ପ୍ୟାଡ ତିଆରି ଦେଉଛି ରୋଜଗାର, ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ବୈଶାଖୀ

ଯାଜପୁର (କେନ୍ୟୁଜ) : ଆପଣମାନେ ଦେଖିଥିବେ ଅକ୍ଷୟ କୁମାରଙ୍କ ଅଭିନିତ ବଲିଉଡ୍‌ ଫିଲ୍ମ ପ୍ୟାଡ ମ୍ୟାନ୍‌ । ମହିଳାମାନେ ବ୍ୟବହାର କରୁଥିବା ସାନିଟାରି ପ୍ୟାଡକୁ ର୍ନିମାଣ କ୍ଷେତ୍ରରେ ବିପ୍ଳବ ଆଣିଥିବା ଅରୁଣାଚଳ ମୃଗାରଥନଙ୍କ ଜୀବନୀ ଉପରେ ଆଧାରିତ ହୋଇଥିଲା ଏହି ଫିଲ୍ମ । ଠିକ ସେମିତି ଆମ ରାଜ୍ୟରେ ମଧ୍ୟ ଏଭଳି ଜଣେ ଯୁବତୀ ଅଛନ୍ତି ଯେଉଁମାନେ ସାନିଟାରୀ ପ୍ୟାଡ ପ୍ରସ୍ତୁତ କରି ଯୋଗାଇଦେବା ସହ ମହିଳା ଶସକ୍ତିକରଣ କ୍ଷେତ୍ରରେ ସୃଷ୍ଟି କରିଛନ୍ତି ଏକ ଅନନ୍ୟ ଉଦାହରଣ । ହଁ ଆମେ କହୁଛୁ ଯାଜପୁରର ପ୍ୟାଡ୍‌ ଗାର୍ଲ ତଥା ଉଚ୍ଚଶିକ୍ଷିତ ଯୁବତୀ ବୈଶାଖୀ ଜେନାଙ୍କ କାହାଣୀ ।

ବିଶ୍ୱାସ କରନ୍ତୁ ଏ ଖବରରୁ ଆପଣଙ୍କୁ ନିଶ୍ଚିତ ଭାବେ ମିଳିବ ପ୍ରେରଣା । ନାରୀ ଶସକ୍ତିକରଣ କ୍ଷେତ୍ରରେ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ବୈଶାଖୀ। ବୈଶାଖୀ ଜେନା । ବୟସ ମାତ୍ର ୨୭ବର୍ଷ । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଅଂଚଳରେ ଆଶାର କିରଣ ପାଲଟିଛନ୍ତି । ମହିଳାମାନେ ବ୍ୟବହାର କରୁଥିବା ସାନିଟାରି ନାପକିନ ବା ପ୍ୟାଡକୁ ପ୍ରସ୍ତୁତ କରୁଛନ୍ତି ବୈଶାଖୀ । ଯେମିତି ବଜାରରେ ମିଳୁଥିବା ପ୍ରସିଦ୍ଧ ବ୍ରାଣ୍ଡର ସାନିଟାରି ପ୍ଯାଡ୍‌ ଭଳି । ସବୁଠୁ ଖାସ୍‌ କଥା ହେଉଛି ବୈଶାଖୀ ଏହି ସାନିଟାରୀ ପ୍ୟାଡ୍‌ ବ୍ୟବସାୟ ଆରମ୍ଭ କରି ଅଂଚଳର ଯୁବତୀଙ୍କୁ ନିଯୁକ୍ତିର ସୁଯୋଗ ଦେଇଛନ୍ତି । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୧୦ରୁ ଉର୍ଦ୍ଧ୍ୱ ଯୁବତୀମାନେ ପ୍ୟାକିଂ ଠାରୁ ଆରମ୍ଭ କରି ଏହାକୁ ଯୋଗାଇଦେବାରେ ନିୟୋଜିତ ରହିଛନ୍ତି । କେବଳ ସେତିକି ନୁହେଁ ବୈଶାଖୀ ନିଜେ ଆତ୍ମର୍ନିଭରଶୀଳ ହେବା ସହ ବିଭିନ୍ନ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ସହ ଗ୍ରାମାଂଚଳର ଯୁବତୀ ଓ ମହିଳାମାନଙ୍କୁ ସାନିଟାରୀ ନାପକିନ ବ୍ୟବହାର ସଂପର୍କରେ ସଚେତନ ମଧ୍ୟ କରାଉଛନ୍ତି ।

baisakhiଉଚ୍ଚଶିଷିତା ଯୁବତୀ ବୈଶାଖୀ ଜେନା । ଚଣ୍ଡିଖୋଲ ଅଂଚଳର ଜଣାଶୁଣା କ୍ରିଡା ଶିକ୍ଷକ ବାସୁଦେବ ଜେନା ଓ ବିଜୟଲକ୍ଷ୍ମୀ ଜେନାଙ୍କ ଏକମାତ୍ର ଝିଅ । ଭେଲୋର ୟୁନିଭରସିଟିରୁ ବାୟୋଟେକରେ ଏମଏସସି କରି ବାଙ୍ଗାଲୋରରେ ଏକ କଂପାନୀରେ ଚାକିରୀ କରୁଥିଲେ । କରୋନା ସମୟରେ ଘରକୁ ଫେରିଥିଲେ । ଚାକିରୀ ନକରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ନିଜ ଅଂଚଳ ପାଇଁ କିଛି କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଆଉ ଆରମ୍ଭ କରିଥିଲେ ସାନିଟାରୀ ପ୍ୟାଡ ବ୍ୟବସାୟ । ଗ୍ରାମାଂଚଳରେ ରହୁଥିବା ମହିଳାମାନଙ୍କୁ କମ ଦରରେ ଏହି ସାନିଟାରୀ ପ୍ୟାଡ୍‌ ଯୋଗାଇ ଦିଆଯାଉଥିବା ବେଳେ ଏହାର ବ୍ୟବହାର ସଂପର୍କରେ ମହିଳାମାନେ ସଚେତନ ହେଉଛନ୍ତି । ବୈଶାଖୀଙ୍କ ଏଭଳି ପ୍ରୟାସକୁ ପରିବାର ଲୋକେ ପ୍ରଶଂସା କରିବା ସହ ଆଗକୁ ଯିବା ପାଇଁ ଅଧିକ ଉତ୍ସାହ ଯୋଗାଉଛନ୍ତି । ତେବେ ଗୋଟିଏ ପଟେ ନିଜେ ସ୍ୱାବଲମ୍ବି ହେବା ଓ ଅନ୍ୟକୁ ରୋଜଗାର ଦେବା ଅନ୍ୟପଟେ ସମାଜର ଏକ ସ୍ପର୍ଶକାତର କ୍ଷେତ୍ର ଉପରେ କାମ କରିବା ଯାହା ଉଚ୍ଚଶିକ୍ଷିତା ବୈଶାଖୀଙ୍କୁ କରିଛି ସମସ୍ତଙ୍କ ଠାରୁ ଅନନ୍ୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.