Below header

ଶ୍ରୀମନ୍ଦିର ବିକାଶମୂଳକ କାର୍ଯ୍ୟରେ ବାଧକ ଆଶଙ୍କା: ୩ ଶହ ମିଟର ପର୍ଯ୍ୟନ୍ତ ଲାଗିବ କଟକଣା, ଏନ୍‌ଏମ୍‌ଏକୁ ଚିଠି ଲେଖିବ ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଜାତୀୟ ସ୍ମାରକୀ ପ୍ରାଧିକାରଣ ପୁରୀ ଶ୍ରୀମନ୍ଦିର ପାଇଁ ପ୍ରସ୍ତୁତ କରିଥିବା ଅଧିନିୟମ ଏବେ ଶ୍ରୀମନ୍ଦିର ବିକାଶମୂଳକ କାର୍ଯ୍ୟରେ ବାଧକ ସାଜିବାକୁ ଯାଉଛି । ଏହି ଅଧିନିୟମ ଅନୁଯାୟୀ ଶ୍ରୀମନ୍ଦିର ୧୦୦ ମିଟର ପରିସରକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛି । ଏହି ନିଷିଦ୍ଧାଞ୍ଚଳରେ ନିର୍ମାଣ ଉପରେ କଡା କଟକଣା ଲଗାଯାଇଛି । ସେହିପରି ପରବର୍ତ୍ତୀ ୨୦୦ ମିଟର ପରିସରକୁ ନିୟନ୍ତ୍ରିତ ଅଞ୍ଚଳ ଘୋଷଣା କରି ଏହି ଅଞ୍ଚଳରେ ନିର୍ମାଣ ପାଇଁ ପ୍ରାଧିକାରଣର ଅନୁମତି ଆବଶ୍ୟକ ବୋଲି କୁହାଯାଇଛି । ନିଷିଦ୍ଧାଞ୍ଚଳରେ ନିର୍ମାଣ ଦୂର କଥା ଏଲଇଡ଼ି ଲାଇଟ, ସିନ୍ଥେଟିକ ସାଇନେଜ ବ୍ୟାନର, ପୋଷ୍ଟର ଲଗାଇବା ଉପରେ କଟକଣା ସହ ଏହାକୁ ବିକ୍ରୟମୁକ୍ତ ଅଞ୍ଚଳ ଘୋଷଣା କରାଯାଇଛି ।

ଶ୍ରୀମନ୍ଦିର ସହ ସହରରେ ଥିବା ଅନ୍ୟ ୮ଟି ଅଞ୍ଚଳ ଶଙ୍କରାଚାର୍ଯ୍ୟ ମଠ, ଶ୍ୱତେଗଙ୍ଗା ପୁଷ୍କରିଣୀ, ଚାମୁଣ୍ଡା ମନ୍ଦିର, ମହାବୀର ମନ୍ଦିର, କପାଳମୋଚନ ମନ୍ଦିରକୁ ମଧ୍ୟ ପ୍ରାଚୀନ ସ୍ମାରକୀ ଅଞ୍ଚଳରେ ଅନ୍ତର୍ଭୁକ୍ତ କରିଛି । ଏହି କଟକଣା ଲାଗୁ ହେଲେ ଶ୍ରୀମନ୍ଦିର ଚତୁପାର୍ଶ୍ୱ ହେରିଟେଜ କରିଡୋର ନିର୍ମାଣ କାର୍ଯ୍ୟ ଗୁରୁତର ବାଧାପ୍ରାପ୍ତ ହେବା ଆଶଙ୍କା କରାଯାଉଛି । ଶ୍ରୀମନ୍ଦିର ପ୍ରଶାସନ ଏହି ପ୍ରସ୍ତାବିତ ଅଧିନିୟମକୁ ନେଇ ଚିନ୍ତା ବ୍ୟକ୍ତ କରିବା ସହ ଏନେଇ ଜାତୀୟ ସ୍ମାରକୀ ପ୍ରାଧିକରଣକୁ ପତ୍ର ଲେଖି କଟକଣା ହଟାଇବାକୁ ଅନୁରୋଧ କରିବ ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗତକାଲି ଏକ ବୈଠକରେ ଏହି ଅଧିନିୟମ ସମ୍ପର୍କରେ ଆଲୋଚନା କରିବା ସହ ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ପ୍ରାଧିକାରଣକୁ ଅବଗତ କରିବେ । ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କଟକଣା ସମ୍ପର୍କରେ ଜାଣିବା ପରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା କହିଛନ୍ତି । ଶ୍ରୀମନ୍ଦିର ବିକାଶ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ନକରିବା ପାଇଁ ସେ ସଂସ୍କୃତି ମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ଟ୍ଵିଟ୍‌ ଯୋଗେ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.