ସଜେଇ ହେଉଛି ଶ୍ରୀକ୍ଷେତ୍ର, ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନ ଯେତିକି ପାଖେଇ ଆସୁଛି, ପୁରୀରେ ସେତିକି ବଢୁଛି ଉତ୍ସବର ମାହୋଲ । ଆଜି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ଚନ୍ଦ୍ର ମହାପାତ୍ର ପୁରୀରେ ପହଞ୍ଚି ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ପୁରୀ (କେନ୍ୟୁଜ୍‌): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ଆଉ ମାତ୍ର ସପ୍ତାହେ ବାକି । ବର୍ତ୍ତମାନ ସୁଦ୍ଧା ୯୯ ପ୍ରତିଶତ କାମ ସରିଗଲାଣି । ଆସନ୍ତାକାଲି ସୁଦ୍ଧା ଯାତ୍ରୀ ପରିକ୍ରମା କାମ ଶେଷ କରି ହସ୍ତାନ୍ତର କରିବ ଓବିସିସି । ଗତକାଲି ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିଥିଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଆଜି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ଚନ୍ଦ୍ର ମହାପାତ୍ର ପୁରୀରେ ପହଞ୍ଚି ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଯଜ୍ଞ ସ୍ଥଳ, ଚାରି ଦ୍ବାରରେ ବେଦପାଠ ଆଦି ସ୍ଥାନ ବୁଲି ଦେଖିଛନ୍ତି । ସୁରେଶ ମହାପାତ୍ରଙ୍କ ସହ ଜିଲ୍ଲାପାଳ ସମର୍ଥ ବର୍ମା ଉପସ୍ଥିତ ଥିଲେ ।

୧୭ ତାରିଖ ପ୍ରକଳ୍ପ ଲୋକାର୍ପଣ ଦିନ ଯେତିକି ପାଖେଇ ଆସୁଛି, ପୁରୀରେ ସେତିକି ବଢୁଛି ଉତ୍ସବର ମାହୋଲ । କେମିତି ଦେଖାଯିବ ସ୍ବପ୍ନର ଶ୍ରୀକ୍ଷେତ୍ର, ସେଥିପାଇଁ ଭକ୍ତଙ୍କ ଭିତରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଶେଷ ସ୍ପର୍ଶ ନେବାକୁ ଯାଉଥିବା ବେଳେ ଏହାକୁ ଦେଖିବା ପାଇଁ ଏବେଠାରୁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମୁଛି ।

ଦେଶର ୬୦ ଓ ରାଜ୍ୟର ୩୦ଟି ସ୍ଥାନରୁ ଆସିଥିବା ଅତିଥି ଲୋକାର୍ପଣରେ ଯୋଗଦେବେ । ସାରା ପୁରୀ ସହରକୁ ଆଧ୍ୟାତ୍ମିକ ରୂପ ଦିଆଯାଇଛି । ନବବଧୂ ବେଶରେ ସଜେଇ ହେଉଛି ଶ୍ରୀକ୍ଷେତ୍ର । ଜୋରସୋରରେ ଚାଲିଛି ସାଜସଜ୍ଜା । ସନ୍ଧ୍ୟା ହେବା କ୍ଷଣି ସୁନ୍ଦର ଆଲୋକମାଳାରେ ଝଲସି ଉଠୁଛି ପୁରୀ ସହର । ଜଗନ୍ନାଥଙ୍କ ନଗରୀ ଶ୍ରୀକ୍ଷେତ୍ର ପୁରୀକୁ ଆହୁରି ସରସ ସୁନ୍ଦର କରିବା ଲାଗି ବ୍ୟାପକ ଆୟୋଜନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.