ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ହାତରେ ଚାଞ୍ଚଲ୍ୟକର ତଥ୍ୟ, ଜଗୁଆଳି ଦେଲେ ଏମିତି ବୟାନ୍

ପାରଳାଖେମୁଣ୍ଡି(କେନ୍ଯୁଜ୍): ପାରଳା ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ଚାଞ୍ଚଲ୍ୟକର ତଥ୍ୟ। ସୌମ୍ୟଙ୍କୁ ଉଦ୍ଧାର ବେଳେ ଉପସ୍ଥିତ ଥିଲେ ଜିଲ୍ଲାପାଳ। ଗତକାଲି ଚତୁର୍ଥ ଦିନରେ ମାଳି, ଜଗୁଆଳୀ, ଆମ୍ବୁଲାନ୍ସ ଡ୍ରାଇଭର, ବନ କର୍ମଚାରୀଙ୍କୁ କ୍ରାଇମବ୍ରାଞ୍ଚର ଜେରା ବେଳେ ଏପରି ବୟାନ୍‌ ଦେଇଛନ୍ତି ଜଗୁଆଳି। ଆଉ ଏହି କଥାକୁ ସ୍ୱୀକାର କରିଛନ୍ତି କ୍ରାଇମବ୍ରାଞ୍ଚ DSP ଜ୍ଞାନରଞ୍ଜନ ମିଶ୍ର।

ସେ କହିଛନ୍ତି ଆବଶ୍ୟକ ପଡିଲେ ଜିଲ୍ଲାପାଳଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ। ଘଟଣାକୁ ୩୬ ଦିନ ବିତିଥିବା ବେଳେ ଏହା ସହିତ ଜଡିତ ସମସ୍ତ ବ୍ୟକ୍ତିଙ୍କୁ ଚାଲିଛି ଜେରା । ଆଜି ପଞ୍ଚମ ଦିନରେ ସୌମ୍ୟଙ୍କ ଚିିକିତ୍ସାରେ ନିୟୋଜିତ ହୋଇଥିବା ଡାକ୍ତରଙ୍କୁ ଜେରା କରିପାରେ କ୍ରାଇମବ୍ରାଞ୍ଚ ।

ଗତକାଲି ଚତୁର୍ଥ ଦିନରେ ମାଳି, ଜଗୁଆଳୀ, ଆମ୍ବୁଲାନ୍ସ ଡ୍ରାଇଭର, ବନ କର୍ମଚାରୀଙ୍କୁ ଦିନ ୧୦ଟାରୁ ସାଢେ ୨ଟା ଯାଏ ପ୍ରାୟ ସାଢେ ଚାରି ଘଣ୍ଟା ଜେରା ହୋଇଥିଲା । ଘଟଣା ବାବଦରେ ସେମାନେ କଣ ଜାଣିଛନ୍ତି ? ସୌମ୍ୟଙ୍କ ଦେହରେ ନିଆଁ ଲାଗିଥିବା ଖବର କାହା ପାଖରୁ ଶୁଣିଥିଲେ ? ସେସବୁ ନେଇ ଘନ ଘନ ପ୍ରଶ୍ନ ପଚାରିଥିଲେ । ଏ ଯାଏ ୧୦ ଜଣଙ୍କ ପଚରାଉଚରା ସରିଛି । ଘଟଣା ଦିନ ରାତି ୮ଟା ବେଳେ ଖୋଦ୍‌ ଜିଲ୍ଲାପାଳ ଡିଏଫଓଙ୍କ ଘରକୁ ଯାଇଥିଲେ ଓ ଗୁରୁତର ଏସିଏଫଙ୍କୁ ମେଡିକାଲ ନେବା ବେଳେ ମଧ୍ୟ ଜିଲ୍ଲାପାଳ ଉପସ୍ଥିତ ଥିବା କଥା ଜଗୁଆଳି ବୟାନ ଦେଇଛନ୍ତି । ସୌମ୍ୟଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ତଦନ୍ତ ଯେତିକି ଆଗଉଛି ସେତିକି ନୂଆ ଚରିତ୍ର ଓ ତଥ୍ୟ ସାମ୍ନାକୁ ଆସୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.