ମଧ୍ୟାହ୍ନ ୧୨ଟା ନୁହେଁ ଅପରାହ୍ନ ୩ଟା ଯାଏଁ ଆଜି ଜଗା ଦର୍ଶନ ବନ୍ଦ, ଜାଣନ୍ତୁ ଆସନ୍ତାକାଲି ସ୍ନାନଯାତ୍ରାର ନୀତିକାନ୍ତି ସମୟ

ପୁରୀ(କେନ୍ୟୁଜ): ଆଜି ଅପରାହ୍ନ ୩ଟା ଯାଏଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ। ସ୍ନାନଯାତ୍ରା ପରିପ୍ରେକ୍ଷୀରେ ଚାରମାଳ ବନ୍ଧା ଓ ସେନାପଟା ଲାଗି ନୀତି ନିମନ୍ତେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ରତ୍ନ ସିଂହାସନରୁ ସ୍ନାନ ମଣ୍ଡପକୁ ପହଣ୍ଡି ବିଜେ କରିବେ ମହାପ୍ରଭୁ। ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଦୁର୍ଲଭ ହାତୀବେଶ ବା ଗଜାନନ ବେଶ ଧାରଣ କରି ଭକ୍ତଙ୍କୁ ସିଧାସଳଖ ଦର୍ଶନ ଦେବେ ଚତୁର୍ଦ୍ଧାବିଗ୍ରହ। ସ୍ନାନଯାତ୍ରାକୁ କିଭଳି ଶୃଙ୍ଖଳିତ ଭାବେ କରାଯିବ ସେଥିପାଇଁ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ସମସ୍ତେ ସମସ୍ତଙ୍କ ସହ ସମନ୍ଵୟ ରକ୍ଷା କରି ପ୍ରସ୍ତୁତି ଶେଷ କରିଛନ୍ତି।

ସେପଟେ ସ୍ନାନଯାତ୍ରାରେ ମହାପ୍ରଭୁଙ୍କ ନୀତିକାନ୍ତିକୁ ଶୃଙ୍ଖଳିତ ଓ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରାୟ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବାସହ ମରଚିକୋଟ ଛକଠାରୁ ଜଗାବଳିଆ ଲଜିଂ ପର୍ଯ୍ୟନ୍ତ ନୋ ଭେଇକିଲ୍‌ ଜୋନ୍‌ କରାଯାଇଛି।

ସେହିପରି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକଠାରୁ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଥିବା ବେଳେ ଶ୍ରୀନହର ଠାରୁ ଜିକଜାକ୍‌ ବ୍ୟାରିକେଡ୍‌ ମଧ୍ୟ କରାଯାଇଛି। ସ୍ନାନପୂର୍ଣ୍ଣିମା ଦିନ ମଙ୍ଗଳାର୍ପଣ, ଡୋରଲାଗି ଓ ପୁଷ୍ପାଞ୍ଜଳି ପରେ ପହଣ୍ଡି ଆରମ୍ଭ ହେବ। ଏଥର ଭକ୍ତଙ୍କ ଗହଣରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବାକୁ ଯାଉଥିବାରୁ ଅଧିକ ଦ୍ଵିଗୁଣା ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି।

ଆସନ୍ତାକାଲି ଭୋର ୪ଟାରେ ପହଣ୍ଡି ଆରମ୍ଭ ହୋଇ ୬ଟାରେ ଶେଷ ହେବ। ସକାଳ ୯.୩୦ରୁ ୧୧.୩୦ ମଧ୍ୟରେ ଜଳ ବିଜେ ଓ ପୂଜା ହୋଇ ୧୨.୧୫ ରେ ଛେରା ପହଁରା ଓ ୧୨.୩୦ରୁ ୨.୩୦ ମଧ୍ୟରେ ହାତୀବେଶ ଶେଷ କରାଯିବ। ସକାଳେ ପରିମାଣିକ ଟିକେଟ ଦର୍ଶନ କରାଯିବ। ଭକ୍ତ ମାନେ ବଡ଼ଦାଣ୍ଡରୁ ଜଳଲାଗି ଓ ହାତୀବେଶ ପରେ ତିନି ଘଣ୍ଟା ସ୍ନାନ ମଣ୍ଡପ ଉପରେ ବେଶ ଦେଖିବାର ସୁଯୋଗ ପାଇବେ। ତେବେ ଦୁର୍ଲଭ ହାତୀବେଶ ସମୟରେ କୌଣସି ସେବାୟତ ମାନେ ବିଗ୍ରହ ମାନଙ୍କ ସମ୍ମୁଖରେ ଠିଆ ହେବେ ନାହିଁ କି ଭକ୍ତଙ୍କ ସ୍ପଷ୍ଟ ଦର୍ଶନରେ ବାଧା ଉପୁଜିବ ନାହିଁ ଓ ବେଶ ଓଲାଗି ବେଳେ ବିଶୃଙ୍ଖଳିତ ଆଚରଣ କରିବେ ନାହିଁ ସେନେଇ ସ୍ନାନମଣ୍ଡପରେ ସିସିଟିଭି ବ୍ୟବସ୍ଥା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.