ହଠାତ୍ ମାଟି ଫଟାଇ ବାହାରୁଛି ପାଣି, ଲୋକେ କହୁଛନ୍ତି ଏ ଠାକୁରଙ୍କ ମହିମା

ବାଙ୍କୀ(କେନ୍ୟୁଜ୍): ହଠାତ୍ ମାଟି ଫଟାଇ ଉପରକୁ ବାହାରୁଛି ପାଣି । ସଭିଏଁ ଆଶ୍ଚର୍ଯ୍ଯ । କିନ୍ତୁ ପାଣି କେଉଁଠୁ ଆସୁଛି, ଦେଖିବା ପାଇଁ ଗାଁ ଲୋକେ ଧାଇଁ ଆସିଥିଲେ। ଭାବିଲେ ପାଣି ପାଇପ ବୋଧ ହୁଏ କେଉଁଠୁ ଫାଟି ଯାଇଛି। ସେହି ଫଟା ପାଇପ ବାଟ ଦେଇ ପାଣି ଆସୁଥିବା ସନ୍ଦେହ କରିଥିଲେ। ମାତ୍ର ଯେଉଁଠୁ ପାଣି ବାହାରୁଛି ତାହାର ତଳେ କୌଣସି ପାଇପ ଯାଇ ନାହିଁକି, ପାଣି ରହିଥିବାର କୌଣସି ସନ୍ଧାନ ନାହିଁ । ତଥାପି ଅନବରତ ପାଣି ବାହାରୁଛି।
ଯାହାକୁ ଦେଖି ତାର କିଛିଦିନ ପରେ ସେହିଁ ସ୍ଥାନରେ ଏକ ନଳକୂପ ଖୋଳିବାକୁ ଚିନ୍ତାକରି ଖୋଳିବାର ଯୋଜନା କରାଗଲା । ହେଲେ ନଳକୂପ ଖୋଳିବା ବେଳକୁ ଖୋଳାହୋଇ ପାରିଲା ନାହିଁ। ଆହୁରି ଜୋରରେ ପାଣି ଉପରକୁ ବାହାରିଲା। ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଗଲା। ପରୀକ୍ଷା ପରେ ଜଣାପଡିଲା ପାଣି ବିଶୁଦ୍ଧ ସ୍ୱାଦଯୁକ୍ତ। ପାଣି କାହିଁକି ବାହାରେ ଭାସିବ ସେଥିଲାଗି ଏକ ନଳକୂପର ହାଣ୍ଡେଲ ଲଗା ଯାଇଛି ।ହେଲେ ହାଣ୍ଡେଲ ମାରିବାର ଆବଶ୍ୟକତା ପଡୁନାହିଁ। ଏଠାରେ ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ପାଣି ବାହାରୁଛି। ଏବେ ଏହି ସ୍ଥାନରେ ବଣଭୋଜି କରିବାକୁ ଭିଡ଼ ଲାଗି ଲାଣି।
କଟକ ବାଙ୍କୀ ରାସ୍ତାର ବାଁଆରାରୁ ଭଗିପୁର ଯିବା ମୁଖ୍ୟରାସ୍ତାର କୁଅମଡା ନିକଟସ୍ଥ ଉତ୍ତର ଦିଗରେ ରହିଛି ବାବା ଧୂଳିଆଷଣ୍ଢଙ୍କ ପୀଠ। ସେଠି ରହିଛି ମା ବନଦୁର୍ଗାଙ୍କ ମନ୍ଦିର। ମା ବିରାଟ ବଟ ବୃକ୍ଷ ମୂଳରେ ପୂଜା ପାଉଛନ୍ତି। ଏହି ପାଣି ବାହାରିବା ମା ଦୁର୍ଗାଙ୍କର ମହିମା ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ସ୍ଥାନୀୟ ଗ୍ରାମବାସୀ ମାନେ ନିଜ ଉଦ୍ୟମରେ ବଣଭୋଜି ପାଇଁ ପିଣ୍ଡି ନିର୍ମାଣ କରିଛନ୍ତି। କିନ୍ତୁ ମାଟି ତଳୁ ପାଣି ଏବେ ବି ଅନବରତ ବାହାରିଚାଲିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ଅମାବାସ୍ୟା ଓ ପୂର୍ଣ୍ଣିମାରେ ପାଣି ଅନ୍ୟ ଦିନ ଅପେକ୍ଷା ଖୁବ ଜୋରରେ ତଳୁ ଉପରକୁ ଉଠିଥାଏ। ଆହୁରି ପୁଣି ଜନଗହଳି ହେଲେ ପାଣି ଜୋରରେ ବାହାରେ। ଜନଶୁନ୍ୟ ହୋଇଗଲେ ପାଣି କମ ପରିମାଣର ବାହାରେ। ଏଠାରେ ଅଲୌକିକ ଶକ୍ତି ରହିଛି ବୋଲି କୁହାଯାଉଛି। ବାଙ୍କୀ ପ୍ରଶାସନ ଏହାକୁ ଦେଖି ଏହାକୁ ଆହୁରି ଆକୃଷ୍ଟ କରିବା ସହିତ ପର୍ଯ୍ୟଟନ କ୍ଷେତ୍ର ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଦାବି କରିଛି।