Below header

ରାସ୍ତା ଖରାପ ଯୋଗୁଁ ଗାଁରୁ ଦୂରରେ ରହିଲା ଆମ୍ବୁଲାନ୍ସ, ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ସାପ କାମୁଡ଼ା ରୋଗୀ ମୃତ

ଗାଁକୁ ରାସ୍ତା ନ ଥିବାରୁ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନସ୍ । ତେଣୁ ଖଟିଆରେ ବୁହା ହେଲେ ରୋଗୀ । ମେଡିକାଲରେ ପହଞ୍ଚୁ ପହଞ୍ଚୁ ଚାଲିଗଲା ଜୀବନ ।

କେନ୍ଦୁଝର (କେନ୍ୟୁଜ୍‌) : ଗାଁକୁ ରାସ୍ତା ନ ଥିବାରୁ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନସ୍ । ତେଣୁ ଖଟିଆରେ ବୁହା ହେଲେ ରୋଗୀ । ମେଡିକାଲରେ ପହଞ୍ଚୁ ପହଞ୍ଚୁ ଚାଲିଗଲା ଜୀବନ । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ସନ୍ତରାପୁର ପଞ୍ଚାୟତର ପରାଭାଡ଼ି ସାହିରେ ଘଟିଛି ଏହି ଘଟଣା ।

ଗାଁକୁ ସଂଯୋଗ କରୁଥିବା ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ଥିବାରୁ ଗାଁ ଭିତରକୁ ଆମ୍ବୁଲାନ୍ସ ପଶି ପାରିଲା ନାହିଁ । ଶେଷରେ ସାପ କାମୁଡିଥିବା ରୋଗୀକୁ ବରିବାର ଓ ଗାଁ ଲୋକେ ଖଟିଆରେ ପ୍ରାୟ ଦେଢ଼ କିଲୋମିଟର ବାଟ ବୋହି ନେଇଥିଲେ । ସେଠାରୁ ଗୁରୁତର ରୋଗୀ ଜଣଙ୍କୁ ଆମ୍ବୁଲାନ୍‌ସରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଗଲଶ । ହେଲେ ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ତାଙ୍କ ଦେହରେ ଆଉ ଜୀବନ ନଥିଲା । ମୃତକ ହେଉଛନ୍ତି ପରମାନନ୍ଦ ମହାନ୍ତ । ସେ ଘରେ ଶୋଇଥିବା ବେଳେ ତାଙ୍କ ଏକ ବିଷଧର ସାପ କାମୁଡି ଦେଇଥିଲା । ତାଙ୍କୁ ତୁରନ୍ତ ଚିକିତ୍ସାର ଆଵଶ୍ୟକତା ଥିବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଆମ୍ବୁଲାନ୍ସ ଆସିଲା ସିନା କିନ୍ତୁ ଗାଁ ରାସ୍ତା ଖରାପ ଥିବାରୁ ଗାଁଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଅଟକି ରହିଲା । ତେଣୁ ରୋଗୀକୁ ବାଧ୍ୟ ହୋଇ ଖଟିଆରେ ବୋହି ନେଇ ଲୋକେ ଆମ୍ବୁଲାନ୍ସରେ ପହଞ୍ଚାଇଥିଲେ । ସେଠାରୁ ପରମାନନ୍ଦଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.