କୋଲକାତାରେ ହାଇଭୋଲଟେଜ୍ ଡ୍ରାମା, ଚିଟଫଣ୍ଡ ମାମଲାରେ ପଚରାଉଚୁରା କରିବାକୁ ଯାଇଥିବା ୫ ସିବିଆଇ ଅଧିକାରୀଙ୍କୁ ଗିରଫ କଲା ପୋଲିସ

କୋଲକାତା : ଚିଟଫଣ୍ଡ ମାମଲାରେ ପଚରାଉଚୁରା କରିବାକୁ ଯାଇ ସିବିଆଇ ଅଧିକାରୀ ଗିରଫ । କୋଲକାତାରେ ପୋଲିସ-ସିବିଆଇ ମୁହାଁମୁହିଁ। କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କୁ ପଚରାଉଚରା କରିବାକୁ ସିବିଆଇର ପାଞ୍ଚଜଣିଆ ଟିମ ରାଜୀବଙ୍କ ବାସଭବନକୁ ଯାଇଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଛି । ସେପଟେ କୋଲକାତାର ସିଜିଓ କମ୍ପ୍ଲେକ୍ସରେ ଥିବା ସିବିଆଇ କାର୍ଯ୍ୟାଳୟକୁ ଘେରି ରଖିଛି କୋଲକାତା ପୋଲିସ । ରାଜୀବ କୁମାରଙ୍କ ଘରେ ପୋଲିସ ସୁରକ୍ଷା କଡ଼ାକଡ଼ି କରାଯାଇଛି। ହାଇଭେଲଟେଜ ଡ୍ରାମା ଆରମ୍ଭ ହେବା ମାତ୍ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜ୍ୟ ଡିଜିପି ଓ କୋଲକାତା ମେୟର ଫିରଦାହ ହକିମ ରାଜୀବଙ୍କ ଘରେ ପହଞ୍ଚିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପୋଲିସର ବରିଷ୍ଠ ଅଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଛି।

ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଉପରେ ବର୍ଷିଛନ୍ତି। କହିଛନ୍ତି, ବିଜେପି ପଶ୍ଚିମବଙ୍ଗରେ ଅରାଜକତା ସୃଷ୍ଟି କରିବାକୁ ଚେଷ୍ଟା ଚଳାଇଛି। ସେମାନେ ବଳପୂର୍ବକ ପଶ୍ଚିମବଙ୍ଗକୁ ଧ୍ୱଂସ କରିବାକୁ ଯୋଜନା ଚଳାଇଛନ୍ତି। ସେ ବ୍ରିଗେଡ ରାଲି ଅନୁଷ୍ଠିତ କରିଥିବାରୁ ବିଜେପି ପ୍ରତିହିଂସା ପରାୟଣ ହୋଇପଡ଼ିଥିବା ମମତା ଅଭିଯୋଗ କରିଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗରେ ରାଲି କରି ଧମକ ଦେଇଥିବା ସେ କହିଛନ୍ତି। ଏହାସହ ପୋଲିସ କମିସନର ରାଜୀବ କୁମାରଙ୍କୁ ବିଶ୍ୱର ଶ୍ରେଷ୍ଠ ପୋଲିସ ଅଧିକାରୀ ବୋଲି କହିଛନ୍ତି ମମତା। ଏହାସହ ମୋଦିଙ୍କୁ ହଟାଇ ଦେଶ ବଞ୍ଚାଇବାକୁ ଆହ୍ଵାନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.