ମହାବାତ୍ଯାକୁ ୧୯, ମନେ ପଡ଼ିଲେ ଏବେବି ଶିହରୀ ଉଠେ ଦେହ

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ

ଭୁବନେଶ୍ବର(କେନ୍ଯୁଜ୍) : ଓଡ଼ିଶା ପାଇଁ ବାତ୍ୟା, ବନ୍ୟା କିଛି ନୂଆ ନୁହଁ । ହେଲେ ୧୯୯୯ ଅକ୍ଟୋବର ୨୯ ତାରିଖ ମହାବାତ୍ୟାର ତାଣ୍ଡବ ଏବେବି ଲୋକଙ୍କ ମନରୁ ଲିଭି ନାହିଁ । ସୁପରସାଇକ୍ଲୋନକୁ ୧୯ ବର୍ଷ ପୂରିବାକୁ ଯାଉଛି। ଆଜି ବି ସେହି ପ୍ରଳୟଙ୍କରୀ ମହାବାତ୍ୟା ସ୍ମୃତି ତାଜା ରହିଛି । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । କେବଳ ଉପକୂଳ ନୁହେଁ ଉପକୂଳବର୍ତ୍ତୀ ଜିଲ୍ଲାରେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ବ୍ୟାପକ ପ୍ରସ୍ତୁତି ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

cyclon

୧୯୯୯ ମସିହା ଅକ୍ଟୋବର ୨୯ ତାରିଖ । ସୁପରସାଇକ୍ଲୋନ ଓଡ଼ିଶା ପାଇଁ ଆଣିଥିଲା ମହାବିପତ୍ତି । ପବନର ବେଗ ଥିଲା ଘଣ୍ଟା ପ୍ରତି ୨୬୦ କିଲୋମିଟର । ୫ରୁ ୬ମିଟର ଉଚ୍ଚତାରେ ମାଡ଼ି ଆସିଥିଲା ସମୁଦ୍ରର ଜୁଆର । ମହାବାତ୍ୟାର ମହାତାଣ୍ଡବରେ ଭାଙ୍ଗି ଯାଇଥିଲା ଓଡ଼ିଶାର ମେରୁଦଣ୍ଡ । ଏଥିରେ ରାଜ୍ୟରେ ସରକାରୀ  ଭାବେ ୧୦ ହଜାର ୪୦୫ ଜଣଙ୍କର ମୃତ୍ୟୁ ଘଟିଥିଲା । ଜଗତସିଂପୁରରେ ସର୍ବାଧିକ ୮ ହଜାର ଲୋକଙ୍କ ଯାଇଥିଲା ଜୀବନ । ୯୯’ରେ ଯେଉଁମାନେ ଜନ୍ମ ନେଇଥିଲେ ସେମାନେ ଏବେ ସାବାଳକ, ସାବାଳିକା । ଯଦିଓ ସେମାନେ ନିଜେ ମହାବାତ୍ୟାକୁ ନିଜେ ଅନୁଭବ କରିନଥିଲେ ହେଲେ ପରିବାର ଓ ସଂପର୍କୀୟଙ୍କ ଠୁଁ ଶୁଣୁଛନ୍ତି କିପରି ପ୍ରକୃତି ରଚିଥିଲା ତାଣ୍ଡବ ।

cyclone 2

ମହାବାତ୍ୟା ପରେ ଏବେ ତିତ୍‌ଲିରେ ରାଜ୍ୟରେ ଅଧିକ ଧନଜୀବନ ହାନି ହୋଇଛି । ଅକ୍ଟୋବର ୧୧ରେ ବାତ୍ୟା ତିତଲି ପଲାସାରେ ଲ୍ୟାଣ୍ଡଫଲ କରିଥିଲା । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ଥିଲା ୧୬୫ କିଲୋମିଟର । ତିତଲି ବାତ୍ୟା, ବନ୍ୟା ଓ ଭୂସ୍ଖଳରେ ମୃତ୍ୟୁସଂଖ୍ୟା ପହଞ୍ଚିଛି ୭୭ରେ । ରାଜ୍ୟରେ ୨ ହଜାର ୭ ଶହ ୬୫ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ପ୍ରଭାବିତ ହୋଇଛନ୍ତି ୮ ହଜାର ୧୨୫ଟି ଗାଁର ୬୦ ଲକ୍ଷ ୧୧ ହଜାର ଲୋକ । ୫୬ ହଜାର ୯୩୦ ଘର ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ୨ଲକ୍ଷ ୬୩ ହଜାର ୩୬୭ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି ।

cyclone

ଏବେ ବାତ୍ୟା, ବନ୍ୟା ପରିଚାଳନା ଠାରୁ ପାଇଁ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଂଜ ପାଲଟିଛି ଭୂସ୍ଖଳନ । ଏଣିକି ପ୍ରକୃତିକ ବିପର୍ଯ୍ୟୟ ସଂପର୍କରେ ଗାଁ ଗାଁରେ ସଚେତନତା କରାଯିବ । ଉପକୂଳବର୍ତ୍ତୀ ଜିଲ୍ଲା ସହ ନିକଟବର୍ତ୍ତୀ ଜିଲ୍ଲାରେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ କରାଯିବ ବ୍ୟାପକ ପ୍ରସ୍ତୁତି । ରାଜ୍ୟ ସରକାରଙ୍କ ପକ୍ଷରୁ ଗଜପତି ଜିଲ୍ଲାକୁ ଫୋକସରେ ରଖାଯାଇଥିବା ବେଳେ ପାଇଲଟ ପ୍ରକଳ୍ପ ଆରମ୍ଭ ହେବ । ବିପଯ୍ୟର୍ୟ ପରିଚାଳନା ନେଇ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ହେଲେ ପ୍ରାକୃତିକ ବିପର୍ଯ୍ୟୟ କେଉଁ ସ୍ଥାନରେ ଓ କେତେବେଳ ହେବ ତାହା ଜାଣିବା କଷ୍ଟକର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.