Below header

ମା’ର ବାର୍ଦ୍ଧକ୍ୟ ବୋଝ ଉଠାଇବାକୁ ନାରାଜ ପୁଅମାନେ ୮୦ ବର୍ଷୀୟା ବୃଦ୍ଧାଙ୍କୁ ଛାଡ଼ିଦେଇ ଚାଲିଗଲେ ରାଜରାସ୍ତାରେ

ଦଶ ମାସ ଗର୍ଭରେ ରଖି ନିଜ ଜୀବନକୁ ବାଜି ଲଗାଇ ସନ୍ତାନ ଜନ୍ମ ଦେଲାପରେ ମା ଟିଏ ସେହି ପିଲା ମୁଁହକୁ ଚାହିଁ ନିଜର ସମସ୍ତ ଦୁଃଖ ଭୁଲିଯାଇଥାଏ ।ଛୁଆଟିଏ ଜନ୍ମ ହେଲେ ବାପା ମା ତାକୁ ନେଇ ଅନେକ ସ୍ୱପ୍ନ ଦେଖିଥାନ୍ତି ତାକୁ ବଢ଼େଇ କୁଢେଇ ମଣିଷ କରିବା ସହିତ ତାର ସୁନେଲି ଭବିଷ୍ୟତ ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଦେଇଥାନ୍ତି । କାରଣ ନିଜ ସନ୍ତାନର ଖୁସି ପାଇଁ ବାପା ମା କିଛି ବି କରିବାକୁ ପ୍ରସ୍ତୁତ ରହିଥାନ୍ତି । ନିଜ ପିଲାର ଯେପରି କୌଣସି ଅସୁବିଧା ନହେଉ ସେଥିପାଇଁ ବାପା ମା’ ମାନେ ନିଜର ସମସ୍ତ ସୁଖକୁ ଜଳାଞ୍ଜଳି ଦେଇଥିବାର ଉଦାହରଣ ଆପଣ ନିଶ୍ଚୟ ଦେଖିଥିବେ । କିନ୍ତୁ ବାପା ମା ବୃଦ୍ଧ ବୟସରେ ଉପନୀତ ହେଲେ ପିଲାମାନେ ତାଙ୍କର କର୍ତ୍ତବ୍ୟ କିପରି ଭାବେ ପାଳନ କରୁଛନ୍ତି ତାହା ଆଜିର ସମାଜରେ ବହୁତ ଦେଖିବାକୁ ମିଳୁଛି । ପ୍ରତିଦିନ ଏପରି କିଛି ନା କିଛି ଘଟଣା ଆପଣଙ୍କ ଆଖି ସାମ୍ନାକୁ ନିଶ୍ଚୟ ଆସୁଥିବ ଯେଉଁଠି ପୁଅବୋହୂଙ୍କ ଦ୍ୱାରା ଅବହେଳିତ ହୋଇ ବାପା ମା ବେସାହାରା ଭାବେ ଦିନ କାଟୁଛନ୍ତି । କାରଣ ଆଜିର ସମୟରେ ବାପା ମା ଵୃଦ୍ଧାଵସ୍ଥାରେ ନିଜ ପିଲାମାନଙ୍କ ପାଇଁ ଏକ ବୋଝ ପାଲଟି ଯାଉଛନ୍ତି ଯେଉଁ କାରଣରୁ ନିଜ ଜନ୍ମକଲା ପୁଅ ବାପା ମାଆ ଙ୍କୁ ହତାଦର କରିବା ସହିତ ରାସ୍ତାରେ ଛାଡି ଚାଲିଯାଉଛନ୍ତି । ଏପରି ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଯାହାକୁ ନେଇ ବର୍ତ୍ତମାନ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ଗତ ସପ୍ତାହରେ ଏପରି ଏକ ଅମାନବୀୟ ଘଟଣା ଘଟିଥିଲା ଚାନ୍ଦବାଲିରେ ଯାହାର କାହାଣୀ ଏପର୍ଯ୍ୟନ୍ତ ରାଜ୍ୟବାସୀଙ୍କ ମନରୁ ଲିଭିନଥିବା ବେଳେ ପୁଣି ରବିବାର ରାତିରେ ସୋରରେ ଘଟିଛି ଏଭଳି ଏକ ନିନ୍ଦନୀୟ ଘଟଣା । ଯେଉଁଠି ଜଣେ ପୁଅ ନିଜ ୮୦ ବର୍ଷର ବୃଦ୍ଧା ମା’କୁ ରାଜରାସ୍ତାରେ ଛାଡି ଚାଲିଯାଇଛନ୍ତି । ଏହାର ଏକମାତ୍ର କାରଣ ଏହା ଯେ ବୃଦ୍ଧ ମା’ ଥିଲେ ପୁଅ ପାଇଁ ବୋଝ । ସୋର ଥାନା ଅନ୍ତର୍ଗତ ତୁଣ୍ଡପଡା ଗାଁର ଭରତ ନାଥଙ୍କ ସ୍ତ୍ରୀ ମାଗୁଣି ନାଥ ବୟସ ପାଖାପାଖି ୮୦ ବର୍ଷ । ଆଖିକୁ ଭଲଭାବେ ଦେଖାଯାଉନାହିଁ । ଭରତଙ୍କ ମୃତ୍ୟୁ ପରେ ନିଜର ତିନି ପୁଅଙ୍କ ମୁଁହକୁ ଚାହିଁ ନିଜର ବାକି ଜୀବନତକ କାଟିଦେବେ ବୋଲି ଆଶା ରଖିଥିଵା ମାଗୁଣି ଆଜି ବେସାହାରା । କାରଣ ତିନି ପୁଅଙ୍କ ମଧ୍ୟରୁ କେହିବି ଚାଁହାନ୍ତି ନାହିଁ ମା’ ବାର୍ଦ୍ଧକ୍ୟର ବୋଝ ଉଠାଇବା ପାଇଁ । ସେଥିପାଇଁ ବୃଦ୍ଧା ମା’କୁ ଛାଡ଼ିଦେଇ ଚାଲିଯାଇଛନ୍ତି ରାଜରାସ୍ତାରେ । ଦୁଇ ବର୍ଷ ତଳେ ଠିକ ଏହିପରି ମାଙ୍କୁ ଘରୁ ବାହାର କରିଦେଇଥିଲେ ପୁଅମାନେ । ସେଥିପାଇଁ ମା କଟକରେ ଭିକ ମାଗି ନିଜ ପେଟ ପୋଷୁଥିଲେ । ତେବେ ତାପରେ ମାକୁ ଘରେ ଆଶ୍ରୟ ଦେବାକୁ କହି ଭିକ ମାଗି ରଖିଥିବା ୧୫ ହଜାର ଟଙ୍କାକୁ ଛଡାଇ ନେଇଥିଲେ ପୁଅମାନେ ଏବଂ ଘରର ବାରଣ୍ଡାରେ ଦେଇଥିଲେ କିଛିଦିନ ପାଇଁ ଆଶ୍ରୟ । ଶୀତ ଓ ବର୍ଷାରେ ଭାଗ୍ୟକୁ ଆଦରି ପଡିରହିଥିଲେ ଗୋଟେ କୋଣରେ କିନ୍ତୁ ସେଥିରେ ବି ବୁଝିଲା ନାହିଁ ପୁଅମାନଙ୍କର ମନ । ମିଳିତ ଭାବେ ବୃଦ୍ଧାଙ୍କୁ ଘରୁ ବାହାର କରିଦେଇ ଆଣି ସୋର ଡାକ୍ତରଖାନା ନିକଟ ଛକରେ ଛାଡ଼ିଦେଇ ଚାଲିଯାଇଛନ୍ତି । ନିଜପୁଅ ରାସ୍ତାରେ ବସାଇଦେଇ ଚାଲିଯିବା ପରେ ପର ପୁଅମାନେ ୮୦ ବର୍ଷୀୟା ବୃଦ୍ଧାଙ୍କୁ ଉଦ୍ଧାର କରି ଭର୍ତ୍ତି କରାଇଛନ୍ତି ଡାକ୍ତରଖାନାରେ । ଏତେସବୁ ଘଟିବା ପରେ ମଧ୍ୟ ନିଜ ପୁଅବୋହୁ ମାନଙ୍କ ବିରୁଦ୍ଧରେ ପଦେ କହିବାକୁ ନାରାଜ ବୃଦ୍ଧ ମା । କାରଣ କିଛି ନ ହେଲେ ଏବେ ଖାଇବାକୁ ଗଣ୍ଡେ ମିଳିବ ବୋଲି କାନ୍ଦ କାନ୍ଦ ସ୍ୱରରେ କହିଛନ୍ତି ବୃଦ୍ଧ ମା ଜଣକ । ତେବେ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ବି ପଦକ୍ଷେପ ନିଆଯାଇନାହିଁ କିନ୍ତୁ ଏଭଳି ଘଟଣା ଆଉ କେତେଦିନ ପର୍ଯ୍ୟନ୍ତ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା କରୁଛନ୍ତି ସାଧାରଣ ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.