ମହାନତା ଦେଖାଇଲେ ସୁବର୍ଣ୍ଣପୁର ଜିଲ୍ଲାପାଳ : ଆବଶ୍ୟକ ଚୌକି ନଥିବାରୁ ଲୋକଙ୍କ ସହ ଛିଡା ହୋଇ କଲେ ମିଟିଂ

ସୁବର୍ଣ୍ଣପୁର (କେନ୍ୟୁଜ): ମହାନତା ଦେଖାଇଲେ ଜିଲ୍ଲାପାଳ । ଆବଶ୍ୟକ ଚୌକି ନଥିବାରୁ ଲୋକଙ୍କ ସହ ଛିଡାହୋଇ ମିଟିଂ କଲେ ଜିଲ୍ଲାପାଳ । ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲି ସୁନିଲ ନରୱାଣେ ଦେଖାଇଲେ ଏଭଳି ମହନୀୟତା । ଆଜି ଜିଲ୍ଲାର ତରଭା ବ୍ଲକ ସମ୍ମିଳନୀ କକ୍ଷରେ ଶିଶୁ ସୁରକ୍ଷା ଏବଂ ବାଲ୍ୟ ବିବାହ ସମ୍ଭନ୍ଧୀୟ ବୈଠକରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ତରଭା ବ୍ଲକର ସମସ୍ତ ସରପଞ୍ଚ ମାନଙ୍କ ବାଲ୍ୟ ବିବାହ ସମ୍ଭନ୍ଧୀୟ ଆଲୋଚନା ପାଇଁ ବୈଠକ ଡକାଯାଇଥିଲା । ତେବେ ସରପଞ୍ଚ ମାନଙ୍କ ସହ ଆଲୋଚନା ପୁର୍ବରୁ ପୁରୋହିତ,ଟେଣ୍ଡ ମାଲିକ ଏବଂ ଉଭୟ ହିନ୍ଦୁ ଓ ମୁସଲିମ ସଂପ୍ରଦାୟର ଲୋକଙ୍କ ସହ ଆଲୋଚନା କରିବାକୁ ଚାହିଁଥିଲେ ଜିଲ୍ଲାପାଳ ।

ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲି ସୁନିଲ ନରୱାଣେ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା,ପିଡିଡିଆରଡିଏ ନିହାର ରଂଜନ କହଁର ,ସମନ୍ୱିତ ଶିଶୁ ବିକାଶ ବିଭାଗ,ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଅଧିକାରୀ,ସମସ୍ତ ସରପଂଚଙ୍କ ସମେତ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ପାଇଁ ଆବଶ୍ୟକ ଚୌକି ନଥିବାରୁ ମିଟିଂକୁ ଡକାଯାଇଥିବା ଲୋକେ ଛିଡା ହୋଇ ରହିଥିଲେ । ଏଣୁ ଜିଲ୍ଲାପାଳ କହିଥିଲେ ଏହି ମିଟିଂ ଆମମାନଙ୍କ ପାଇଁ ବହୁତ ଗୁରୁତ୍ୱପୁର୍ଣ୍ଣ ଅଟେ । ଆମେ ଛିଡାହେବା ନାଁ ବସିବା ତାହା ଗୁରୁତ୍ୱପୁର୍ଣ୍ଣ ନୁହେଁ । ଏଣୁ ଜିଲ୍ଲାପାଳ ନିଜେ ଛିଡାରହି ମିଟିଂ ଆରମ୍ଭ କରିଥିଲେ ।

ତାଙ୍କୁ ଦେଖି ଉପସ୍ଥିତ ସମସ୍ତ ଅଧିକାରୀ ଏବଂ ବ୍ୟକ୍ତିବିଶେଷ ମଧ୍ୟ ଛିଡା ରହିଥିଲେ । ଦିର୍ଘ ଅଧ ଘଣ୍ଟାରୁ ଅଧିକ ସମୟ ଧରି ମିଟିଂ ଟି ଏହିଭଳି ଚାଲିଥିଲା । ଜିଲ୍ଲାରେ କିଭଳି ବାଲ୍ୟ ବିବାହକୁ ରୋକାଯାଇପାରିବ ଏବଂ ଏହାକୁ ରୋକିବାରେ ସମସ୍ତଙ୍କର ଭୂମିକା କଣ ସେନେଇ ସମସ୍ତଙ୍କୁ ବୁଝାଇଥିଲେ । ଜିଲ୍ଲାପାଳଙ୍କ ଏଭଳି ମହନୀୟତାକୁ ଦେଖି ସମସ୍ତେ ଖୁବ ପ୍ରଶଂସା କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.