ସଫଳ ଦିବ୍ଯାଙ୍ଗ ମହିଳା ବାସନ୍ତି, ଅନ୍ଯ ନାରୀଙ୍କ ପାଇଁ ପ୍ରେରଣାର ଉତ୍ସ

ଯାଜପୁର(କେନ୍ଯୁଜ୍): ଭିନ୍ନକ୍ଷମ ହେଲେ ବି ସେ ସକ୍ଷମ । ନିଜର ଦୃଢ ଇଛାଶକ୍ତି ଓ ଆତ୍ମବିଶ୍ୱାସ ବଳରେ ସେ ଅନ୍ଯମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ନିଜେ ଆତ୍ମର୍ନିଭରଶୀଳ ହେବା ସହ ଅନ୍ଯମାନଙ୍କୁ ସ୍ବାବଲମ୍ବୀ କରିପାରିଛନ୍ତି ।

ଏ ହେଉଛନ୍ତି ଯାଜପୁର ଜିଲ୍ଲା ଜାରକା କୁମାରୀ ଗ୍ରାମର ଦିବ୍ଯାଙ୍ଗ ମହିଳା ବାସନ୍ତି ରଣା । ପିଲାବେଳୁ ପୋଲିଓରେ ଆକ୍ରାନ୍ତ ହୋଇ ନିଜର ଗୋଡ ଦୁଇଟି ହରାଇଲେ । ନିଜ ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ ସିଲେଇ ଶିକ୍ଷା ପ୍ରତି ତାଙ୍କର ଅହେତୁକ ଆଗ୍ରହ ଥିଲା । ଦାରିଦ୍ର୍ଯ ଓ ଆର୍ଥିକ ଅନଟନ ଭିତରେ କାଳ କାଟୁଥିବା ନିଜ ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ଲାଗି ସେ ଆଗେଇ ଆସିଥିଲେ । ନିଜର ଇଛାଶକ୍ତି ବଳରେ ସିଲେଇ ପ୍ରଶିକ୍ଷଣ ନେଇ ନିଜେ ଆତ୍ମର୍ନିଭରଶୀଳ ହେବା ସହ ଅନ୍ଯମାନଙ୍କୁ ସ୍ବାବଲମ୍ବୀ କରିବା ତାଙ୍କର ସ୍ବପ୍ନ ଥିଲା । ଗୋଟିଏ ମେସିନରୁ ସିଲେଇ ଶିକ୍ଷା ଆରମ୍ଭ କରିଥିବା ବାସନ୍ତି ହଜାରରୁ ଉର୍ଦ୍ଧ୍ୱ ଯୁବତୀ ଓ ମହିଳାଙ୍କୁ ସିଲେଇ ଶିକ୍ଷା ପ୍ରଦାନ କରିସାରିଲେଣି । ତାଙ୍କର ଲକ୍ଷ୍ୟ ପ୍ରତ୍ୟେକ ମହିଳା ନିଜ ଗୋଡରେ ଠିଆ ହୋଇପାରିବ ଏବଂ ନିଜର ପରିବାର ପ୍ରତିପୋଷଣ କରିପାରିବ । ଦୃଢ ଇଛାଶକ୍ତି ଓ ଆତ୍ମ ବିଶ୍ୱାସ ରହିଲେ ଜଣେ ମହିଳା ନିଜ ପରିବାରାର ଆର୍ଥିକ ସ୍ଥିତିକୁ ବଦଳାଇ ପାରିବ ବୋଲି କହିଛନ୍ତି ବାସନ୍ତି ।

ବାସନ୍ତୀ ନିଜ ଘରେ ଏବଂ ଜାରକା ବଜାରରେ ସିଲେଇ ପ୍ରଶିକ୍ଷଣ କେନ୍ଦ୍ର ଖୋଲିଛନ୍ତି । ୨୦୧୧ମସିହାରୁ ଆରମ୍ଭ କରିଥିବା ଏହି କେନ୍ଦ୍ରରେ ଏବେ ୩୫ରୁ ଉର୍ଦ୍ଧ୍ୱ ଯୁବତୀ କାମ କରି ସେମାନେ ମଧ୍ୟ ବେଶ ଦୁଇ ପଇସା ରୋଜଗାର କରିବାରେ ସକ୍ଷମ ହୋଇ ପାରିଛନ୍ତି । ଏହି କେନ୍ଦ୍ର ମହିଳା ମାନଙ୍କ ଚାହିଦା ଅନୁଯାୟୀ ବିଭିନ୍ନ ଡିଜାଇନର ଡ୍ରେସ ଉପକରଣ ପ୍ରସ୍ତୁତ କରାଯାଇ ବଜାରକୁ ଛଡାଯାଉଛି । ଆଖପାଖ ଅଂଚଳରେ ଘରେ ବସି ରହିଥିବା ଅନେକ ଯୁବତୀ ଏଠାରେ ପ୍ରଶିକ୍ଷଣ ନେବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ପ୍ରଶିକ୍ଷଣ ନେଉଥିବା ଅନେକ ଛାତ୍ରୀ ଓ ଯୁବତୀ ବାସନ୍ତୀଙ୍କ ଭଳି ପ୍ରଶିକ୍ଷକ ପାଇ ବେଶ ଗର୍ବ ଅନୁଭବ କରୁଛନ୍ତି । ସିଲେଇ ଶିକ୍ଷାକୁ ବାଦ୍‌ ଦେଲେ ବାସନ୍ତି ଘରେ ପୂଜା ପାଠ ହେଉ ଅବା ରୋଷେଇ ହେଉ ସବୁ କାର୍ଯ୍ଯରେ ସେ ବେଶ ତତ୍ପର । ତେବେ ବାସନ୍ତୀଙ୍କ ଇଛାଶକ୍ତି ଆଗରେ ସବୁ କିଛି ହାର ମାନିଛି । ଭବିଷ୍ଯତରେ ସେ ଆହୁରି ମହିଳାମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେଇ ସ୍ବାବଲମ୍ବୀ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ବାସନ୍ତିଙ୍କ ଏହି ସଫଳତା ପାଇଁ ବିଭିନ୍ନ ଅନୁଷ୍ଠାନ ତାଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ସେ ଭାରତର ରାଷ୍ଟ୍ରପତିଙ୍କ ଠାରୁ ମଧ୍ୟ ପୁରସ୍କାର ଲାଭ କରିଛନ୍ତି । ବାସନ୍ତି ଏବେ ସମଗ୍ର ଯାଜପୁର ଜିଲ୍ଲାରେ ମହିଳା ମାନଙ୍କ ପାଇଁ ଏକ ପ୍ରେରଣା ଉତ୍ସ ପାଲଟିଯାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.