ରାତିରେ ହଠାତ୍‌ ଆସି ପହଁଚିଲା ପୋଲିସ ଗାଡି, ଆଉ ତାପରେ କିଛି ଏମିତି ହେଲା ଦୃଶ୍ୟ କଏଦ ହେଲା କ୍ୟାମେରାରେ

ପେଟ୍ରୋଲିଂ ବେଳେ ରାତିରେ ଅସୁବିଧାରେ ପଡୁଥିବା ଲୋକଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ନାଲି ଆଖି ଦେଖାଉଛି ପୋଲିସ । ଯଦି କେହି ପ୍ରତିବାଦ କଲା ନିର୍ଘାତ ପିଟିବା ସହ ଗୋଇଠା ମାରୁଛି ।

ଜଳେଶ୍ୱର (କେନ୍ୟୁଜ) : ରାତିରେ ହଠାତ୍‌ କି ଅଟକିଗଲା ପୋଲିସ୍‌ ଗାଡି । ଆଉ ଜଣେ ପରେ ଜଣେ ପୋଲିସ ବାହାରିଲେ ବାହାରକୁ । ଖାଲି ଏତକି ଥିଲା ଯେ ସମସ୍ତେ ଖାକି ବର୍ଦ୍ଦିରେ ଥିବାବେଳେ କେବଳ ଦୁଇଜଣ ଥିଲେ ସିଭିଲ ଡ୍ରେସରେ । ଆଉ ସେହି ଦୁଇଜଣ ପ୍ରଥମେ ତଳକୁ ଓହ୍ଳେଇ ଚାଲିଲେ ବାଇକ୍‌ ଧରି ଛିଡା ହୋଇଥିବା ଦୁଇ ଯୁବକଙ୍କ ନିକଟକୁ । ଏପଟେ ଦେଖନ୍ତୁ ଦୁଇ ଜଣ ବାଇକ୍‌ ଆରୋହୀ ପୋଲିସକୁ ତାଙ୍କ ଆଡକୁ ଆସୁଥିବା ଦେଖି କେମିତି ଭୟ କରିଗଲେଣି । ଆଉ କଣ ଟିକେ କଥା ହେଉଛନ୍ତି ନା ନାହିଁ ସଙ୍ଗେସଙ୍ଗେ ନାଲି ଆଖି ମାରିଲେ ମାଡ । ଖାଲି ଚାପୁଡା ନୁହେଁ ପାହାର ସାଙ୍ଗକୁ ଗୋଇଠା ମଧ୍ୟ ।

ପେଟ୍ରୋଲିଂ ବେଳେ ରାତିରେ ଅସୁବିଧାରେ ପଡୁଥିବା ଲୋକଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ନାଲି ଆଖି ଦେଖାଉଛି ପୋଲିସ । ଯଦି କେହି ପ୍ରତିବାଦ କଲା ନିର୍ଘାତ ପିଟିବା ସହ ଗୋଇଠା ମାରୁଛି । ପୋଲିସ ର ଏହି ଅମାନବିକତା ର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାର ଲାଗିଛି । ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ଜଳେଶ୍ବର ଥାନା ପୋଲିସ ର ଏହି ଅମାନୁଷିକ କାର୍ଯ୍ୟକଳାପ ଦେଖିଲେ ଆପଣ ବି ଲଜ୍ଜାବୋଧ ହେବେ । ରାସ୍ତାରେ ଯାହାକୁ ଦେଖୁଛନ୍ତି ନିର୍ଧୁମ ବାଡେଇବା ସହ ଗୋଇଠା ମଧ୍ୟ ମାରୁଛନ୍ତି । ଭଲ ମନ୍ଦ,ସୁବିଧା ଅସୁବିଧା ବୁଝିବା ପରିବର୍ତ୍ତେ ଆଗ ପିଟୁଛନ୍ତି । ତେବେ ଅନ୍ୟପଟେ ଯୁବକଙ୍କର ଭୁଲ କଣ କାହିଁକି ଏମିତି ପିଟିଲେ ତାହାର ତ କୌଣସି ପ୍ରତିକ୍ରୀୟା ମିଳିନି । କିନ୍ତୁ ଗୋଟେ ମାନବିକତା ଦୃଷ୍ଟିରୁ ଏପରି ଆଚରଣ କେତେ ଯୁକ୍ତିଯୁକ୍ତ ।

ପୋଲିସ ବର୍ଦ୍ଦିରେ ନଆସି ସିଭିଲ ଡ୍ରେସରେ ଆସୁଛନ୍ତି, କିଛି ବୁଝିବା ପୂର୍ବରୁ ରାସ୍ତା ଉପରେ ଦେଉଛନ୍ତି ଥାର୍ଡ ଡିଗ୍ରୀ । ହୁଏତ ଏହି ଭିଡିଓ ଟି ଭାଇରାଲ ହୋଇ ନଥିଲେ ଜଳେଶ୍ବର ପୋଲିସ ର ଅସଲ ରୂପ ସାମ୍ନାକୁ ମଧ୍ୟ ଆସି ପାରିନଥାନ୍ତା । ଟିକେ ଭଲ ଭାବରେ ଦେଖନ୍ତୁ ଏହି ଭିଡିଓକୁ, ରାସ୍ତା କଡରେ ଛିଡା ହୋଇଥିବା ଏହି ଯୁବକ ଙ୍କ ପାଖକୁ ପିସିଆର ଭ୍ଯାନ ରୁ ଓହ୍ଲାଇ ଆସିଲେ କିଛି ପୋଲିସ । ଆଉ ଛିଡା ହୋଇଥିବା ଯୁବକଙ୍କୁ କିଛି ପଚାରିବା ପୂର୍ବରୁ ହଠାତ ଗାଲକୁ ଚାପୁଡା ଉପରେ ଚାପୁଡା ମାରି ଚାଲିଲେ ।

ସିଭିଲ ଡ୍ରେସରେ ଥିବା ପୋଲିସ ବାବୁଙ୍କର ଏତିକିରେ ମନ ଶାନ୍ତି ହେଲାନି ଯେ ଗୋଇଠା ପରେ ଗୋଇଠା ବି ମାରି ଚାଲିଲେ । ରାସ୍ତା ଉପରେ ଥାର୍ଡ ଡିଗ୍ରୀ ଦେଇ ଚାଲିଲେ ପୋଲିସ । ଜଣେ ସାଧା ପୋଷାକରେ ଥିବା ମହିଳା ପୋଲିସ କର୍ମଚାରୀ ମଧ୍ୟ ପିଟିବାର ଦୃଶ୍ୟ ସାମ୍ନାକୁ ଆସିଛି । ବେଶୀ ରାତି ନୁହେଁ ଘଟଣା ଘଟି ଥିଲା ରାତି ୧୧.୩୦ରେ, ତେବେ ପ୍ରଶ୍ନ ଉଠୁଛି ରାସ୍ତା ଉପରେ ପୋଲିସ କୁ ଥାର୍ଡ ଡିଗ୍ରୀ ଦେବାକୁ କିଏ ଦେଲା ଅଧିକାର । ଏହି ଘଟଣାଟି ଗତ ମାର୍ଚ୍ଚ ୨୮ ତାରିଖର ହୋଇଥିବା ବେଳେ ଏବେ ଏହି ଭିଡିଓ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି । ତେବେ ଘଟଣା କୁ ନେଇ ଜଳେଶ୍ବର ଥାନାଧିକାରୀ ଙ୍କ ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାକୁ ହିଁ ଅପେକ୍ଷା ରହିଲା । କିନ୍ତୁ ଏହାର ତଦନ୍ତ ନିର୍ଦ୍ଦେଶ ପାଇଁ ସାଧାରଣରେ ଦାବି ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.