପାରନ୍ତି । ମିଜୋରାମରେ ଡିସେମ୍ବର ଶେଷରେ କାର୍ୟ୍ୟକାଳ ସରୁଛି । ଏଠାରେ କଂଗ୍ରେସ ଶାସନ ଚାଲିଛି । ଦଳ କିନ୍ତୁ ଏକକାଳୀନ ନିର୍ବାଚନକୁ ବିରୋଧ କରୁଛି । ଓଡ଼ିଶା, ଆନ୍ଧ୍ର, ତେଲେଙ୍ଗାନା ଓ ସିକିମରେ ଲୋକସଭା ସହ ବିଧାନସଭା ନିର୍ବାଚନ ହୁଏ । ତେଣୁ ଏଠାରେ ନିର୍ବାଚନ ନେଇ କୌଣସି ଅସୁବିଧା ନାହିଁ । କିଛି ଦିନ ପୂର୍ବରୁ ଏକକାଳୀନ ନିର୍ବାଚନକୁ ମଧ୍ୟ ନାସ୍ତିବାଣୀ ଶୁଣାଇଥିଲେ ନିର୍ବାଚନ କମିଶନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.