Below header

ଆମେରିକାରେ ବାନା ଉଡ଼ାଇଲେ ଓଡ଼ିଆ ପୁଅ, ସିଦ୍ଧାର୍ଥ ମିଶ୍ରଙ୍କୁ ମିଳିଲା ମର୍ଯ୍ୟାଦାଜନକ ଡିଓଇ ଆୱାର୍ଡ଼

ଭୁବନେଶ୍ବର (କେନ୍ୟୁଜ୍) : ଓଡ଼ିଆ ପୁଅ ଡ. ସିଦ୍ଧାର୍ଥ ମିଶ୍ର ଆମେରିକା ସ୍ଥିତ ଓକଲାହୋମା ବିଶ୍ବବିଦ୍ୟାଳୟ କଲେଜ ଆଫ୍ ଆର୍ଥ ଆଣ୍ଡ ଏନର୍ଜିରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କୁ ମିଳିଛି ଆମେରିକା ଶକ୍ତି ବିଭାଗ (ଡିଓଇ) ପକ୍ଷରୁ ମର୍ଯ୍ୟାଦାଜନକ ପୁରସ୍କାର ଡିଓଇ ଆର୍ଲି କ୍ୟାରିୟର ରିସର୍ଚ୍ଚ ପ୍ରୋଗ୍ରାମ ଆୱାର୍ଡ଼ । ଭୂବିଜ୍ଞାନ ଗବେଷଣା ପାଇଁ ୫ ବର୍ଷ ଲାଗି ପ୍ରତି ବର୍ଷ ତାଙ୍କୁ ମିଳିବ ୧୫୦ ହଜାର ଡଲାର । ଓକଲାହୋମା ବିଶ୍ବବିଦ୍ୟାଳୟର ପ୍ରଥମ ଫାକଲଟି ଭାବେ ତାଙ୍କୁ ଏହି ପୁରସ୍କାର ମିଳିଛି ।

ଭୂଗର୍ଭରେ ରହୁଥିବା ଫାଟ ସମ୍ପର୍କରେ ସିଦ୍ଧାର୍ଥ ଗବେଷଣା କରୁଛନ୍ତି । ଏହି ଫାଟ ଯୋଗୁଁ ବିଶ୍ବରେ ବିଭିନ୍ନ ସମୟରେ ଭୂମିକମ୍ପ, ଭୂସ୍ଖଳନ, ସୁନାମି ଆଦି ଘଟୁଛି । ସେ ନେଇ ଗବେଷଣା ନିତାନ୍ତ ଜରୁରୀ ବୋଲି ସିଦ୍ଧାର୍ଥ କହିଛନ୍ତି । ଯାହାଫଳରେ ଏସବୁ ଦୈବୀ ଦୁର୍ବିପାକର କାରଣ ଖୋଜିହେବ ।

ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଗବେଷଣା କରୁଥିବା ବୈଜ୍ଞାନିକଙ୍କୁ ତାଙ୍କ ଗବେଷଣାରେ ସହାୟତା ଲାଗି ଏହି ପୁରସ୍କାର ଦିଆଯାଇଥାଏ । ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ପ୍ରାୟ ୮୦ ଜଣ ବୈଜ୍ଞାନିକଙ୍କୁ ପ୍ରତି ବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଆସନ୍ତା ବର୍ଷ ସେ ଭାରତୀୟ ବୈଜ୍ଞାନିକମାନଙ୍କ ସହିତ କାମ କରିବେ । ହାଇଡ୍ରୋ କାର୍ବନ ଓ ଜିଓସାଇନ୍ସ ଉପରେ ଏହି ଗବେଷଣା ହେବ ।

ସିଦ୍ଧାର୍ଥଙ୍କ ଘର ଭୁବନେଶ୍ବରରେ । ତାଙ୍କ ବାପା ମାଆ ଭୁବେନେଶ୍ବରରେ ରହୁଛନ୍ତି । ବିଜେବି କଲେଜରେ ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ କରିବା ପରେ ଆଇଆଇଟି ବମ୍ବେରେ ବି-ଟେକ୍ ଓ ପରେ ଟେକ୍ସାସ ବିଶ୍ବବିଦ୍ୟାଳୟରେ ପିଏଚଡି କରିଥିଲେ । ସିଦ୍ଧାର୍ଥ ଆସନ୍ତା ଡିସେମ୍ବର ୧୫ରେ ଭୁବନେଶ୍ବର ଆସିବାର କାର୍ଯ୍ୟକ୍ରମ ରହିଛି । ଦେଶରେ କିଭଳି ଓଡ଼ିଆ ପିଲାମାନେ ବିଜ୍ଞାନ ଓ ଇଂଜିନିୟରିଂ କ୍ଷେତ୍ରରେ କ୍ୟାରିୟର ଗଢ଼ି ପାରିବେ ସେ ସମ୍ପର୍କରେ ନିଜର ଅଭିଜ୍ଞତା ସମ୍ପର୍କରେ ସୂଚନା ଦେବାକୁ ଆଗ୍ରହୀ ଅଛନ୍ତି ସିଦ୍ଧାର୍ଥ । ତାଙ୍କର ଆଗାମୀ ରହଣି ସମୟରେ ସେ ଏଭଳି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଚାହୁଥିବା କେନ୍ୟୁଜକୁ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.