ହକି ବିଶ୍ୱ କପ୍‌ ଦେଖିଲେ ଆତ୍ମସମର୍ପଣକାରୀ ମାଓବାଦୀ

ଭୁବନେଶ୍ୱର : ହିଂସାର ପଥ ଛାଡ଼ି ମାଓ ସଂଗଠନରୁ ଦୂରେଇ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ଏଇ ବ୍ୟକ୍ତିମାନଙ୍କୁ ଟିକିଏ ଭଲ କରି ଦେଖନ୍ତୁ । ଏମାନେ ଆଜି ଆସିଛନ୍ତି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ହକି ବିଶ୍ୱ କପ୍‌ ମ୍ୟାଚ୍‌ ଦେଖିବାକୁ । ମ୍ୟାଚ୍‌ ପୂର୍ବରୁ ସେମାନେ ହକି ଫ୍ୟାନ୍‌ ଭିଲେଜ୍‌କୁ ଆସିଥିଲେ । ହକି ବିଶ୍ୱ କପ୍‌ର ମାସ୍କଟ ଓଲି ସହ ମିଶିଥିଲେ । ଏକଦମ୍‌ ଅଲଗା ଥିଲା ଅନୁଭୂତି । ମାଲକାନଗିରି ଏସ୍‌ପି ଜଗମୋହନ ମିନାଙ୍କ ପ୍ରୟାସରେ ୩୦ ଜଣ ଆତ୍ମସମର୍ପଣକାରୀ ମାଓବାଦୀଙ୍କୁ ଭୁବନେଶ୍ୱର ଅଣା ଯାଇଥିଲା । ଏଥିରେ ମାଲକାନଗିରିରୁ ୨୦ ଜଣ ଓ କୋରାପୁଟରୁ ୧୦ ଜଣ ପରିବାର ସହିତ ଆସିଛନ୍ତି । ଏମାନେ ହକି ବିଶ୍ୱ କପ୍‌ ଦେଖିବା ସହ ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲିବେ ।
କିଏ ପରିସ୍ଥିତିରେ ପଡ଼ି ତ ଆଉ କିଏ ମାଓ ନେତାଙ୍କ ପ୍ରରୋଚନାରେ ସାମିଲ ହୋଇଥିଲେ ଲାଲ ବାହିନୀରେ । ହେଲେ ପରେ ଯେତେବେଳେ ଜାଣିଲେ ସେମାନେ ଭୁଲ ରାସ୍ତା ଅପଣେଇଛନ୍ତି ସେତେବେଳେ ଆତ୍ମସମର୍ପଣ କରି ଫେରି ଆସିଥିଲେ ।

ରୀନାର କଥା ଓ ବ୍ୟଥା

ଏଇ ୩୦ ଜଣଙ୍କ ଭିତରେ ଥିବା ଝିଅ ରୀନାକୁ ଆମେ ଭେଟିଥିଲୁ । ପଚାରିଥିଲୁ କିଭଳି ସେ ମାଓ ସଂଗଠନ ସହିତ ସାମିଲ ହେଲେ ଓ ପୁଣି ଫେରି ଆସିଲେ । ରୀନା କହିଥିଲେ ସେ ସ୍କୁଲରେ ପଢ଼ିବା ବେଳେ ଥରେ ସ୍କୁଲରୁ ଫେରି ଘରେ ପହଞ୍ଚିବା ପରେ ତାଙ୍କୁ କିଛି ଲୋକ ଅଚାନକ ଉଠାଇ ନେଇ ଯାଇଥିଲେ । ପରେ ଜାଣିଲା ଯେ ସେ ଅଛି ମାଓ କ୍ୟାମ୍ପରେ । ସେମାନେ ରୀନାକୁ କିଛି ଦିନ ରଖି ବିଭିନ୍ନ କାମ କରାଇଥିଲେ । ମାଓ କାର୍ଯ୍ୟକଳାପରେ ସାମିଲ ହେବାକୁ ବାଧ୍ୟ କଲେ ଓ ତାଲିମ ବି ଦେଲେ । କିଛି ଅନ୍ୟ ଉପାୟ ନପାଇ ସେମାନଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରାୟ ତିନି ବର୍ଷ ପର୍ଯ୍ୟନ୍ତ କାମ କଲା ରୀନା । ତେବେ ଥରେ ସୁଯୋଗ ପାଇ ସେଠାରୁ ଖସି ଆସି ପହଞ୍ଚିଥିଲା ଥାନାରେ ଓ ଆତ୍ମସମର୍ପଣ କରିଥିଲା । ଏବେ ସାଧାରଣ ଜୀବନ ଯାପନ କରୁଛନ୍ତି ଏବଂ ବିଭିନ୍ନ ଦିଗରେ ପାଉଛନ୍ତି ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କ ସହଯୋଗ ।

MAO-2
ଆଦର୍ଶ ପାଲଟି ଥିଲା ବିଦ୍ରୋହୀ

ଯୁବକର ନାଁ ଆଦର୍ଶ । ତାର ବାପା ଜଣେ ଦିନ ମଜୁରିଆ । ଦିନେ ଦେଖିଲା ତା ବାପାକୁ କାମ କରାଇ ଗାଁର ଜଣେ ଲୋକ ପାରିଶ୍ରମିକ ଦେଲା ନାହିଁ । ପୁଣି ଆଉ ଜଣେ ଲୋକ ଘର ଉପରେ ଆକ୍ରମଣ କଲା । ଥରେ ଭଉଣୀ ରାସ୍ତାରେ ଯାଉଥିବା ବେଳେ ତାକୁ ଜଣେ ଯୁବ ଅସଦାଚରଣ କଲେ । ନ୍ୟାୟ ପାଇଁ ପୋଲିସ୍‌ର ଦ୍ୱାରସ୍ଥ ହୋଇ ନିରାଶ ହେଲା । ସବୁ ଅସନ୍ତୋଷ ବିଦ୍ରୋହର ରୂପ ନେଲା ଏବଂ ସ୍ଥିର କଲା ମାଓ ସଂଗଠନରେ ମିଶିବ ଓ ପ୍ରତିଶୋଧ ନେବ । ଆଉ ମିଶିଗଲା । ହେଲେ ପରେ ଜାଣିଲା ଯେ ଦରିଦ୍ର, ନିଷ୍ପେସିତଙ୍କ ଉଦ୍ଧାର କଥା କହୁଥିବା ମାଓବାଦୀ ପ୍ରକୃତରେ କିନ୍ତୁ ଠିକ୍‌ ସେହି କାମ କରୁ ନାହାନ୍ତି । ସେଇଠୁ ଚିନ୍ତା କଲେ ଆଦର୍ଶ ଯେ ସେ ଭୁଲ ବାଟରେ ଚାଲି ଆସିଛନ୍ତି । ତା ପରେ ଖୁବ୍‌ କଷ୍ଟ କରି ଖସି ଆସିଥିଲେ ମାଓ ଶିବିରରୁ । ସରକାରଙ୍କ ଯୋଜନାରେ ଥଇଥାନ ହେଲେ ।
ହିଂସାର ପଥ ଛାଡ଼ିଥିବା ଏହି ୩୦ ଜଣ ଆତ୍ମସମର୍ପଣକାରୀ ହକି ବିଶ୍ୱ କପ୍‌କୁ ଆସି ଖୁବ୍‌ ଖୁସି । ଜୀବନରେ ଏଭଳି ଏକ ଅନୁଭୂତି ସେମାନେ ପ୍ରଥମଥର ପାଇଥିବାରୁ ମାଲକାନଗିରି ଏସ୍‌ପି ଜଗମୋହନ ମିନା ଏବଂ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ରିପୋର୍ଟ : ରାଜା, କେ ନ୍ୟୁଜ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.