Below header

ଆସନ୍ତାକାଲିଠୁ ବିଧାନସଭାର ବଜେଟ ଅଧିବେଶନ, ଚାଷୀ ଓ ମହିଳା ସୁରକ୍ଷା ଆଦି ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ

ଭୁବନେଶ୍ବର : ଆସନ୍ତାକାଲିଠୁ ବିଧାନସଭାର ବଜେଟ୍‌ ଅଧିବେଶନ। ତା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବିଜେଡି ବିଧାୟକ ଦଳ ବୈଠକ। ବଜେଟ ଅଧିବେଶନ ନେଇ ଏଠାରେ ଆଲୋଚନା କରାଯାଇଛି। ବିରୋଧୀ ଆଣିବାକୁ ଥିବା ସମସ୍ତ ପ୍ରକାର ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ। ୭ ତାରିଖରେ ବିଧାନସଭା ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା । ଆଗକୁ ନିର୍ବାଚନ ଥିବାରୁ ୪ ମାସ ପାଇଁ କାମଚଳା ବଜେଟ ଆଗତ କରିବେ ସରକାର। ବିଶେଷ କରି କାମଚଳା ବଜେଟ୍‌ ବେଳେ ନୂଆ ଯୋଜନା ଘୋଷଣା ହୁଏନାହିଁ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ଯୋଜନା ଘୋଷଣା କରି ନପାରନ୍ତି । ଏଥିରେ କେଉଁ ସବୁ କ୍ଷେତ୍ରକୁ ଫୋକସ କରିବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଆସନ୍ତା ୧୨ ତାରିଖ ପର‌୍ୟ୍ୟନ୍ତ ଚାଲିବ ବିଧାନସଭାର ଏହି ସ୍ୱଳ୍ପକାଳୀନ ଅଧିବେଶନ।

ଚଳିତ ଅଧିବେଶନରେ ଉଠିପାରେ ଚାଷୀ, ମହିଳା ସୁରକ୍ଷା ଆଦି ପ୍ରସଙ୍ଗ। ଏସବୁ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ । ବଜେଟ ଅଧିବେଶନରେ ଆଭିମୁଖ୍ୟ ନେଇ ରଣନୀତି ପ୍ରସ୍ତୁତ କରିଛି ବିରୋଧୀ କଂଗ୍ରେସ । ବିଧାନସଭା ପରିସରରେ ବସିଥିଲା କଂଗ୍ରେସ ବିଧାୟକ ଦଳର ବୈଠକ। ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପିସିସି ସଭାପତି ନରଞ୍ଜନ ପଟ୍ଟନାୟକ ଓ ଅନ୍ୟ ବିଧାୟକମାନେ ଉପସ୍ଥିତ ଥିଲେ ।

ସେପଟେ ବିଧାନସଭାର ବଜେଟ୍‌ ଅଧିବେଶନ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ରାଜ୍ୟ ପୋଲିସ । ପୋଲିସ ଡିଜି ଡ଼ା.ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ବିଧାନସଭା ସୁରକ୍ଷା ଉପରେ ସମୀକ୍ଷା କରିଛନ୍ତି । ଏଥିପାଇଁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୁତୟନ ହେବେ ୩୦ ପ୍ଲାଟୁନ୍‌ ପୋଲିସ ଫୋର୍ସ । ୧୦୦ ଜଣ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ଉପରେ ନଜର ରଖିବେ । ସମ୍ବେଦନଶୀଳ ସ୍ଥାନରେ ୨ ୟୁନିଟ୍‌ ଏସ୍‌ଟିୟୁ ଫୋର୍ସ ମୁୟତନ ହେବେ । ଏଥିସହ ସାଧା ପୋଷାକଧାରୀ ପୋଲିସ ବି ବିଭିନ୍ନ ସ୍ଥାନରେ ମୁତୟନ କରାଯିବ । ସେପଟେ ବିଧାନସଭାର ଶେଷ ଅଧିବେଶନ ଥିବାରୁ ବିକ୍ଷୋଭ ସ୍ଥଳକୁ ଅଧିକ ଗୁରୁତ୍ୱ ଦେଇଛି ପୋଲିସ । ବ୍ୟାରିକେଟିଂର ବ୍ୟବସ୍ଥା କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.