Below header

ବାଚସ୍ପତି ରେସ୍: ସବୁ ଆଲୋଚନା ଭିତରେ ବିଜେଡି ସୁପ୍ରିମୋ ସମସ୍ତଙ୍କୁ ସରପ୍ରାଇଜ ଦେଇପାରନ୍ତି

କିଏ ହେବେ ବିଧାନସଭାର ପରବର୍ତ୍ତୀ ବାଚସ୍ପତି ? ଚର୍ଚ୍ଚା ହେଉଛି, ସସପେନ୍ସ ବଢୁଛି । ସବୁ ଆଲୋଚନା ଭିତରେ ବିଜେଡି ସୁପ୍ରିମୋ ସମସ୍ତଙ୍କୁ ସରପ୍ରାଇଜ ଦେଇପାରନ୍ତି। ଏବେ ଉପବାଚସ୍ପତି ରଜନୀକାନ୍ତ ସିଂ କାର୍ଯ୍ୟକାରୀ ବାଚସ୍ପତି ଭାବେ ଦାୟିତ୍ବ ତୁଲାଉଛନ୍ତି

କେନ୍ୟୁଜ୍(ବ୍ୟୁରୋ):  କିଏ ହେବେ ବିଧାନସଭାର ପରବର୍ତ୍ତୀ ବାଚସ୍ପତି ? ଚର୍ଚ୍ଚା ହେଉଛି, ସସପେନ୍ସ ବଢୁଛି । ସବୁ ଆଲୋଚନା ଭିତରେ ବିଜେଡି ସୁପ୍ରିମୋ ସମସ୍ତଙ୍କୁ ସରପ୍ରାଇଜ ଦେଇପାରନ୍ତି। ଏବେ ଉପବାଚସ୍ପତି ରଜନୀକାନ୍ତ ସିଂ କାର୍ଯ୍ୟକାରୀ ବାଚସ୍ପତି ଭାବେ ଦାୟିତ୍ବ ତୁଲାଉଛନ୍ତି। ନୂଆ ବାଚସ୍ପତି ନିର୍ବାଚିତ କରାଯିବ ନା ରଜନୀକାନ୍ତ ସିଂଙ୍କୁ ବାଚସ୍ପତି ପଦରେ ବସାଯିବ ? ୬୮ ବର୍ଷୀୟ ରଜନୀକାନ୍ତ ୨୦୦୪ରୁ ଅନୁଗୋଳ ବିଧାନସଭା ଆସନରୁ ବିଧାୟକ ଅଛନ୍ତି ।

ନବୀନଙ୍କ କ୍ୟାବିନେଟରେ ମନ୍ତ୍ରୀ ବି ଥିଲେ । ଅଭିଜ୍ଞତା ଆଧାରରେ ତାଙ୍କୁ ପଦୋନ୍ନତି ମିଳିପାରେ । ନହେଲେ ଆଉ କାହାକୁ ମିଳିବ ବାଚସ୍ପତି ପଦ । ରେସରେ ଅଛନ୍ତି ଦେବୀ ମିଶ୍ର, ପ୍ରଫୁଲ୍ଲ ସାମଲ, ଅମର ଶତପଥୀ, ଶଶୀଭୂଷଣ ବେହେରା, ସ୍ନେହାଙ୍ଗିନୀ ଛୁରିଆ ଓ ଅରୁଣ ସାହୁ। ଚର୍ଚ୍ଚାରେ ଆଗରେ ଅଛନ୍ତି ଭେଟେରାନ୍ ଦେବୀ ମିଶ୍ର । ବଡ଼ମ୍ବାରୁ ୬ଥର ବିଧାୟକ । ପୂର୍ବରୁ ବିଭିନ୍ନ ବିଭାଗର ମନ୍ତ୍ରୀ ଥିଲେ । ଉପବାଚସ୍ପତି ରଜନୀକାନ୍ତ ସିଂଙ୍କଠାରୁ ବିଧାନସଭାରେ ସିନିଅର ନେତା । କିନ୍ତୁ ଦେବୀ ମିଶ୍ର ବିଜେଡି ଉପସଭାପତି ଦାୟିତ୍ବରେ ଅଛନ୍ତି। ଦଳର କ୍ରାଇସିସ ବେଳେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇ ଆସୁଛନ୍ତି। ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ତାଙ୍କୁ ସାମ୍ବିଧାନିକ ପଦବୀରେ ଦଳ ବସାଇବା ସମ୍ଭାବନା କମ୍ ।

ବାଚସ୍ପତି ରେସରେ ଅଛନ୍ତି ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଓ ବଡ଼ଚଣା ବିଧାୟକ ଅମର ଶତପଥୀଙ୍କ ନାଁ । ଉଭୟ ନେତା ଅନୁଭବୀ । ପୂର୍ବରୁ ମନ୍ତ୍ରୀ ବି ଥିଲେ । ଅମର ଶତପଥୀଙ୍କ ଜିଲ୍ଲା ଯାଜପୁରରୁ ଏବେ ଦୁଇ ଜଣ ପ୍ରମିଳା ମଲ୍ଲିକ ଓ ପ୍ରୀତିରଞ୍ଜନ ଘଡେଇ ମନ୍ତ୍ରୀ ଅଛନ୍ତି । ସେହିପରି ବିଜେଡିର ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଯାଜପୁରରୁ ପ୍ରତିନିଧିତ୍ବ କରୁଛନ୍ତି। ଏଭଳି ସ୍ଥିତିରେ ଯାଜପୁର ଜିଲ୍ଲାର ଆଉ ଜଣେ ବିଧାୟକଙ୍କୁ ବାଚସ୍ପତି ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିବା ସମ୍ଭାବନା ବି କ୍ଷୀଣ । ସେହିପରି ଚର୍ଚ୍ଚାରେ ଅଛନ୍ତି ଶଶୀଭୂଷଣ ବେହେରା । କିନ୍ତୁ କେନ୍ଦ୍ରାପଡ଼ାରୁ ପ୍ରତାପ ଦେବ ଓ ଅତନୁ ସବ୍ୟସାଚୀ ନାୟକ ମନ୍ତ୍ରୀ ଥିବାରୁ ତାଙ୍କୁ ଏହି ସାମ୍ବିଧାନିକ ପଦ ମିଳି ନପାରେ ବୋଲି ଚର୍ଚ୍ଚା ହେଉଛି ।

ଜଣେ ମହିଳାଙ୍କୁ ବାଚସ୍ପତି ପଦ ମିଳିଲେ ରେସରେ ଆଗରେ ରହିଛନ୍ତି ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ। ପୂର୍ବରୁ ନବୀନଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିଲେ । କିନ୍ତୁ ସେ ବିଜେଡି ମହିଳା ସଙ୍ଗଠନର ସଭାନେତ୍ରୀ ଅଛନ୍ତି। ନିର୍ବାଚନ ବର୍ଷ ଥିବାରୁ ସ୍ନେହାଙ୍ଗିନୀଙ୍କୁ ବାଚସ୍ପତି କରିବା ସମ୍ଭାବନା କମ୍ । ଆଗାମୀ ମୌସୁମୀ ଅଧିବେଶନରେ ବିରୋଧୀଙ୍କ ହାତରେ ଅନେକ ପ୍ରସଙ୍ଗ ରହିଛି। ଏଭଳି ପରିସ୍ଥିତିରେ ଦଳର ଜଣେ ଟାଣୁଆ ବିଧାୟକଙ୍କୁ ବାଚସ୍ପତି ପଦ ମିଳିପାରେ। ଏକ୍ଷେତ୍ରରେ ନୟାଗଡ ବିଧାୟକ ଅରୁଣ ସାହୁଙ୍କୁ ନେଇ ଚର୍ଚ୍ଚା ଜୋର । ୨୦୦୪ରୁ ଚାରି ଥର ବିଧାୟକ। ପୂର୍ବରୁ ଅନେକ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଛନ୍ତି । ତେବେ ସବୁ କିଛି ନିର୍ଭର କରୁଛି ବିଜେଡି ସୁପ୍ରିମୋଙ୍କ ଉପରେ।
ଆସନ୍ତା ୧୮ ସୁଦ୍ଧା ଜଣା ପଡିବ ନବୀନ ଚର୍ଚ୍ଚାରେ ଥିବା ୭ ଜଣଙ୍କ ଭିତରୁ କାହାକୁ ବାଛିବେ ନା ନୂଆ ନାଁ ଘୋଷଣା କରି ସରପ୍ରାଇଜ୍ ଦେବେ । 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.