ପୁରୀର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଦ୍ୱିତୀୟ ସମନ୍ଵୟ ବୈଠକ, ପ୍ରତି ସପ୍ତାହରେ ସମୀକ୍ଷା ବୈଠକ ପାଇଁ ପ୍ରସ୍ତାବ

ପୁରୀ(କେନ୍ୟୁଜ୍) : ପୁରୀର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଦ୍ୱିତୀୟ ସମନ୍ଵୟ ବୈଠକ ଅନୁଷ୍ଠିତ । କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରଥନିର୍ମାଣ, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ, ପରିମଳ, ରାସ୍ତାଘାଟ ମରାମତି ଏବଂ ଶାନ୍ତିଶୃଙ୍ଖଳା ରକ୍ଷା ଉପରେ ଆଲୋଚନା କରାଯାଇଥିଲା । କାର୍ଯ୍ୟର ଅଗ୍ରଗତି ନେଇ ପ୍ରତି ସପ୍ତାହରେ ସମୀକ୍ଷା ବୈଠକ ପାଇଁ ପ୍ରସ୍ତାବ ହୋଇଛି । ରଥନିର୍ମାଣ ପାଇଁ ଆବଶ୍ୟକ ସରଞ୍ଜାମ ପହଞ୍ଚି ସାରିଛି । ଆବଶ୍ୟକ ୧୫ଟି ରଥ ଦଉଡ଼ି ମଧ୍ୟରୁ ୬ଟି ପ୍ରସ୍ତୁତ ହୋଇସାରିଲାଣି ।

ସ୍ୱାସ୍ଥ୍ୟ ବିଭାଗରେ ଖାଲି ପଡ଼ିଥିବା ସମସ୍ତ ଡାକ୍ତରୀ ପଦବୀ ପୂରଣ ହୋଇଥିବା ବେଳେ ରଥଯାତ୍ରା ସମୟରେ ୧୮୭ ଡାକ୍ତର ଓ ୩୯୯ ପାରା ମେଡିକାଲ କର୍ମୀ ନିୟୋଜିତ ହେବେ । ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହ ମୁଖ୍ୟ ଚିକିତ୍ସାଳୟରେ ୫୦ ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯିବ । ୩୦ଟି ଆମ୍ବୁଲାନ୍‌ସ ବ୍ୟବସ୍ଥା ସହ ସହରରେ ୨୪ ଘଣ୍ଟିଆ ବିଷୁଦ୍ଧ ପାନୀୟ ଜଳ ଯୋଗାଣ ଉପଲବ୍‌ଧ ହେବ । ରଥଯାତ୍ରା ବେଳେ ୨ଟି ମେମୁ ଟ୍ରେନ ସହ ୧୯୦ଟି ଟ୍ରେନ ଚଳାଚଳ କରିବ । ସହରର ପରିମଳ ସଜାଡ଼ିବା ଦାୟିତ୍ୱ ନିଜେ ଜିଲ୍ଲାପାଳ ନେଇଛନ୍ତି । ଏହାସହ ବୈଠକରେ ପରିବହନ ବ୍ୟବସ୍ଥା, ଜାତୀୟ ଓ ରାଜ୍ୟ ରାଜପଥ, ପୌରପାଳିକାର କାର‌୍ୟ୍ୟ ସଂପର୍କରେ ସମୀକ୍ଷା କରାଯାଇ ଡେଡଲାଇନ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.