ଅଲୋଡ଼ା କରୋନା ମୃତକଙ୍କ ଶବକୁ ଦାହ କରି ଆହ୍ଲାବାଦ ପ୍ରୟାଗରେ ଅସ୍ଥି ବିସର୍ଜନ କଲେ ମଶାଣୀ ବନ୍ଧୁ

ସୁନ୍ଦରଗଡ (କେନ୍ୟୁଜ) : ଦୁନିଆରେ ଆଜି ବି ମରିନି ମାନବିକତା, ଲୋପ ପାଇନି ଅନ୍ୟକୁ ସାହାଯ୍ୟ କରିବାର ସ୍ପୃହା। ମଲାପରେ ବି ଯେଉଁଠି ନିଜ ଲୋକ ପର କରିଦେଲେ ସେଠି ସାଥ୍‌ ଦେଇଛନ୍ତି ମଶାଣୀ ବନ୍ଧୁ। କରୋନାରେ ମୃତ୍ୟୁବରଣ ପରେ ସ୍ମଶାନରୁ ଅସ୍ଥି ନେଲେନାହିଁ ପରିବାର ଲୋକେ। କିନ୍ତୁ ଏହି ଅବହେଳିତ ଅସ୍ଥି ଗୁଡିକୁ ଏକାଠି କରି ପ୍ରୟାଗରାଜରେ ବିସର୍ଜନ କରି ସୁନ୍ଦରଗଡ ଫେରିଛନ୍ତି ମଶାଣୀ ବନ୍ଧୁ।

କରୋନାରେ ମୃତ୍ୟୁ ବରଣ ପରେ ରାଣିବଗିଚା ସ୍ମଶାନରେ ଦାହ ସଂସ୍କାର କରୁଥିଲେ ସହରର ୪ ଜଣ ମଶାଣି ବନ୍ଧୁ। ଚଳିତ ଦ୍ୱିତୀୟ ଲହରରେ ଏହି ମଶାଣି ବନ୍ଧୁ ମାନେ ପ୍ରାୟ ୩୫୦ ମୃତକଙ୍କ ଶବକୁ ସଂସ୍କାର କରିଥିଲେ। କିନ୍ତୁ ଏଥିମଧ୍ୟରୁ ୩୫ ଜଣ ମୃତକଙ୍କ ପରିବାର ସେମାନଙ୍କ ଅସ୍ଥି ନେଇନଥିଲେ। ଏଣୁ ରହିଯାଇଥିବା ଏହି ଅସ୍ଥି ସବୁକୁ ସାମୁହିକ ଭାବେ ପ୍ରୟାଗରାଜରେ ବିସର୍ଜନ କରିବାପାଇଁ ନିଷ୍ପତ୍ତି ନେଲେ ଏମାନେ। ଆଉ ଏହି ମହତ କାମ ପାଇଁ ସେମାନେ ଜୁଲାଇ ୧ ତାରିଖ ଦିନ ମଶାଣିରେ ସାମୁହିକ ପୂଜା ଅର୍ଚ୍ଚନା କରିବା ପରେ ପ୍ରୟାଗରାଜ ଉପଲକ୍ଷେ ଯାତ୍ରା ଆରମ୍ଭ କରିଥିଲେ।

ସେଠାରେ ପାରମ୍ପରିକ ରୀତିରେ ଅସ୍ଥିଗୁଡିକୁ ବିସର୍ଜନ କରିବା ପରେ ସୁନ୍ଦରଗଡ଼ ଫେରିଛନ୍ତି ମଶାଣୀ ବନ୍ଧୁ । ତେବେ ଏତେ ବଡ ଗୋଟେ ମହତ କାମ ପାଇଁ ସେମାନଙ୍କୁ ସମ୍ବର୍ଦ୍ଧନା କରାଯାଇଛି। ଏମାନେ ଫେରିବା ପରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ବ୍ରାହ୍ମଣ ସମାଜ, ବନବାସୀ କଲ୍ଯାଣ ଆଶ୍ରମ ସମେତ ଅନ୍ଯ ସମାଜ ସେବୀ ଅନୁଷ୍ଠାନ ଗୁଡିକ ମହା ସମାରୋହରେ ମଶାଣୀ ବନ୍ଧୁଙ୍କୁ ସ୍ୱାଗତ ଜଣାଇଥିଲେ ।

ମୃତକଙ୍କ ଆତ୍ମୀୟ ସ୍ୱଜନ ଅସ୍ଥିକୁ ନେଇନଥିବା ବେଳେ ଏହି ଅସ୍ଥିକୁ ନେଇ ବିସର୍ଜନ କରିବା ଭଳି ମହତ କାର୍ଯ୍ଯକୁ ଜିଲ୍ଲା ସାରା ପ୍ରଶଂସା କରାଯାଉଛି । ସୁନ୍ଦରଗଡ ଜିଲ୍ଲା ବାସୀଙ୍କ ତରଫରୁ ୪ ଜଣ ମଶାଣିବନ୍ଧୁଙ୍କୁ ଶୁଭେଛା ଜଣାଇବା ସହ ଆଗାମୀ ଦିନରେ ମଧ୍ୟ ବିପଦ ସମୟରେ ସମସ୍ତଙ୍କୁ ସାହାଯ୍ୟ କରିବାର ଶକ୍ତି ଭଗବାନ ଦିଅନ୍ତୁ ବୋଲି କହିଛନ୍ତି ବରିଷ୍ଠନାଗରିକ। ତେବେ ଏପରି କାର୍ଯ୍ୟ ପାଇଁ ବହୁତ ଖୁସି ଅନୁଭବ କରୁଛନ୍ତି ବୋଲି କହିଛନ୍ତି ମଶାଣୀ ବନ୍ଧୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.