Below header

ବରିଷ୍ଠ ଅଧିକାରୀ ସମ୍ମିଳନୀ-୨୦୨୩: ଓଡ଼ିଶାରେ ଷ୍ଟାର୍ଟଅପ୍‌ ଏବଂ ଏମ୍‌ଏସ୍‌ଏମ୍‌ଇର ଅଭିବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଉପରେ ଗୁରୁତ୍ୱ

ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ଶାସନ ସଚିବ ଏହି ବିଷୟରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିବା ପରେ ସୁନ୍ଦରଗଡ଼, ସୋନପୁର ଓ ବାଲେଶ୍ୱର ଜିଲ୍ଲାର ଜିଲ୍ଲାପାଳମାନେ ଅଭିଜ୍ଞତା ଓ ସର୍ବୋତ୍ତମ କାର୍ଯ୍ୟପ୍ରଣାଳୀ ବିଚାରଧାରା ଉପସ୍ଥାପନ କରିଥିଲେ ।

ଭୁବନେଶ୍ୱର (କେନ୍ୟୁଜ): ବରିଷ୍ଠ ଅଧିକାରୀ ସମ୍ମିଳନୀର ଦ୍ୱିତୀୟ ଦିବସରେ ‘ଷ୍ଟାର୍ଟଅପ୍‌ ଓ ଏମ୍‌ଏସ୍‌ଏମ୍‌ଇ ଦ୍ୱାରା ଗତିଶୀଳ ଓଡ଼ିଶାର ଅର୍ଥନୀତି’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ଶାସନ ସଚିବ ଏହି ବିଷୟରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିବା ପରେ ସୁନ୍ଦରଗଡ଼, ସୋନପୁର ଓ ବାଲେଶ୍ୱର ଜିଲ୍ଲାର ଜିଲ୍ଲାପାଳମାନେ ଅଭିଜ୍ଞତା ଓ ସର୍ବୋତ୍ତମ କାର୍ଯ୍ୟପ୍ରଣାଳୀ ବିଚାରଧାରା ଉପସ୍ଥାପନ କରିଥିଲେ । ଉପସ୍ଥାପନା ପରେ ପ୍ୟାନେଲିଷ୍ଟମାନେଦର୍ଶକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ।

କୃଷି କ୍ଷେତ୍ର ପରେ ଦ୍ୱିତୀୟ ବୃହତ୍ତମ ନିଯୁକ୍ତିଦାତା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକର ଜାତୀୟ ଓ ରାଜ୍ୟ ଅର୍ଥନୀତି ଉପରେ ପ୍ରଭାବ ସମ୍ପର୍କରେ ଏହି ଅଧିବେଶନରେ ଗୁରୁତ୍ୱାରୋପ କରାଯାଇଥିଲା । ଷ୍ଟାର୍ଟଅପ୍‌ ଗୁଡିକ ମଧ୍ୟ ଏମ୍‌ଏସ୍‌ଏମ୍‌ଇର ବ୍ୟାପକ ସଂଜ୍ଞା ଅଧୀନରେ ଆସିଥାଏ । ଓଡ଼ିଶାରେ ଷ୍ଟାର୍ଟଅପ୍‌ ଏବଂ ଏମ୍‌ଏସ୍‌ଏମ୍‌ଇର ଅଭିବୃଦ୍ଧି ପାଇଁ ଏକ ଉତ୍ସାହପୂର୍ଣ୍ଣ ଏବଂ ଅନୁକୂଳ ପରିବେଶ ସୃଷ୍ଟି କରିବା ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୋଣ ଉପରେ ଏହି ଅଧିବେଶନରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ବ୍ୟାପକ ପ୍ରଚାର ପ୍ରସାର ପାଇଁ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ବିକାଶ ନୀତି-୨୦୨୨, ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-
୨୦୨୨, ଓଡ଼ିଶା ରପ୍ତାନି ନୀତି-୨୦୨୨ ଏବଂ ଓଡ଼ିଶା ଷ୍ଟାର୍ଟଅପ୍‌ ପଲିସି-୨୦୧୬ ଅଧୀନରେ ଏମ୍‌ଏସ୍‌ଏମ୍‌ଇ ଓ ଷ୍ଟାର୍ଟଅପ୍‌ଗୁଡ଼ିକୁ ଉପଲବ୍ଧ ବିଭିନ୍ନ ଆର୍ଥିକ ଓ ଅଣ-ଆର୍ଥିକ ପ୍ରୋତ୍ସାହନ ଉପରେ ଆଲୋକପାତ କରାଯାଇଥିଲା ।

ଏମ୍‌ଏସ୍‌ଏମ୍‌ଇ ଏବଂ ଷ୍ଟାର୍ଟଅପ୍‌ଗୁଡ଼ିକର ଅଭିବୃଦ୍ଧି ପାଇଁ ବ୍ୟାଙ୍କ ଋଣର ସହଜ ଉପଲବ୍ଧତା ଅତ୍ୟନ୍ତ ଜରୁରୀ ଥିବା ହେତୁ ଏମ୍‌ଏସ୍‌ଏମ୍‌ଇ ପାଇଁ ସରକାରୀ ପ୍ରାୟୋଜିତ ଋଣ ଯୋଜନା ଅଧୀନରେ ବ୍ୟାଙ୍କଗୁଡ଼ିକ ସେମାନଙ୍କ ଲକ୍ଷ୍ୟ ହାସଲ କରିବା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଆଇନଗତ ବ୍ୟବସ୍ଥା ଅନୁସାରେ୪୫ ଦିନ ମଧ୍ୟରେ ଏମ୍‌ଏସ୍‌ଏମ୍‌ଇ ବକେୟା ପୈଠ ନହୋଇପାରିଲେ ଖିଲାପକାରୀ, ବ୍ୟାଙ୍କ ହାରର ୩ ଗୁଣ ଅଧିକ ଚକ୍ରବୃଦ୍ଧି ସୁଧ ପ୍ରଦାନ କରିବେ ବୋଲି ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଯାଇଥିଲା । ଓଡ଼ିଶାର ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ଦ୍ୱାରା ଉତ୍ପାଦିତ ଦ୍ରବ୍ୟର ବିକ୍ରୟକୁ ସୁଗମ କରିବା ପାଇଁ ରାଜ୍ୟ ସରକାର ସରକାରୀ କ୍ରୟ ଟେଣ୍ଡରରେ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ପାଇଁ ଦର ଚୁକ୍ତି ବ୍ୟବସ୍ଥା ଏବଂ ଇଏମଡି ଜମା କରିବାରୁ ମୁକ୍ତି, ଅତୀତର କାର୍ଯ୍ୟ ଅଭିଜ୍ଞତା ଓ ଅତୀତର ସର୍ବନିମ୍ନ କାରବାର ମାନଦଣ୍ଡରୁ ମୁକ୍ତି ଏବଂ ଅଣ ଏମଏସଇମାନଙ୍କ ପାଇଁ ଲାଗୁ ହେଉଥିବା ସ୍ୱଳ୍ପ ସିକ୍ୟୁରିଟି ଡିପୋଜିଟ୍ ଆଦି ଅଗ୍ରାଧିକାର ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଏହି ସରକାରୀ ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା । ଓଡ଼ିଶାକୁ ଦେଶର ଶ୍ରେଷ୍ଠ ଷ୍ଟାର୍ଟଅପ୍‌ ରାଜ୍ୟରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଏବଂ ଷ୍ଟାର୍ଟଅପ୍‌ ଓଡ଼ିଶା ନାମରେ ଏକ ଅଣଲାଭକାରୀ କମ୍ପାନି ଗଠନ, ଷ୍ଟାର୍ଟଅପ୍‌ଗୁଡ଼ିକୁ କାର୍ଯ୍ୟକ୍ଷମ ଓ ଇନକ୍ୟìବେସନ୍‌ ସ୍ଥାନ ପ୍ରଦାନ ପାଇଁ ଓ-ହବ୍‌ ନାମରେ ଏକ ବଶ୍ୱସ୍ତରୀୟ ଟାୱାର ନିର୍ମାଣ ଏବଂ ଶତାଧିକ ଷ୍ଟାର୍ଟଅପ୍‌ ଓ ଇନକ୍ୟìବେଟରଙ୍କୁ ପ୍ରଦାନ କରାଯାଉଥିବା ଆର୍ଥିକ ସହାୟତା ଭଳି ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା ।

ଶେଷରେ ନୂତନ ଏମ୍‌ଏସ୍‌ଏମ୍‌ଇ ଓ ଷ୍ଟାର୍ଟଅପ୍‌ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପ୍ରଦାନ କରୁଥିବା ବିଭିନ୍ନ ପ୍ରୋତ୍ସାହନ ବିଷୟରେ ଯୁବଗୋଷ୍ଠୀଙ୍କ ସହ ଯଥାସମ୍ଭବ ଆଲୋଚନା କରି ଉଦ୍ୟୋଗକୁ ସେମାନଙ୍କ ବିକଳ୍ପ କ୍ୟାରିୟର ଭାବରେ ଗ୍ରହଣ କରିବାକୁ ସମସ୍ତ ବରିଷ୍ଠ ଅଧିକାରୀମାନଙ୍କୁ ଅନୁରୋଧ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.